୩ ଘଣ୍ଟା କସରତ ପରେ ଧରାପଡ଼ିଲେ

ନନ୍ଦନକାନନରୁ ୨ ନୀଳଗିରି ହନୁ ଚମ୍ପଟ 

୩ ଘଣ୍ଟା କସରତ ପରେ ଧରାପଡ଼ିଲେ

ବାରଙ୍ଗ: ଜନ୍ତୁରକ୍ଷକଙ୍କ ଅସାବଧାନତା ହେତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୫ ‘କ’ ଖୁଆଡ଼ ମଧ୍ୟରେ ରହୁଥିବା ଦୁଇଟି ନୀଳଗିରି ହନୁ ଚମ୍ପଟ ମାରିଥିଲେ। ପ୍ରାୟ ୩ ଘଣ୍ଟାର କସରତ ପରେ ହନୁ ଦୁଇଟିଙ୍କୁ ସେମାନଙ୍କ ଖୁଆଡ଼ ମଧ୍ୟକୁ ଫେରାଇ ଅଣାଯାଇଥିଲା। ସୂଚନା ଅନୁଯାୟୀ ସକାଳ ୮ଟା ୧୫ ମିନିଟ୍‌ରେ ଜନ୍ତୁରକ୍ଷକ ନୀଳଗିରି ହନୁଙ୍କ ଖୁଆଡ଼ର ଫାଟକ ଖୋଲି ସଫେଇ କରିଥିଲେ। ସଫେଇ କଲା ବେଳେ ସେ ଫାଟକ ବନ୍ଦ କରିବାକୁ ଭୁଲିଯାଇଥିଲେ। ଏହାର ସୁଯୋଗରେ ହନୁ ଦୁଇଟି ବାହାରକୁ ପଳାଇଥିଲେ। ଉଭୟ ଖୁଆଡ଼ ପାଖରେ ଥିବା ବଡ଼ ଆମ୍ବ ଗଛ ଉପରକୁ ଚଢ଼ିଯାଇଥିଲେ। ଜନ୍ତୁରକ୍ଷକ ଯେତେ ଡାକିଥିଲେ ମଧ୍ୟ କିଛି ନଶୁଣି ଗଛର ଅଗ୍ର ଭାଗରେ ଲୁଚି ବସିଥିଲେ। ଖବରପାଇ ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି ଓ ରେଞ୍ଜ ଅଫିସର ଅଶୋକ କୁମାର ଦାସଙ୍କ ସମେତ ୧୦ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଛ ପାଖରେ ଯନ୍ତାରେ କଦଳୀ ରଖି ସେମାନଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଥିଲା। ପ୍ରଥମେ ମାଈ ନୀଳଗିରି ହନୁ(୪)ଟି ଗଛ ତଳକୁ ଆସି ଯନ୍ତାରେ ପଶିଯାଇଥିଲା। ମାତ୍ର ଅଣ୍ଡିରା ହନୁଟି ଉପରେ ଏହାର କିଛି ପ୍ରଭାବ ପଡ଼ିନଥିଲା। ଏ ଗଛରୁ ସେ ଗଛକୁ ଡିଆଁଡେଇଁ କରିଥିଲା। କର୍ମଚାରୀମାନେ ତାର ପିଛା କରି ନୟାନ୍ତ ହୋଇ ପଡ଼ିଥିଲେ। କର୍ମଚାରୀମାନେ ପାଟି କରି ଘଉଡ଼ାଇବାରୁ ହନୁଟି ୫୫ ‘ଖ’ ବବୁନ ମାଙ୍କଡ଼ ଖୁଆଡ଼ ମଧ୍ୟକୁ ଡେଇଁଥିଲା। ମାତ୍ର ସେତେବେଳେ ସେଠାରେ ବବୁନ୍‌ ମାଙ୍କଡ଼ ନଥିଲା। ସେଠାରୁ ତାକୁ କାବୁ କରି ପୁନର୍ବାର ୫୫ ‘କ’ ଖୁଆଡ଼ରେ ଛଡାଯାଇଥିଲା। ନୀଳଗିରି ହନୁ ଦୁଇଟିଙ୍କୁ ଗତ ବର୍ଷ ୨୨ଟି ଜୀବ ପ୍ରତିବଦଳରେ ଚେନ୍ନଇରୁ ଅଣାଯାଇଥିଲା।

୫ ରାଜ୍ୟର ଜନ୍ତୁରକ୍ଷକଙ୍କ ତାଲିମ ଶିବିର
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠାରୁ ଜନ୍ତୁରକ୍ଷକମାନଙ୍କର ତାଲିମ ଶିବିର ଆରମ୍ଭ ହୋଇଛି। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ଓଡ଼ିଶା, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ଆଦି ୫ଟି ରାଜ୍ୟର ୨୮ ଜନ୍ତୁରକ୍ଷକ ଭାଗ ନେଇଛନ୍ତି। ଶିବିରରେ ବରିଷ୍ଠ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବନ୍ୟ ପ୍ରାଣୀମାନଙ୍କର ବ୍ୟବହାର, ପସନ୍ଦ, ଖଦ୍ୟପେୟ, ଚଳଣି, ବାସସ୍ଥଳୀ ଓ ସେମାନଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି।

ରାଜଭବନରୁ ଆସିଲେ ୪ ଚିତ୍ରାହରିଣ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ପୁଣି ରାଜଭବନରୁ ୪ଟି ଅଣ୍ଡିରା ଚିତ୍ରାହରିଣଙ୍କୁ ଅଣାଯାଇଛି। ରାଜଭବନରେ ଚିତ୍ରା ହରିଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଉଛି। ଏହି ୪ ହରିଣଙ୍କୁ ମିଶାଇ ରାଜଭବନରୁ ମୋଟ ୬୬ଟି ଚିତ୍ରା ହରିଣଙ୍କୁ ନନ୍ଦନକାନନ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe