ଧରାପଡ଼ିଲା ଦୁଇ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ, ମୋଷ୍ଟ ଓ୍ୱାଣ୍ଟେଡ୍ ମଣ୍ଟୁ ସମେତ ୮ ଗିରଫ

Advertisment

୭୦ ମୋବାଇଲ ଫୋନ୍, ୨୩ ଲାପଟପ୍, ୯ ବାଇକ୍, ଏଲଇଡି ଟିଭି ଜବତ

୭୦ ମୋବାଇଲ ଫୋନ୍, ୨୩ ଲାପଟପ୍, ୯ ବାଇକ୍, ଏଲଇଡି ଟିଭି ଜବତ

ଧରାପଡ଼ିଲା ଦୁଇ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ, ମୋଷ୍ଟ ଓ୍ୱାଣ୍ଟେଡ୍ ମଣ୍ଟୁ ସମେତ ୮ ଗିରଫ

ଭୁବନେଶ୍ବର: ଲକ୍‌ଡାଉନ୍‌ରେ ରାଜଧାନୀରେ ସକ୍ରିୟ ହୋଇଉଠିଥିବା ଦୁଇଟି ଗ୍ୟାଙ୍ଗ କମିସନରେଟ୍‌ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଖଣ୍ଡଗିରି ଥାନା ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ଗ୍ୟାଙ୍ଗ ଦୁଇଟିକୁ ଧରିବା ସହ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛନ୍ତି। ଦୁଇଟି ଗ୍ୟାଙ୍ଗରେ ୩ ଲୁଟେରା ଥିବା ବେଳେ ଅନ୍ୟ ୫ଜଣ ସେମାନଙ୍କଠାରୁ ଚୋରି ସାମଗ୍ରୀ କିଣୁଥିଲେ। ଗିରଫ ଅଭିଯୁକ୍ତଙ୍କଠାରୁ ୭୦ଟି ସ୍ମାର୍ଟଫୋନ୍, ୨୩ଟି ଲାପଟପ୍, ୨ଟି ଏଲ୍‌ଇଡି ଟିଭି ଓ ୯ଟି ବାଇକ୍‌ ଜବତ କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଛି ମୋଷ୍ଟ ଵାଣ୍ଟେଡ୍ ବରମୁଣ୍ଡା ପାଲାମଣ୍ଡପ ସାହିର ମଣ୍ଟୁ ପାଇକରାୟ। ମଣ୍ଟୁଠାରୁ ଚୋରି ସାମଗ୍ରୀ କିଣୁଥିବା ଅଭିଯୁକ୍ତମାନେ ହେଲେ, ନିମାପଡ଼ାର ଏସ୍.କେ ଜାଭେଦ୍, ଗୋପର ଆଲୋକ ବେହେରା ଓରଫ୍ ଆଲିଆ, ନିମାପଡ଼ାର ପ୍ରଦୀପ କୁମାର ଦାସ ଓ ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗିସାହିର ଭାଗବତ ପ୍ରସାଦ ମହାପାତ୍ର। ସେମାନଙ୍କଠାରୁ ୪୦ଟି ଦାମୀ ମୋବାଇଲ, ୨୩ଟି ଲାପଟପ୍, ୨ଟି ଏଲଇଡି ଟିଭି ଜବତ କରାଯାଇଛି। ମଣ୍ଟୁ ନାଁରେ ୪୦ରୁ ଅଧିକ ମାମଲା ଥିବା ବେଳେ ଦୀର୍ଘ ୫ ବର୍ଷ ହେଲା ପୁଲିସ ହାତ‌ରେ ଧରାପଡ଼ି ନଥିଲା।

‌ ଲୋକଙ୍କୁ ଆକ୍ରମଣ କରି ମୋବାଇଲ୍ ଓ ବାଇକ ଲୁଟପାଟ୍ କରି କମିସନରେଟ୍‌ ପୁଲିସର ନିଦ ହଜାଇ ଦେଇଥିବା ଅନ୍ୟ ଏକ ଗ୍ୟାଙ୍ଗକୁ ସ୍ପେସାଲ ସ୍କ୍ବାଡ୍ ଧରିଛି। ଏହି ଗ୍ୟାଙ୍ଗର ଦୁଇ ଲୁଟେରା ଓ ଚୋରି ସାମଗ୍ରୀ କିଣୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ୟୁନିଟ୍-୩ ମାଳିସାହିର ସଞ୍ଜୟ ବେହେରା ଓରଫ୍ ସଞ୍ଜି, ଚକେଇସିଆଣି ସାମନ୍ତନଗର ଅଞ୍ଚଳର ବଣ୍ଟି ଓରଫ୍ ରଞ୍ଜନ ଶତପଥୀ ଓ ଚନ୍ଦନ କୁମାର ପ୍ରଧାନ ଓରଫ୍ ଜିତୁ। ପୁଲିସ ସୂଚନା ଅନୁସାରେ, ସଞ୍ଜୟ ଓ ବଣ୍ଟି କିଛି ଦିନ ହେଲା ରାଜଧାନୀରେ ଆତଙ୍କ ଖେଳାଇଥିଲେ। ଭୋର ୪ଟାରୁ ୭ଟା ଭିତରେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଆକ୍ରମଣ କରି ମୋବାଇଲ ଓ ବାଇକ୍ ଲୁଟୁଥିଲେ। ଲୁଟ୍ ସାମଗ୍ରୀକୁ ଜିତୁକୁ ବିକ୍ରି କରୁଥିଲେ। ଏହି ଗ୍ୟାଙ୍ଗଠାରୁ ୩୦ଟି ମୋବାଇଲ ଓ ୯ଟି ବାଇକ୍ ଜବତ କରଯାଇଛି। ଏମାନେ ବିଶେଷକରି ଖାରବେଳନଗର, ସହିଦନଗର ଅଞ୍ଚଳରେ ଲୁଟପାଟ କରୁଥିଲେ। ୧୦ରୁ ଅଧିକ ଲୁଟ୍‌ପାଟ୍‌ରେ ଏମାନଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି।

ଗରିବ ଛାତ୍ର କିଣୁଥିଲେ ଲାପଟପ୍
ହଷ୍ଟେଲରୁ ଲାପଟପ୍ ଚୋରି କରି ଛାତ୍ରଙ୍କୁ ବିକ୍ରି କରୁଥିଲେ। ମଣ୍ଟୁ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ହଷ୍ଟେଲରୁ ଲାପଟପ୍ ଚୋରି କରିବା ପରେ ଚୋରା ସାମଗ୍ରୀ କିଣୁଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ବିକ୍ରି କରି ଦେଉଥିଲା। ସେମାନେ ବିଭିନ୍ନ ଛାତ୍ରଙ୍କୁ ଲାପଟପ୍ ବିକ୍ରି କରୁଥିଲେ। କିଛି ଗରିବ ଛାତ୍ର ଯେଉଁମାନେ ନୂଆ ଲାପଟପ୍ କିଣିବାକୁ ଅକ୍ଷମ ସେମାନେ ଚୋରା ସାମଗ୍ରୀ କିଣୁଥିବା ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରନ୍ତି। ୧୦ରୁ ୧୨ ହଜାର ଟଙ୍କାରେ ଲାପଟପ୍ କିଣି ବ୍ୟବହାର କରନ୍ତି। ସେହିଭଳି ଭାବେ ମୋବାଇଲ ମଧ୍ୟ ବିକ୍ରି କରନ୍ତି। ଏହି ଗ୍ୟାଙ୍ଗ ବିଶେଷ କରି ଛାତ୍ରଙ୍କୁ ଟାର୍ଗେଟ୍ କରନ୍ତି।

କେମିତି ଧରାପଡ଼ିଲା?
ଖଣ୍ଡଗିରି ଥାନାରୁ ଏକାଧିକ ଚୋରି ପରେ ଅପରେସନ୍ ଷ୍ଟାଇଲରୁ ଏହା ମଣ୍ଟୁର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଚୋରି ଫୋନକୁ ଟ୍ରାକ୍ କରିବା ଆରମ୍ଭ କରି ଦେଇଥିଲା ପୁଲିସ। ଟ୍ରାକ୍ କରି କରି ଗୋପରେ ପହଞ୍ଚିଥିଲା। ସେଠାରୁ ସୁରାକ୍ ପାଇ ପୁଲିସ ମଣ୍ଟୁକୁ ମାଡ଼ି ବସିଥିଲା। ମଣ୍ଟୁ ଗିରଫ ହେବା ପରେ ଚୋରି ସାମଗ୍ରୀ କିଣୁଥିବା ୪ଜଣଙ୍କୁ ପୁଲିସ ଧରିଥିଲା। ଏପରିକି ଚିଲିକାର ଏକ ଗାଁରେ ଚୋରି ସାମଗ୍ରୀ ଥିବା ଜାଣି ପୁଲିସ୍‌ ସେଠାରେ ଚଢ଼ଉ କରିଥିଲା। ବିପୁଳ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରିଥିଲା।

ଦେହରେ ତେଲ ବୋଳି ଚୋରି କରୁଥିଲା ମଣ୍ଟୁ
ମଣ୍ଟୁ ପାଇକରାୟ। ଘର ବରମୁଣ୍ଡା ପାଲାମଣ୍ଡପ ସାହି। ବୟସ ୩୮, କିନ୍ତୁ ତା’ଠାରୁ ଅଧିକ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଚୋରି, ଲୁଟ୍ ମାମଲାରେ ରହିଛି ମଣ୍ଟୁର ସମ୍ପୃକ୍ତି। କୁଖ୍ୟାତ ଚୋର ମଣ୍ଟୁର ଅପରେସନ୍‌ ଷ୍ଟାଇଲ୍ ରାଜଧାନୀର ଅନ୍ୟ ଲୁଟେରାମାନଙ୍କଠାରୁ ଅଲଗା। ଚୋରି କରିବାକୁ ଯିବା ପୂର୍ବରୁ ଦେହରେ ପ୍ରଥମେ ତେଲ କିମ୍ବା ଗ୍ଲି‌ସେରିନ୍ ବୋଳି ହେଉଥିଲା। କେବଳ ହାପ୍ ପ୍ୟାଣ୍ଟ ପିନ୍ଧି ଚୋରି କରିବାକୁ ଯାଉଥିଲା। ଧୁମ୍ ଫିଲ୍ମ ଭଳି ଯେଉଁ ଘରକୁ ଟାର୍ଗେଟ୍ କରୁଥିଲା, ସେହି ଘରେ ଚୋରି କରୁଥିଲା। ଯଦି ଗୋଟିଏ ଦୁଇ ମହଲା ଘରର ସମସ୍ତ କବାଟ ଝରକା ବନ୍ଦ ରହିଛି, ତାହାଲେ ଛାତ ଉପରେ ଚଢ଼ି ଶିଡ଼ି ଘର ଦେଇ ଭିତରେ ପଶୁଥିଲା। ଚୋରି କରି ଫେରାର୍ ହୋଇ ଯାଉଥିଲା। ବିଶେଷ କରି ମେସ୍ ଓ ହଷ୍ଟେଲକୁ ଟାର୍ଗେଟ୍ କରୁଥିଲା। ସେଠାରୁ ଲାପଟପ୍, ମୋବାଇଲ ଫୋନ୍ ଲୁଟି ନେଉଥିଲା। ଖାଲି ଘର କି ମେସ୍‌ ନୁହେଁ, ଗହଳି ଭିତରେ ପଶି ଆଖି ପିଛୁଳାକେ ମୋବାଇଲ ଲୁଟି ନେଉଥିଲା। ଚୋରି କରିବା ସମୟରେ ଯଦି କେହି ଧରୁଥିଲା, ତାହାଲେ ତେଲ ଲଗାଇଥିବାରୁ ସହଜରେ ଖସି ଯାଉଥିଲା। କେତେଥର ଲୋକଙ୍କ ହାବୁଡ଼ରେ ପଡ଼ି ଖସି ଯିବାର ନଜିର୍ ରହିଛି। ଏପରିକି ଦୁଇଥର ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲା ମଣ୍ଟୁ। କିନ୍ତୁ ଚକ୍‌ମା ଦେଇ ଫିଲ୍ମ ଷ୍ଟାଇଲରେ ଛାତକୁ ଛାତ ଡେଇଁ ଖସି ଯିବାକୁ ସଫଳ ହୋଇଥିଲା। ୫ବର୍ଷ ଧରି ପୁଲିସ ସହ ଲୁଚକାଳି ଖେଳ ପରେ ଶେଷରେ ପୁଲିସ ହାତରେ ଧରାପଡ଼ିଛି ମଣ୍ଟୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe