ଦୁଇ ଜଣଙ୍କୁ ଲୁଟିଲେ ଅନ୍‌ଲାଇନ୍‌ ଠକ : ପୁରସ୍କାର ଲୋଭ ଦେଖାଇ ନେଇଗଲେ ୮୯ ହଜାର

Advertisment
କୋମନାରେ ସାଇବର ଠକେଇ, ଟଙ୍କାଏ ଦେଇ ଲକ୍ଷାଧିକ ଲୁଟିନେଲେ

The Economic Times

ଭୁବନେଶ୍ବର : ନାକେଦମ୍‌ କଲେଣି ସାଇବର୍‌ ଠକ। ଏମିତି ନୂଆ ନୂଆ ଉପାୟ‌ରେ ଲୋକଙ୍କୁ ଲୁଟୁଛନ୍ତି ଯେ ପୁଲିସ୍‌ ତ ଛାଡ଼, ସାଇବର୍‌ ବିଶେଷଜ୍ଞଙ୍କ ମୁଣ୍ଡ ବି ଘୂରି ଯାଉଛି। ଆଜି ପୁରସ୍କାରର ଲୋକ ଦେଖାଇ ସାଇବର୍‌ ଠକ ରାଜଧାନୀର ଦୁଇଜଣ ଯୁବକଙ୍କୁ ଚୂନ ଲଗାଇଛି। ଉଭୟଙ୍କ ଆକାଉଣ୍ଟରୁ ମୋଟ ୮୯ ହଜାର ଟଙ୍କା ଲୁଟି ନେଇଛି। ଠକେଇର ଶିକାର ଯୁବକଦ୍ବୟ ହେଲେ, ଖାରବେଳନଗର ଥାନା ଅଞ୍ଚଳର ପ୍ରମୋଦ ରଥ ଓ ୟୁନିଟ୍‌-୫ ଅଞ୍ଚଳର ରାମଚନ୍ଦ୍ର ପୃଷ୍ଟି। ଏନେଇ ଖାରବେଳନଗର ଓ ସାଇବର୍‌ ଥାନାରେ ଦୁଇଟି ପୃଥକ୍‌ ଅଭିଯୋଗ ହୋଇଛି।

ଖାରବେଳନଗର ଥାନାରେ ପ୍ରମୋଦ କରିଥିବା ଅଭିଯୋଗ ଅନୁଯାୟୀ, ସେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ରୁ କିଛି ସାମଗ୍ରୀ ମଗାଇଥିଲେ। ତାଙ୍କ ପାଖରେ ଜିନିଷ ପହଞ୍ଚିବାର କିଛି ଦିନ ପରେ ଅର୍ଥାତ୍‌ ଗତ ମାସ ୨୩ ତାରିଖରେ ତାଙ୍କ ପାଖକୁ ଏକ ଫୋନ୍‌ ଆସିଲା। ଆମାଜନ୍‌ରୁ ଜିନିଷ କିଣିଥିବାରୁ ତାଙ୍କୁ କମ୍ପାନି ଏକ ଲକ୍ଷରୁ ଊର୍ଧ୍ବ ଟଙ୍କା ପୁରସ୍କାର ଆକାରରେ ଦିଆଯିବ ଏବଂ ଏଥିପାଇଁ ତାଙ୍କୁ ପଏଣ୍ଟ ରିଡିମ୍ କରିବାକୁ ପଡ଼ିବ ବୋଲି ବ୍ୟକ୍ତିଜଣଙ୍କ କହିଥିଲେ। ପ୍ରମୋଦ କିଛି ଦିନ ତଳେ ଆମାଜନ୍‌ରୁ ଜିନିଷ କିଣିଥିବାରୁ ଏହାକୁ ଅବିଶ୍ବାସ କରିପାରିନଥିଲେ। ପୁରସ୍କାର ଗ୍ରହଣ କରିବା ପାଇଁ ସେ ରାଜି ହୋଇଯାଇଥିଲେ। ଠକ ଗୁଗୁଲ୍‌ ପେ’ ଜରିଆରେ ତାଙ୍କ ମୋବାଇଲ୍‌କୁ ଏକ ଲିଙ୍କ ପଠାଇ ଏହାକୁ କ୍ଲିକ୍‌ କରିବା ପାଇଁ କହିଥିଲା। ପ୍ରମୋଦ ଠକର କହିବା ମୁତାବକ, ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଥରରେ ମୋଟ ୩୬ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ। ଖାରବେଳ ନଗର ଥାନା ପୁଲିସ ଅଭିଯୋଗକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଟଙ୍କା ମୁମ୍ବାଇର ବିବିଏସ୍‌ ବ୍ୟାଙ୍କ୍‌ରେ ଥିବା ଏକ ସେଭିଙ୍ଗ୍‌ସ୍‌ ଆକାଉଣ୍ଟକୁ ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରେ ଜାଣି ପାରିଛି। ଖାତାଧାରୀଙ୍କ ପରିଚୟ ମଧ୍ୟ ପୁଲିସ ପାଇଛି। ପ୍ରମୋଦଙ୍କ ଆକାଉଣ୍ଟ ଥିବା (ଆଇସିଆଇସିଆଇ) ବ୍ୟାଙ୍କ୍‌କୁ ପୁଲିସ ଚିଠି ଲେଖି ସମ୍ପୃକ୍ତ ଆକାଉଣ୍ଟରେ ଥିବା ଟଙ୍କା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି। ଖୁବ୍‌ଶୀଘ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଖାରବେଳ ନଗର ଥାନା ଇନ୍‌ସ୍‌ପେକ୍ଟର ଅରୁଣ ସ୍ବାଇଁ କହିଛନ୍ତି।

ଅନୁରୂପ ଢଙ୍ଗରେ ୟୁନିଟ୍‌ ୫ର ରାମଚନ୍ଦ୍ର ପୃଷ୍ଟିଙ୍କ ଆକାଉଣ୍ଟରୁ ମଧ୍ୟ ଜଣେ ସାଇବର ଠକ ଏକାଥରକେ ୫୩ ହଜାର ଟଙ୍କା ଲୁଟି ନେଇଛି। ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ସେ ଗୁଗୁଲ୍‌ ପେ’ ଜରିଆରେ ଆର୍ଥିକ କାରବାର କରନ୍ତି। ଆଜି ସକାଳେ ତାଙ୍କୁ ଏକ ଫୋନ୍‌ ଆସିଥିଲା। ନିଜକୁ ଗୁଗୁଲ୍‌ ପେ’ କଷ୍ଟମର କେୟାର ପରିଚୟ ଦେଇ ଅଜଣା ଯୁବକ ଜଣଙ୍କ ତାଙ୍କ ସହ କଥା ହୋଇଥିଲା। ଗୁଗୁଲ୍‌ ପେ’ ଜରିଆରେ ଅଧିକାଂଶ କାରବାର କରୁଥିବାରୁ ଆପଣଙ୍କୁ ୪ ହଜାର ଟଙ୍କାର ରିୱାର୍ଡ ପଏଣ୍ଟ ମିଳିଛି ବୋଲି ଠକ କହିଥିଲା। ଯୁବକଜଣକ ଠକ ବୋଲି ରାମଚନ୍ଦ୍ରଙ୍କର ସନ୍ଦେହ ହୋଇଥିଲେ ମଧ୍ୟ ତାଙ୍କ ଫୋନ୍‌ରେ ଥିବା ଟ୍ରୁ-କଲର୍‌ ଆପ୍‌ରେ ନମ୍ବରଟି ଗୁଗୁଲ୍‌ ପେ’ କଷ୍ଟମର କେୟାର ଦେଖାଇବାରୁ ସେ ଠକର କଥା ବିଶ୍ବାସ କରି ନେଇଥିଲେ। ତେଣୁ ସେ ଠକର କହିବାନୁଯାୟୀ ରିୱାର୍ଡ ରିଡିମ୍‌ କରିବାକୁ ଏକ ଲିଙ୍କ୍‌ ଉପରେ କ୍ଲିକ୍‌ କରିଥିଲେ। ଏହାର କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୫୩ ହଜାର କଟି ଯାଇଥିବା ମୋବାଇଲକୁ ମେସେଜ୍‌ ଆସିଥିଲା। ସେତେବେଳକୁ ଠକ ଫୋନ୍‌ କାଟି ସାରିଥିଲା। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ସାଇବର ପୁଲିସ ମଧ୍ୟ ଠକର ଆକାଉଣ୍ଟ ସମ୍ବନ୍ଧରେ ଜାଣିବାକୁ ପାଇଛି। ତାହା ମଧ୍ୟ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe