ପୁଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା: ନକଲି ଏଏସ୍ଓ ସମେତ ୨ ଜେଲ୍‌ ଗଲେ

Advertisment
ପୁଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା: ନକଲି ଏଏସ୍ଓ ସମେତ ୨ ଜେଲ୍‌ ଗଲେ

ଲୋକସେବା ଭବନର ଜାଲ୍ ପରିଚୟପତ୍ର, ୧୨ଏଟିଏମ୍ କାର୍ଡ, ଚୁକ୍ତିପତ୍ର ଜବତ
ବ୍ୟାଙ୍କ୍‌ ଆକାଉଣ୍ଟ ଅଚଳ, ଏବେ ବି ୨ ଫେରାର୍‌
ପରଦା ପଛରେ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ସନ୍ଦେହ
ଠକେଇର ଶିକାର ହୋଇଥିବା ଯୁବକଯୁବତୀ ଅଭିଯୋଗ କରନ୍ତୁ: ଇଓଡବ୍ଲୁ

ଭୁବନେଶ୍ବର : ପୁଲିସ୍‌ ସବଇନ୍ସପେକ୍ଟର, ସର୍ଜେଣ୍ଟ ଓ ସୁବେଦାର ଚାକିରି କରାଇଦେବା ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ କରିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସ୍ଓ) ପରିଚୟ ଦେଇ ଠକେଇ କରିଥିବା ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ଜୟପାଟଣା ଅଞ୍ଚଳର ବୈକୁଣ୍ଠନାଥ ନାୟକ ଓ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଗ୍ରେଡ୍ ରେକର୍ଡର ଭୀମସେନ୍‌ ମହାରଣାଙ୍କୁ ଗିରଫ କରିଛି ଇଓଡବ୍ଲୁ। ବୈକୁଣ୍ଠନାଥଠାରୁ ଜାଲ୍ ପରିଚୟପତ୍ର, ୧୨ଟି ଏଟିଏମ୍ କାର୍ଡ, ଟଙ୍କା କାରବାରର ଚୁକ୍ତିନାମା ଜବତ କରାଯାଇଛି। ଦୁଇଜଣଙ୍କୁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଠକେଇରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତ ଜୟନ୍ତ ମହାନ୍ତି ଓ କାଳନ୍ଦୀ ରାଉତ ଓରଫ୍ କାଳିଆ ଫେରାର୍‌ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଇଓଡବ୍ଲୁ ଟିମ୍ ଚଢ଼ଉ ଜାରି ରଖିଛି। ଯଦି କେହି ଚାକିରି ଆଶାୟୀ ଏମାନଙ୍କ ଦ୍ବାରା ଠକାମିର ଶିକାର ହୋଇଛନ୍ତି, ଇଓଡବ୍ଲୁ ନିକଟରେ ଲିଖିତ ଅଭିଯୋଗ କରିବା ପାଇଁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି।

publive-image

ସୂଚନାଯୋଗ୍ୟ, ଯୁଗ୍ମ ପୁଲିସ ସେବା (ସିପିଏସ୍ଇ)-୨୦୧୩ ପରୀକ୍ଷାର ଚୂଡ଼ାନ୍ତ ତାଲିକା ୨୦୧୬ ଡିସେମ୍ବର ୭ ତାରିଖରେ ପ୍ରକାଶ ପାଇଥିଲା। ୬୭ପଦ ଖାଲି ପଡ଼ିଥିବା ବେଳେ ନିୟମ ଅନୁସାରେ ସପ୍ଲିମେଣ୍ଟାରି ତାଲିକା ପ୍ରକାଶ ପାଇବା କଥା। ଭାଇଭା ଦେଇଥିବା ଆଶାୟୀମାନେ ବାରମ୍ବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ ଅଧ୍ୟକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ୨୦୨୦ ଫେବ୍ରୁଆରିରେ ଜଣେ ଆଶାୟୀଙ୍କ ସହ ଜୟନ୍ତଙ୍କ ଯୋଗାଯୋଗ ହୋଇଥିଲା। ଜୟନ୍ତ ନିଜକୁ ଡ୍ରାଇଭର୍‌ ପରିଚୟ ଦେବା ସହ ବହୁ ବିଧାୟକ, ଗୃହ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସହ ତା’ର ଭଲ ସମ୍ପର୍କ ରହିଥିବା କହିଥିଲା। ଏପରିକି ସପ୍ଲିମେଣ୍ଟାରି ତାଲିକା କେମିତି ପ୍ରକାଶ ପାଇବ, ସେ ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ସେ ମଞ୍ଚେଶ୍ବର ଅଞ୍ଚଳର କାଳନ୍ଦୀ ସହ ଆଶାୟୀମାନଙ୍କ ପରିଚୟ କରାଇଥିଲା। ଗୃହ ବିଭାଗର ଜଣେ ଅଧିକାରୀ ତା’ର ଚିହ୍ନା ଓ ଏ କାମ ସେ କରାଇଦେବ ବୋଲି କାଳନ୍ଦୀ କହିଥିଲା। ଏଥିପାଇଁ ସେ ଆଶାୟୀମାନଙ୍କଠାରୁ ପ୍ରଥମେ ୧ଲକ୍ଷ ୬୯ ହଜାର ଟଙ୍କା ନେଇଥିଲା। ପରେ ଲୋକସେବା ଭବନ ୫ନମ୍ବର ଫାଟକ ପାର୍କିଂ ନିକଟରେ ବୈକୁଣ୍ଠନାଥ ସହ ପରିଚୟ କରାଇଥିଲା। ବୈକୁଣ୍ଠ ନିଜକୁ ଗୃହ ବିଭାଗର ଏଏସ୍ଓ କହି ଏକ ପରିଚୟପତ୍ର ମଧ୍ୟ ଦେଖାଇଥିଲା। ଗୃହ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ତା’ର ଘନିଷ୍ଠ ସମ୍ପର୍କ ରହିଛି ଓ କେମିତି ସପ୍ଲିମେଣ୍ଟାରି ତାଲିକା ପ୍ରକାଶ ପାଇବ, ତାହା ତା’ର ଦାୟିତ୍ବ ବୋଲି କହିଥିଲା। ଏଥିପାଇଁ ଜଣେ ପ୍ରାର୍ଥୀ ପିଛା ଅତି କମ୍‌ରେ ୫ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ବୈକୁଣ୍ଠନାଥ ଆଶାୟୀମାନଙ୍କ ମନରେ ବିଶ୍ବାସ ଜନ୍ମାଇବା ସହ ୨୦୨୦ ମେ’ରୁ ନଭେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କ ଟ୍ରାନ୍‌ଜାକ୍‌ସନ୍, ନଗଦ ଆକାରରେ ଟଙ୍କା ନେଇଥିଲା। ଏପରିକି ଭୀମସେନ୍‌ଙ୍କୁ ବିଭାଗର ଉଚ୍ଚ ପଦାଧିକାରୀ ପରିଚୟ ଦେଇ ପ୍ରାର୍ଥୀମାନଙ୍କ ସହ ମିଳାମିଶା କରାଇଥିଲା।

ଭୀମସେନ୍‌ ଆକାଉଣ୍ଟକୁ ମଧ୍ୟ ୧୪ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ୧କୋଟି ୪୭ଲକ୍ଷ ଟଙ୍କା ନେଇସାରିବା ପରେ ମଧ୍ୟ ଦୀର୍ଘ ଦିନ ଧରି ସପ୍ଲିମେଣ୍ଟାରି ତାଲିକା ପ୍ରକାଶ ନପାଇବାରୁ ପ୍ରାର୍ଥୀମାନେ ବୈକୁଣ୍ଠକୁ ଫୋନ୍ କରିଥିଲେ। କିନ୍ତୁ ସେ ଧରାଛୁଆଁ ଦେଇ ନଥିଲା। ଗତ ୯ ତାରିଖରେ ଠକେଇର ଶିକାର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗଡ଼ରୋଡଙ୍ଗ ଅଞ୍ଚଳର ବାଦଲ କୁମାର ରାଉଳ ଲିଖିତ ଅଭିଯୋଗ କରିବା ପରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe