ପରୀକ୍ଷା ବାତିଲ୍‌ ଦାବିରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ : ‘ଆମର ପରୀକ୍ଷା ଦେବାକୁ ଇଚ୍ଛା ନାହିଁ’

Advertisment

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ, ମନ୍ତ୍ରୀ କହିଲେ ଜୁନ୍‌ ପ୍ରଥମ ସପ୍ତାହରେ ନିଷ୍ପତ୍ତି

ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ, ମନ୍ତ୍ରୀ କହିଲେ ଜୁନ୍‌ ପ୍ରଥମ ସପ୍ତାହରେ ନିଷ୍ପତ୍ତି

ପରୀକ୍ଷା ବାତିଲ୍‌ ଦାବିରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ : ‘ଆମର ପରୀକ୍ଷା ଦେବାକୁ ଇଚ୍ଛା ନାହିଁ’

ଭୁବନେଶ୍ବର: ‘ସମସ୍ତଙ୍କ ପରୀକ୍ଷା ବାତିଲ୍‌ ହୋଇସାରିଲାଣି। ଆମର କାହିଁକି ପକାଇ ରଖିଛନ୍ତି। ସେମାନେ ସବୁ ଆପଣଙ୍କ ପିଲା, ଆମେ କ’ଣ ପିଲା ନୋହୁଁ। ସେମାନଙ୍କର ଭବିଷ୍ୟତ ଅଛି ଆମର ଆଉ ଭବିଷ୍ୟତ ନାହିଁ। ପଢ଼ିବା ପାଇଁ ଆମ ବାପା ମା’ କ’ଣ ଆମକୁ ପଇସା ଦେଉନାହାନ୍ତି। ଯେତେଶୀଘ୍ର ସମ୍ଭବ ଆମ ପରୀକ୍ଷା ବାତିଲ୍‌ କର। ନ ହେଲେ ଯାହା ନିଷ୍ପତ୍ତି ନେଉଛ ତୁରନ୍ତ ନିଅ। ଆମେ ମାନସିକ ଅଶାନ୍ତିରେ ରହୁଛି। ପରୀକ୍ଷା ଦେବାକୁ ଆମର ଆଉ ଇଚ୍ଛା ନାହିଁ।’

ମାଟ୍ରିକ୍‌ ପରୀକ୍ଷା ବାତିଲ ହେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ‌ ପରୀକ୍ଷା ଦେବାକୁ ଥିବା ଯୁକ୍ତ୨ ଛାତ୍ରଛାତ୍ରୀ ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଭୁବନେଶ୍ବରରେ ଥିବା ୭ରୁ ଅଧିକ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରୀକ୍ଷା ବାତିଲ୍‌ କରିବା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବି‌କ୍ଷୋଭ ପ୍ରଦର୍ଶନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଯୁକ୍ତ୨ ପରୀକ୍ଷା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବନି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଜୁନ୍‌ ପ୍ରଥମ ସପ୍ତାହରେ ସ୍ଥିତିର ସମୀକ୍ଷା କରାଯିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ପିଲା ବର୍ତ୍ତମାନ ଘରେ ରହି ପାଠ ପଢ଼ନ୍ତୁ। ଠିକ୍‌ ସମୟରେ ପରୀକ୍ଷା ସମ୍ବନ୍ଧରେ ସଠିକ୍‌ ନିଷ୍ପତ୍ତି ନିଆଯିବ।

ତେବେ ଶିକ୍ଷାବିତ୍‌ଙ୍କ ମତ ହେଉଛି ଯେ ଯୁକ୍ତ୨ ପରୀକ୍ଷା ବାତିଲ୍‌ କରିବା ଠିକ୍‌ ହେବ ନାହିଁ। ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ନିର୍ଭର ‌କରେ। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ଗ୍ରହଣ ଲାଗି ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରେ ବି ଯୁକ୍ତ୨ ମାର୍କର ଆବଶ୍ୟକତା ବେଶି ରହୁଛି। ତେଣୁ କମ୍‌ ମାର୍କ ହେଲେ ମଧ୍ୟ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଇବା ଠିକ୍‌ ହେବ ନାହିଁ।

ଅନ୍ୟପକ୍ଷରେ ମାଟ୍ରିକ୍‌ ପରୀକ୍ଷା ବାତିଲ୍‌ ହେବା ପରେ ଆଜି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି। ସେମାନେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଠିକ୍‌ ଭାବେ ବୁଝିବା ସହ ପରୀକ୍ଷା ବାତିଲ୍‌ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ‌କୃତଜ୍ଞତା ଜଣାଉଛୁ। ଏଭଳି ନିଷ୍ପତ୍ତି ଦ୍ବାରା ଭବିଷ୍ୟତ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇପାରିବୁ। ପରୀକ୍ଷାଫଳ ପ୍ରକାଶ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe