ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ୍ୟୁ ଘଟଣା, ଦୁଇ ପ୍ରଶିକ୍ଷକଙ୍କୁ ନିଲମ୍ବନ

Advertisment
ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ୍ୟୁ ଘଟଣା, ଦୁଇ ପ୍ରଶିକ୍ଷକଙ୍କୁ ନିଲମ୍ବନ

HomeAway

ଭୁବନେଶ୍ୱର : ଭୁବନେଶ୍ବର କ୍ଲବ୍‌ ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ୍ୟୁ ଘଟଣାରେ କ୍ଲବ କର୍ତ୍ତୃପକ୍ଷ ଦୁଇଜଣ ପ୍ରଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ଏହି ନିଲମ୍ବନ କରାଯାଇଥିବା କ୍ଲବ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍ପଷ୍ଟ କରିଛନ୍ତି। ମୃତ ଛାତ୍ରଜଣକ କ୍ଲବର ସଦସ୍ୟ ହୋଇ ନଥିଲେ ମଧ୍ୟ କିଭଳି ଭିତରେ ପ୍ରବେଶ କଲେ ସେଥିପାଇଁ ପ୍ରଶିକ୍ଷକଙ୍କୁ ଦାୟୀ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅପରପକ୍ଷେ ମୃତ ଛାତ୍ରଙ୍କ ମା’ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ପୁଲିସ ଭୂମିକା ସନ୍ଦେହଘେରକୁ ଆସିଛି। ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ପୁଲିସ ମୃତକଙ୍କ ମା’କୁ ଏତଲା କପି ଦେଉନାହିଁ। ପୁଅ ମରିବା ଦୁର୍ଘଟଣା ନୁହେଁ, ବରଂ ଏହା ଏକ ସୁପରିକଳ୍ପିତ ହତ୍ୟ‌ାକାଣ୍ଡ ବୋଲି ସନ୍ଦୀପଙ୍କ ମା’ ଅଭିଯୋଗ କରିଛନ୍ତି। ‌ସେ କହିଛନ୍ତି, ୧୫ଦିନ ଧରି ସେ ଟଙ୍କା ଦେଇ ଆଡ୍‌ମିସନ କରିଥିଲେ ମଧ୍ୟ ତାଙ୍କ ନାମ ଆଡ୍‌ମିସନ ରେଜିଷ୍ଟର୍‌ରେ ଚଢ଼ା ଯାଇ ନଥିଲା। ଏବେ ଲାଗୁଛି କି ଏହାକୁ ଜାଣି ଜାଣି କରାଯାଇନଥିଲା। ଯେଭଳି ଏଠାରେ ମୃତ୍ୟୁ ହୋଇ ନାହିଁ ବୋଲି ଦେଖାଇ ହେବ, ସେ ନେଇ ପୂର୍ବରୁ ବ୍ୟବସ୍ଥା କରାଯାଇଥିଲା। ଏବେ ପୁଲିସ ଏତଲା କପି ଦେଉନାହିଁ କି ପୋଷ୍ଟ ମର୍ଟମ ରିପୋର୍ଟ ମଧ୍ୟ ଆସୁନାହିଁ। ଏଣୁ ‌ସନ୍ଦେହ ହେଉଛି।

ଏଣେ ପୁଲିସ କହିଛି, ଏତଲା କପି ପ୍ରସ୍ତୁତ ରହିଛି। ଯେକୌଣସି ସମୟ‌ରେ ଅଭିଯୋଗକାରୀ ଏତଲା କପି ନେଇପାରନ୍ତି। କିନ୍ତୁ ମାମଲା ରୁଜୁ ହେବା ବେଳେ ଏତଲା କପି ଦେବା ପାଇଁ ଯେଉଁ ବ୍ୟବସ୍ଥା ରହିଛି କାହିଁକି ଦିଆଗଲା ନାହିଁ ତାହାକୁ ଏଡ଼ାଇ ଯାଇଛନ୍ତି ଥାନା ଆଇଆଇସି ଗିରିଜା ଚକ୍ରବର୍ତ୍ତୀ। ଅନ୍ୟପଟେ କେଉଁ ପରିସ୍ଥିତିରେ ସନ୍ଦୀପଙ୍କର ମୃତ୍ୟୁ ଘଟିଲା? ସିସିଟିଭିରେ ଏହାର ପ୍ରମାଣ କିଭଳି ରହିଲା ନାହିଁ? ସନ୍ଦୀପକୁ ପହଁରା କିଏ ଶିଖାଉଥିଲା? ଘଟଣା ଘଟିବା ସମୟରେ ଆଉ କିଏ କିଏ ଥିଲେ? ପହଁରା ଶିଖିବା ପାଇଁ ଆସିଥିବା ଅନ୍ୟପିଲାମାନେ କୁଆଡ଼େ ଯାଇଥିଲେ? ଏଭଳି ଅନେକ ପ୍ରଶ୍ନ ଏବେ ସନ୍ଦୀପଙ୍କ ମୃତ୍ୟୁକୁ ରହସ୍ୟମୟ କରିଛି।

ସୂଚନା ମୁତାବକ, ଗତ ୪ ତାରିଖ ସକାଳେ ଭୁବନେଶ୍ବର କ୍ଲବ ପରିସରରେ ଥିବା ସୁଇମିଂ ପୁଲ୍‌ରେ ଡୁମୁଡୁମାର ସନ୍ଦୀପ ସାହୁ ବୁଡ଼ି ପ୍ରାଣ ହରାଇଥିଲେ। ସେ ବାପ ମା’ଙ୍କର ଏକମାତ୍ର ପୁତ୍ର ଥିଲେ। ବାପା ଜଣେ ଟ୍ରକ୍‌ ଡ୍ରାଇଭର ଥିଲେ। ସନ୍ଦୀପ ପହଁରା ଶିଖି ଜଣେ ଭଲ ପହଁରାଳି ହୋଇ ଜାତୀୟସ୍ତରରେ ନାଁ କରିବାକୁ ଇଚ୍ଛା‌ କରିଥିଲେ। ଭୁବନେଶ୍ବର‌ର କ୍ଲବରେ ଟ୍ରେନର୍‌ ଥିବା ବୈକୁଣ୍ଠ ସନ୍ଦୀପଙ୍କ ମା’ଙ୍କର ପରିଚିତ ଥିଲେ। ଏଣୁ ସେ ବୈକୁଣ୍ଠଙ୍କ ସହ ଯୋଗାଯୋଗ କରି ସନ୍ଦୀପଙ୍କୁ ଭୁବନେଶ୍ବର କ୍ଲବ ପଠାଇଥିଲେ। ୪ ତାରିଖ ସକାଳ ୯ଟା ବେଳେ ତାଙ୍କର ଶବ ସୁଇମିଂ ପୁଲ୍‌ରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe