ସ୍ବେରେଜ ଟାଙ୍କିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଠିକା କମ୍ପାନିକୁ ପୁଲିସର ଅନୁକମ୍ପା

Advertisment

ସବୁ ଭୁଲ୍ ଥାଇ ବି ମାଫ୍, ଅପମୃତ୍ୟୁ ମାମଲାରେ ସନ୍ତୁଷ୍ଟ

ସବୁ ଭୁଲ୍ ଥାଇ ବି ମାଫ୍, ଅପମୃତ୍ୟୁ ମାମଲାରେ ସନ୍ତୁଷ୍ଟ

ସ୍ବେରେଜ ଟାଙ୍କିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଠିକା କମ୍ପାନିକୁ ପୁଲିସର ଅନୁକମ୍ପା

DNA India

ଭୁବନେଶ୍ବର : ସାମାନ୍ୟତମ ସୁରକ୍ଷା ବ୍ୟବସ୍ଥା ନ ଥିଲା। ଶ୍ରମିକଙ୍କୁ ମୃତ୍ୟୁଯନ୍ତାକୁ ଠେଲି ଦେଇଥିଲା ଠିକା କମ୍ପାନି। ସ୍ବେରେଜ ଟାଙ୍କି ମ୍ୟାନ୍‌ହୋଲ୍‌ରେ କାମ ଚାଲୁଥିବା ବେଳେ ଦୁଇ ଶ୍ରମିକଙ୍କ ଜୀବନ ଚାଲିଗଲା। ପରିବାରଠାରୁ ଦୂରରେ ରହି ରୋଜଗାର କରି ଟଙ୍କା ପଠାଇଲେ ଘର ଚଳୁଥିଲା। ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ଠିକା କମ୍ପାନିର ଅବହେଳା ସାମ୍ନାକୁ ଆସିଥିଲା। ଯାହା ଫଳରେ ଦୁଇ ଜଣଙ୍କ ଜୀବନ ଯାଇଥିଲା ବୋଲି ଜଣାପଡ଼ିଥିଲା। କିନ୍ତୁ ବଡ଼ଗଡ଼ ଥାନା ପୁଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ହାତ ବାନ୍ଧି ବସି ପଡ଼ିଛି। ଠିକା କମ୍ପାନି ବିରୋଧରେ କୌଣସି ମାମଲା ରୁଜୁ ହୋଇ ନାହିଁ କିମ୍ବା ସେ ଦିଗରେ ତଦନ୍ତ ମଧ୍ୟ ହୋଇନାହିଁ। ପୁଲିସର ଏଭଳି ଅନୁକମ୍ପା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଟଙ୍କପାଣି ରୋଡର ବ୍ରହ୍ମେଶ୍ବରବାଗରେ ସ୍ବେରେଜ୍ କାମ ଚାଲୁଥିବା ବେଳେ ମ୍ୟାନ୍‌ହୋଲ୍‌ରେ ପଶିଥିବା ଦୁଇ ଶ୍ରମିକ ସୁନାକର ସରକାର ଓ ସ୍ବରୂପ ବେଉରିଆଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସ୍ବେରେଜ ବୋର୍ଡର ଏହି କାମ ଠିକା ସଂସ୍ଥା ଲକ୍ଷ୍ମୀ କନଷ୍ଟ୍ରକସନ୍ ନେଇଥିଲା। ମ୍ୟାନ୍‌ହୋଲ୍‌ରେ ପଶି କାମ କରିବା ପାଇଁ ଉଦ୍ଦିଷ୍ଟ ଗାଇଡ୍‌ଲାଇନ୍‌କୁ ପାଳନ କରି ନ ଥିବା ପୁଲିସ ଜାଣିବାକୁ ପାଇଥିଲା। କିନ୍ତୁ ପୁଲିସ କାହିଁକି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ? ଠିକା ସଂସ୍ଥାର ଅବହେଳା ପାଇଁ ଦୁଇଜଣଙ୍କର ଜୀବନ ଯାଇଥିଲେ ମଧ୍ୟ କାହିଁକି ମାମଲା ରୁଜୁ କଲା ନାହିଁ ପୁଲିସ? ଘଟଣାସ୍ଥଳରେ ଉପସ୍ଥିତ ଥିବା ଠିକା ସଂସ୍ଥା ଅଧିକାରୀ କାହିଁକି ପଳାଇଲେ? ଦାୟିତ୍ବରେ ଥିବା ସ୍ବେରେଜ ବୋର୍ଡ ଅଧିକାରୀଙ୍କ ଭୂମିକା କଣ? ଏ ସବୁ ଦିଗକୁ ତର୍ଜମା କଲେ ପୁଲିସର ଭୂମିକା ସନ୍ଦେହ ପରିସରକୁ ଟାଣି ହୋଇ ଆସୁଛି। ଅନ୍ୟପକ୍ଷରେ ଦୁଇ ମୃତକଙ୍କ ପରିବାର ଲୋକ କାଲି ରାତିରେ ପହଞ୍ଚିଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ଓ ଯେଉଁମାନଙ୍କ ଅବହେଳାର ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡ଼ଗଡ଼ ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe