ଅଘୋଷିତ ବିଦ୍ୟୁତ୍‌ କାଟରୁ ବଢ଼ୁଛି ଅସନ୍ତୋଷ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଅଘୋଷିତ ବିଦ୍ୟୁତ୍‌ କାଟରୁ ବଢ଼ୁଛି ଅସନ୍ତୋଷ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

Inst Tools

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଅଘୋଷିତ ବିଦ୍ୟୁତ କାଟ। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଦ୍ୟୁତ କାଟ ଯୋଗୁଁ ପାଣି ସମସ୍ୟା ଉତ୍କଟ ହେଉଛି। ପ୍ରବଳ ଗରମରେ ମଣିଷ, ଗୋରୁଗାଈ ସମେତ ଜୀବଜନ୍ତୁ ସନ୍ତୁଳି ହେଉଛନ୍ତି। ବର୍ଷସାରା ଫିଡର ମରାମତି ହେଉଛି। ଅଥଚ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଲାଇନ କଟୁଛି। ସାମାନ୍ୟ ପବନ ହେଲେ ଲାଇନ କଟି ଯାଉଛି। କିଛି ଦିନ ହେଲା କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ବିଭ୍ରାଟ ହେଉଛି। ଅପରାହ୍ନରୁ କଟି ବିଳମ୍ବିତ ରାତି ଆଉ କେଉଁଠି ପର ଦିନ ଲାଇନ ଆସୁଛି। ଗରମ ଓ ଅନ୍ଧାରରେ ଲୋକେ ହନ୍ତସନ୍ତ ହେଉଛନ୍ତି। ହେଲେ ବିଦ୍ୟୁତ ବିଭାଗ ବେଫିକର। ବାଲିପାଟଣା ଓ ବନମାଳିପୁର ସବଷ୍ଟେସନରେ ଗ୍ରାହକ ବିଦ୍ୟୁତ କାଟ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି।

ମରାମତି ଆଳରେ ଲାଇନ ମ୍ୟାନ ଫିଡରକୁ ଦୀର୍ଘ ସମୟ ବନ୍ଦ କରି ରଖୁଛନ୍ତି। ଘରେ ବିଛଣା, ଖଟ ତାତି ଯାଉଛି। ଲୋକେ ଗଛ ମୂଳ ଛାଇରେ ସମୟ ବିତାଉଛନ୍ତି। ସେହିପରି ପୋଖରୀ, କେନାଲ ଶୁଖିଲା ପଡ଼ିଛି। ଅପରପକ୍ଷରେ ଲାଇନ କଟିଲେ ଉପଭୋକ୍ତାଙ୍କୁ ସୂଚନା ଦିଆଯାଉ ନାହିଁ। କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୌଣସି ସୁବିଧା ଉପଲବ୍ଧ ନାହିଁ। ପୂର୍ବରୁ ଲ୍ୟାଣ୍ଡ ଲାଇନ ଏବଂ ମୋବାଇଲରେ ଫୋନ କଲେ ସୂଚନା ମିଳୁଥିଲା। କିଛି ଦିନ ହେଲା ଏହି ସେବା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବିଦ୍ୟୁତ କାଟ ଯୋଗୁଁ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଲୋକେ ଖରା ଦିନେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ସେହିପରି ମେଡିକାଲରେ ରୋଗୀ ଛଟପଟ ହେଉଛନ୍ତି। ଗତ କିଛି ଦିନ ତଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ଅପରାହ୍ନରୁ କଟି ତା’ପରଦିନ ଆସିଥିଲା। ମେଡିକାଲ ଅଫିସର ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ବହୁ ବାର ଫୋନ କରିଥିଲେ। ହେଲେ ଅଧିକାରୀ ଫୋନ ଉଠାଇ ନ ଥିବା ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା କହିଛନ୍ତି। ସେହିପରି ବିଦ୍ୟୁତ କାଟ ଯୋଗୁ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଯଥା ତହସିଲ, ଥାନା, ବ୍ଲକ, ବ୍ୟାଙ୍କ ଆଦିରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅଘୋଷିତ ବିଦ୍ୟୁତ କାଟ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe