ଭୁବନେଶ୍ବର: ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପଳାଶୁଣୀରୁ ପାହାଳ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ହୋଇଥିଲା। କଟକରୁ ଭୁବନେଶ୍ବର ଆଡ଼କୁ ଆସୁଥିବା ଶହଶହ ଗାଡ଼ି ଅଟକି ଯାଇଥିଲା। ପୂର୍ବରୁ କୌଣସି ନୋଟିସ୍ ନଥିବାବେଳେ ହଠାତ୍ ଏଭଳି ସ୍ଥିତି ଉପୁଜିବାରୁ କେହି କିଛି ବୁଝି ନପାରି ଫସିଗଲେ। ବିକଳ୍ପ ବାଟ ନ ପାଇ ଲୋକେ ଗାଡ଼ି ଭିତରେ ଲୋକମାନେ ଏକପ୍ରକାର ବନ୍ଦୀ ହୋଇଯାଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଆମ୍ବୁଲାନ୍ସ ମଧ୍ୟ ଭିଡ଼ରେ ଫସି ଅଟକିଯାଇଥିଲା। ବହୁ ସମୟ ପରେ ଗାଡ଼ିଗୁଡ଼ିକୁ ବାଟ ମିଳିଥିଲା ଏବଂ ଧୀରେଧୀରେ ସେମାନେ ଆଗକୁ ବଢ଼ିଥିଲେ। ତଥାପି ୧ କିମି ରାସ୍ତାକୁ ଅତିକ୍ରମ କରିବାକୁ ୨୦ରୁ ୩୦ ମିନିଟ୍ ସମୟ ଲାଗିଥିଲା। ରସୁଲଗଡ଼ ଫ୍ଲାଏଓଭର୍ ବ୍ରିଜ୍ରେ ମରାମତି କାମ ଚାଲିଥିବାରୁ କେବଳ ଗୋଟିଏ ଲେନ୍ରେ ଗାଡ଼ି ଚଳାଚଳ କରିବାକୁ ଦିଆଯାଉଛି, ତେଣୁ ଏଭଳି ସ୍ଥିତି ଉପୁଜିଥିଲା।
ପଳାଶୁଣୀରୁ ପାହାଳ ପର୍ଯ୍ୟନ୍ତ ଭିଡ଼
୩ ଘଣ୍ଟାକାଳ ଫସିରହିଲେ
ରସୁଲଗଡ଼ ଓଭରବ୍ରିଜ୍ରେ ମରାମତି ଆରମ୍ଭ
ପଳାଶୁଣୀ ଓ ପାହାଳରେ ୩ ଦୁର୍ଘଟଣା
୩ ଘଣ୍ଟାକାଳ ଫସିରହିଲେ
ରସୁଲଗଡ଼ ଓଭରବ୍ରିଜ୍ରେ ମରାମତି ଆରମ୍ଭ
ପଳାଶୁଣୀ ଓ ପାହାଳରେ ୩ ଦୁର୍ଘଟଣା
ସୂଚନାନୁସାରେ ରସୁଲଗଡ଼ ଓଭରବ୍ରିଜ୍ ମରାମତି କାମ ଆଜି ଠାରୁ ଆରମ୍ଭ ହୋଇଛି। ପ୍ରାୟ ୧୫ ଦିନ ବା ତା’ଠାରୁ ଅଧିକ ଦିନ ଧରି ଏହି ମରାମତି କାର୍ଯ୍ୟ ଚାଲିବ। ତେଣୁ ଓଭରବ୍ରିଜ୍ ରାସ୍ତାର ଅଧା ବନ୍ଦ କରାଯାଇ ମରାମତି କାର୍ଯ୍ୟ କରାଯାଉଛି। ଗୋଟିଏ ଲେନ୍ରେ ଗାଡ଼ି ଚଳାଚଳ କରୁଛି। ଏହାସହିତ ଆଜି ପଳାଶୁଣୀ ଛକ ନିକଟରେ ଗୋଟିଏ ଗାଡ଼ି ଲିକ୍ ହେବା ଫଳରେ ଗାଡ଼ିଟି ରାସ୍ତା ଉପରେ ଅଟକି ଯାଇଥିଲା। ସେହିଭଳି ଆଉ ଏକ ଟ୍ରକ୍ ବ୍ରେକ୍ ଡାଉନ୍ ହୋଇଯାଇଥିଲା। ପାହାଳରେ ମଧ୍ୟ ଏକ ଛୋଟ ଧରଣର ଦୁର୍ଘଟଣା ହୋଇଥିଲା। ଏହାଦ୍ବାରା ରାସ୍ତା ଉପରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଜାତୀୟ ରାଜପଥ ପ୍ରାଧିକରଣ କ୍ରେନ୍ ଯାଇ ଗାଡ଼ି ହଟାଇବାକୁ ପ୍ରାୟ ଅଧ ଘଣ୍ଟା ସମୟ ନେଇଥିଲା। ଏକକାଳୀନ ବହୁତ ଗାଡ଼ି ଆସିବାରୁ ଅଣଓସାରିଆ ପଳାଶୁଣୀ ଓଭରବ୍ରିଜ୍ ଉପରେ ଗାଡ଼ି ଜାମ୍ ହୋଇଯାଇଥିଲା। ତେଣୁ ପଛକୁ ପଛ ଟ୍ରାଫିକ୍ ଜାମ୍ ହୋଇଗଲା।
ରାଜଧାନୀର ପ୍ରବେଶଦ୍ବାର ପଳାଶୁଣୀ ଛକ ପୂର୍ବରୁ ୪ ଲେନ୍ ବିଶିଷ୍ଟ ରହିଛି। ତେଣୁ ୬ ଲେନ୍ରୁ ଗାଡ଼ି ୪ ଲେନ୍ ଦେଇ ଯା’ଆସ କଲା ବେଳେ ଜାମ୍ ହେଉଛି। ଆଜି ମାତ୍ର ୨ ଲେନ୍ରେ ସହର ମଧ୍ୟକୁ ଗାଡ଼ି ପ୍ରବେଶ କରିବାରୁ ବଟଲ୍ ନେକ୍ ରୋଡ୍ ସ୍ଥିତି ଉପୁଜିଲା। ପଳାଶୁଣୀ ବ୍ରିଜ୍କୁ ୬ ଲେନ୍ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ହେଁ କାମ ଆରମ୍ଭ ହୋଇପାରିନାହିଁ। ଏବେ ବ୍ରିଜ୍ ତଳୁ ଜବରଦଖଲ ଉଚ୍ଛେଦ କରାଯାଇଛି। ତେଣୁ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ଭୁବନେଶ୍ବରବାସୀ ଆଶାବାଦୀ ରହିଛନ୍ତି। ଏନେଇ ଟ୍ରାଫିକ୍ ଡିସିପି ତପନ ମହାନ୍ତି କହିଛନ୍ତି ଯେ ପଳାଶୁଣୀ ବଟଲ୍ ନେକ୍ ବ୍ରିଜ୍ ପାଇଁ ଜାମ୍ ହେଉଛି। ଫ୍ଲାଏଓଭର ବ୍ରିଜ୍ ମରାମତି ପାଇଁ ଅଣଓସାରିଆ ରାସ୍ତାରେ ଯେମିତି କେହି ଅଟକି ରହିବେ ନାହିଁ, ବ୍ରିଜ୍ ପୂର୍ବରୁ ଓ ବ୍ରିଜ୍ ଉପରେ ଟ୍ରାଫିକ ପୁଲିସ ନିୟୋଜିତ କରାଯାଉଛି। ଗାଡ଼ି ବ୍ରେକ୍ ଡାଉନ୍ ହେଲେ ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ କ୍ରେନ୍ ମଧ୍ୟ ରଖାଯାଇଛି। ଟ୍ରାଫିକ୍ ଜାମ୍ ଏଡ଼ାଇବା ପାଇଁ ଟ୍ରାଫିକ ପୁଲିସ୍ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/daggdadgzvvc-2025-12-14-02-48-24.jpg)