ବେଲଗାମ ସିନ୍ଧିଚୋର, ପୁଲିସ ଜଳକା: ଝରକା ତାଡ଼ି ପଶିଲେ, ୨୦୦ ଗ୍ରାମ୍‌ ସୁନା ସହ ୧ଲକ୍ଷ ଟଙ୍କା ଲୁଟିନେଲେ

ରାଜଧାନୀରେ ଦେଖିବାକୁ ମିଳିଛି ପୁଣି ଏକ ବଡ଼ଧରଣର ସିନ୍ଧିଚୋରି। ଗତକାଲି ରାତିରେ ସିନ୍ଧିଚୋରିପ୍ରବଣ ଧଉଳି ଅଞ୍ଚଳରେ ଜଣକ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।

loot1

ଧଉଳି: ରାଜଧାନୀରେ ଦେଖିବାକୁ ମିଳିଛି ପୁଣି ଏକ ବଡ଼ଧରଣର ସିନ୍ଧିଚୋରି। ଗତକାଲି ରାତିରେ ସିନ୍ଧିଚୋରିପ୍ରବଣ ଧଉଳି ଅଞ୍ଚଳରେ ଜଣକ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ପ୍ରମୋଦ ଜେନା ଅଭିଯୋଗ କରିବା ପରେ ଧଉଳି ଥାନା ପୁଲିସ ଚିରାଚରିତ ଢଙ୍ଗରେ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପୂର୍ବର ସବୁ ମାମଲା ଭଳି ଏଥର ବି ହାତ ଖାଲି। 

ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଗଙ୍ଗୋତ୍ରୀନଗର ଲେନ୍‌-୧ରେ ରହିଛି ପ୍ରମୋଦଙ୍କ ଘର। ପ୍ରମୋଦଙ୍କ ବଡ଼ପୁଅ ସତ୍ୟବ୍ରତ ଗତକାଲି ସକାଳେ ପତ୍ନୀଙ୍କ ସହିତ ଦିଘା ବୁଲିବାକୁ ଯାଇଥିଲେ। ତେଣୁ ସତ୍ୟବ୍ରତଙ୍କ ବେଡ୍‌ ରୁମ୍‌ ତାଲା ପଡ଼ି ବନ୍ଦଥିଲା। ରାତିରେ ସାନପୁଅ ସୁବ୍ରତ ପାଖ ଘରେ ଶୋଇଥିଲେ ଏବଂ ପ୍ରମୋଦ ଓ ତାଙ୍କ ପତ୍ନୀ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ଆଜି ସକାଳୁ ପରିବାର ଲୋକେ ଉଠିବା ପରେ ମୁଖ୍ୟ କବାଟ ଖୋଲିବାକୁ ବାହାରିଥିଲେ। କିନ୍ତୁ କବାଟ ବାହାର ପଟୁ ବନ୍ଦ ଥିବା ଦେଖି ସେମାନେ ଘରକୁ ଚୋର ପଶି ଆସିଥିବା ସନ୍ଦେହ କରିଥିଲେ। କିନ୍ତୁ ସତ୍ୟବ୍ରତଙ୍କ ରୁମ୍‌ ତାଲା ପଡ଼ି ବନ୍ଦ ଥିବାରୁ ସେମାନେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ମୁଖ୍ୟ କବାଟ ଖୋଲି ସେମାନେ ବାହାରକୁ ଯିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ସତ୍ୟବ୍ରତଙ୍କ ରୁମ୍‌ର ଝରକା ତଡ଼ା ହୋଇ ତଳେ ପଡ଼ିଥିଲା। ଝରକା ବାଟେ ସେମାନେ ଦେଖିଲେ ଯେ ଆଲ୍‌ମିରା ଭଙ୍ଗା ଯାଇଛି। ତେଣୁ ଚୋରି ହୋଇଥିବା ନିଶ୍ଚିତ ହୋଇ ସେମାନେ ଧଉଳି ଥାନାକୁ ଜଣାଇଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚିବା ପରେ ଘରର ତାଲା ଖୋଲାଯାଇଥିଲା।

ଜଣାପଡ଼ିଲା ଯେ ଆଲ୍‌ମିରାରୁ ୩ଟି ହାର, ୫ ହଳ କାନଫୁଲ, ୨ଟି ବଡ଼ ଚେନ୍‌, ୬ଟି ମୁଦି ଆଦି ଗହଣା ସହିତ ନଗଦ ଲକ୍ଷେ ଟଙ୍କା ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ପଛପଟ ପାଚେରି ଡେଇଁ ପଶିବା ପରେ ଝରକାକୁ ତାଡ଼ି ତଳେ ରଖିଦେଇଥିଲେ। ଏହାପରେ ସେମାନେ ଘର ଭିତରେ ପଶି ବେଶ୍ ସହଜରେ ଲୁଟ୍‌ପାଟ୍‌ କରି ପୁଣି ଝରକା ବାଟ ଦେଇ ପଳାଇଥିଲେ। ତେଣୁ ଚୋରି ବାବଦରେ ପରିବାରର କେହି ବି ଟେର୍‌ ପାଇନଥିଲେ। ବଡ଼ କଥା ହେଉଛି ଘରେ ଏକ ଜର୍ମାନ୍‌ ସେଫର୍ଡ କୁକୁର ଥିଲେ ବି ଦୁର୍ବୃତ୍ତମାନଙ୍କ ଗନ୍ଧ ବାରିପାରିଲା ନାହିଁ। ଦୁର୍ବୃତ୍ତମାନେ ପଛପଟ ଝରକା ଦେଇ ପଶିଲେ ଏବଂ ସେହି ବାଟଦେଇ ପଳାଇଲେ। ସେହି ଘରର ପଛପଟ ନିଛାଟିଆ ଓ ଅନ୍ଧାରିଆ ହୋଇଥିବାରୁ ଦୁର୍ବୃତ୍ତମାନଙ୍କ ପାଇଁ ଲୁଟ୍‌ କରିବା ସହଜ ହୋଇଥିବା କୁହାଯାଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସତ୍ୟବ୍ରତ ଘରେ ନଥିବା ଏବଂ ଠିକ୍‌ ସେହି ଘରର ଝରକା ତାଡ଼ି ସିନ୍ଧିଚୋର ଲୁଟିବା ବିଷୟକୁ ନେଇ ନାନା ଆଲୋଚନା ଚାଲିଛି। 

ସୂଚନାଯୋଗ୍ୟ ଯେ ନଭେମ୍ବର ୨୯ ଓ ୩୦ ତାରିଖରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନସ୍ଥିତ ବିଶାଲ୍‌ ଗାର୍ଡେନ୍‌ର ୪ଟି ଫ୍ଲାଟ୍‌ରୁ ସିନ୍ଧିଚୋରି ହୋଇଥିଲା। ଡିସେମ୍ବର ୮ ତାରିଖରେ ସରଦେଈପୁରସ୍ଥିତ ବାପୁଜୀ ହାଇଟ୍ସ ଆପାର୍ଟମେଣ୍ଟର ୩୦୪ ନମ୍ବର ଫ୍ଲାଟ୍‌ରୁ ଏବଂ ୨୨ ତାରିଖରେ ଧଉଳି ସାଧୁବିହାର ବିଜୟ ସାହୁଙ୍କ ଘରୁ ସିନ୍ଧିଚୋରି ହୋଇଥିଲା। କୌଣସି ମାମଲାରେ ପୁଲିସକୁ ସଫଳତା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe