୨୫ଟି ଜାଗାରେ ଲାଗିବ ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌

୨୫ଟି ଜାଗାରେ ଲାଗିବ ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌

ଭୁବନେଶ୍ୱର : ରାଜଧାନୀରେ ପରିମଳ ବ୍ୟବସ୍ଥା ବଦଳାଇବାକୁ ବିଏମ୍‌ସି ଯୋଜନା କରିଥିବାବେଳେ ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ୫୦ଟି ଅଣ୍ଡରଗ୍ରାଉଣ୍ଡ ଓ ସେମି ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌ ଳଗାଇବାକୁ ନିଷ୍ପତ୍ତି ହୋଇଛି। ୨୫ଟି ପ୍ରମୁଖ ସ୍ଥାନରେ ଏହି ୫୦ଟି ଗାଲଭେନାଇଜ୍‌ଡ ଷ୍ଟିଲ୍‌ ଡଷ୍ଟବିନ୍‌ ଲାଗିବ। ଏଥିପାଇଁ ଆର୍‌ଏଫ୍‌ପି ଆହ୍ଵାନ ହୋଇଛି। କେଉଁ ୨୫ଟି ସ୍ଥାନରେ ଡଷ୍ଟବିନ୍‌ ଲାଗିବ ସେନେଇ ବିଏମ୍‌ସି ଓ ଟେଣ୍ଡର୍‌ ପାଇବାକୁ ଥିବା ସଂସ୍ଥା ପକ୍ଷରୁ ମିଳିତ ସର୍ଭେ କରି ସ୍ଥାନ ଚିହ୍ନଟ କରାଯିବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଲାଗିଥିବା ଡଷ୍ଟବିନ୍‌ଗୁଡ଼ିକୁ ରାସ୍ତା ଉପରେ ରଖିବାକୁ ପଡ଼ୁଥିବାବେଳେ ଏହାଦ୍ୱାରା ରାଜଧାନୀର ସୌନ୍ଦର୍ଯ୍ୟକରଣ ପ୍ରଭାବିତ ହେଉଛି। ଅଧିକାଂଶ ସମୟରେ ଆବର୍ଜନା ଓଭରଫ୍ଲୋ ହୋଇ ରାସ୍ତାରେ ଗଦା ହେଉଛି। ତେଣୁ ସେନ୍ସର ସୁବିଧା ଥିବା ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏବେ ୩୦ଟି ସେମିଅଣ୍ଡରଗ୍ରାଉଣ୍ଡ (ରାସ୍ତା ତଳେ କିଛି ରାସ୍ତା ଉପରେ କିଛି ଭାଗ ରହୁଥିବ) ଏବଂ ୨୦ଟି ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌ ଲଗାଯିବ। ପ୍ରତ୍ୟେକ ଡଷ୍ଟବିନ୍‌ ୧.୫କ୍ୟୁବିକ୍‌ ମିଟରର ରହିବ। ଟ୍ଵିନ୍‌ ଡଷ୍ଟବିନ୍‌ ଭଳି ଏଥିରେ ଗୋଟିଏ ପାର୍ଶ୍ୱରେ ଜୈବ ଓ ଅନ୍ୟ ପାର୍ଶ୍ୱରେ ଅଜୈବ ବର୍ଜ୍ୟ ପକାଇବାର ବ୍ୟବସ୍ଥା ରହିବ। ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍‌ଗୁଡ଼ିକ ୩କ୍ୟୁବିକ ମିଟରର ହେବ। ଏହି ଡଷ୍ଟବିନ୍‌ଗୁଡ଼ିକୁ ଫୁଟପାଥ୍‌ ନିକଟରେ ଲଗାଯିବ। ଏହି ଡଷ୍ଟବିନ୍‌ର ବିଶେଷତ୍ୱ ହେଲା ଏଥିରେ ସେନ୍ସର ଲାଗିବ। ଏହାଦ୍ୱାରା ଡଷ୍ଟବିନ୍‌ ପୂର୍ଣ୍ଣ ହୋଇଗଲେ ଭୁବନେଶ୍ୱର ଅପରେସନ୍‌ ସେଣ୍ଟର୍‌କୁ ମେସେଜ୍‌ ପଳାଇବ। ଏହାପରେ ଅପରେସନ୍‌ ସେଣ୍ଟର୍‌ରୁ ସଫେଇ ସଂସ୍ଥାକୁ ଏହି ଡଷ୍ଟବିନ୍‌ରୁ ଉଠାଇବାକୁ ଥିବା ଗାଡ଼ିର ଡ୍ରାଇଭରକୁ ମେସେଜ୍‌ ଦିଆଯିବ। ଡଷ୍ଟବିନ୍‌ ଲଗାଇବାକୁ ଥିବେ ସଂସ୍ଥାକୁ ଏଥିପାଇଁ ଦୁଇଟି କ୍ରେନ୍‌ ଓ ଦୁଇଟି ଟିପର୍‌ ନିୟୋଜିତ କରିବାକୁ କୁହାଯାଇଛି। ୫ବର୍ଷ ଯାଏଁ ଏହି ସଂସ୍ଥା ଡଷ୍ଟବିନ୍‌ ଓ ସେନ୍ସର୍‌ର ରକ୍ଷଣାବେକ୍ଷଣ ଓ ମରାମତି କରିବ।

ନୂଆ ଡଷ୍ଟବିନ୍‌ ଲାଗିଲେ ଏହା ଉପରେ ଘୋଡ଼ଣି ରହିବ। ଏହାଦ୍ୱାରା ଆବର୍ଜନାରୁ ବାହାରୁଥିବା ଗନ୍ଧ ଦ୍ୱାରା ସ୍ଥାନୀୟ ଲୋକ ପ୍ରଭାବିତ ହେବେ ନାହିଁ ବୋଲି କୁହାଯାଇଛି। ଆସନ୍ତା ହକି ବିଶ୍ୱକପ୍‌ ପୂର୍ବରୁ ଏହି ପ୍ରକାରର ଡଷ୍ଟବିନ୍‌ ଲାଗିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe