ଅବହେଳିତ ଶିଶୁ ଉଦ୍ୟାନ: ଅଚଳ ଲାଇଟ୍‌, ଅସଜଡ଼ା ଚେୟାର୍‌

ଭାଙ୍ଗିଗଲାଣି ଖେଳ ଉପକରଣ

ଅବହେଳିତ ଶିଶୁ ଉଦ୍ୟାନ: ଅଚଳ ଲାଇଟ୍‌, ଅସଜଡ଼ା ଚେୟାର୍‌

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଛି ଶିଶୁ ଉଦ୍ୟାନ। ସୁନ୍ଦର ସ୍ବାସ୍ଥ୍ୟ, ପିଲାଙ୍କ ଖେଳକୁଦ, ପ୍ରାତଃ ଭ୍ରମଣ, ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ବୁଲାବୁଲି କରିବା ପାଇଁ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ କଲୋନିରେ ପାର୍କ ନିର୍ମାଣ କରାଯାଇଛି। ସେଥିରେ ଆମୋଦ ପ୍ରମୋଦ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ସହ ରକ୍ଷାଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତ କରାଯାଇଛି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଉଦ୍ୟାନରୁ କଲୋନିବାସୀ ମୁହଁ ଫେରେଇଲେଣି। ଘର ପାଖରେ ପାର୍କ ଥିଲେ ବି ଏହାର କୌଣସି ସୁବିଧା ପାଉନାହାନ୍ତି ଲୋକେ। କେଉଁ ପାର୍କରେ ବ୍ୟାୟାମ ଉପକରଣ ଭାଙ୍ଗିଗଲାଣି ତ ଆଉ କେଉଁଠି ପିଲାଙ୍କ ଖେଳନା ଅଚଳ ଅବସ୍ଥାରେ ପଡ଼ି ରହିଛି। କିଛି ପାର୍କ ଅଳିଆ ଆର୍ବଜନାରେ ଭର୍ତ୍ତି ହୋଇରହିଥିବା ବେଳେ ଅନେକ ସ୍ଥାନରେ ଲାଇଟ୍ ଜଳୁନି।

ୟୁନିଟ୍- ୨ ଶିଶୁ ଉଦ୍ୟାନର ସମ୍ମୁଖ ଭାଗ ଚକାଚକ୍‌ ହୋଇଥିବା ବେଳେ ଭିତରର ଦୃଶ୍ୟ ସଂପୂର୍ଣ୍ଣ ଅଲଗା। ସେଠାରେ ପଡ଼ିଥିବା ଚେୟାରଗୁଡ଼ିକରୁ କିଛି ବସିବା ପାଇଁ ଅନୁପଯୋଗୀ ହୋଇପଡ଼ିଛି। ସିଡ଼ି ଓ ଦୋଳି କଳଙ୍କି ଖାଇ ନଷ୍ଟ ହୋଇଗଲାଣି। କେଉଁଠି ଲାଇଟ୍ ଭାଙ୍ଗିଗଲାଣି ତ ଆଉ କେଉଁଠି ଜଳୁନି। ୟୁନିଟ୍-୩ ପାର୍କ ଅବସ୍ଥା ନ କହିବା ଭଲ। ସେଠାରେ ନା ପରିଷ୍କାର କରାଯାଉଛି ନାଁ ଲାଇଟ୍ ଖରାପ ହେଲେ ସଜଡ଼ା ଯାଉଛି। ପିଲାଙ୍କ ପାଇଁ ଥିବା ଖେଳ ଉପକରଣ ସବୁ ଭାଙ୍ଗିରୁଜି ଗଲାଣି। ପାର୍କକୁ ଆସୁଥିବା ପିଲାମାନେ ନିରାଶ ହୋଇ ଫେରୁଥିବା ବେଳେ କିଛି ପିଲା ସେହି ଭଙ୍ଗା ଖେଳଣାରେ ବିପଦପୂର୍ଣ୍ଣ ଭାବେ ଖେଳୁଛନ୍ତି।

ସେହିପରି ୟୁନିଟ୍-୯ ପାର୍କ ଅଳିଆ ଆବର୍ଜନାରେ ଭରି ରହିଛି। ନୂଆ କରି ଲଗାଯାଇଥିବା ବ୍ୟାୟାମ ଉପକରଣଗୁଡ଼ିକୁ ରକ୍ଷଣାବେକ୍ଷଣ କରା ନଗଲେ ସେ ବି ଅଳ୍ପ ଦିନରେ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସତ୍ୟନଗର ପାର୍କର ଦୃଶ୍ୟ ପୂରା ଅଲଗା। ସେଠାରେ ପିଲାଙ୍କ ଖେଳଣା ଉପକରଣ ମଧ୍ୟରୁ କିଛି ଭାଙ୍ଗି ଯାଇଥିବା ବେଳେ ବ୍ୟାୟାମ ଉପକରଣଗୁଡ଼ିକରୁ ଅଧିକାଂଶ ବ୍ୟବହାର ଅନୁପଯୋଗୀ ହୋଇଗଲାଣି। ପାର୍କର ସୌନ୍ଦର୍ଯ୍ୟବୃଦ୍ଧି କରିବା ପାଇଁ ଲଗାଯାଇଥିବା ମୂର୍ତ୍ତିଗୁଡ଼ିକ ଭାଙ୍ଗିରୁଜି ଗଲାଣି। ପାର୍କର ଚେୟାରଗୁଡ଼ିକ ମଧ୍ୟରୁ କିଛି ଭାଙ୍ଗିଗଲାଣି ଆଉ କିଛି ମାଟିରେ ପୋତି ହୋଇଗଲାଣି। ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ଏ ବାବଦରେ ପାର୍କ ଦାୟିତ୍ବରେ ଥିବା ବିଏମ୍‌ସି ଅଧିକାରୀ ଗିରିଜା ଭୂଷଣ ଶତପଥୀ କହିଛନ୍ତି ପାର୍କରେ ଭାଙ୍ଗିଯାଇଥିବା ସାମଗ୍ରୀର ମରାମତି କରାଯିବ। ଅଳିଆ ଆବର୍ଜନା ସଫା ନେଇ ତଦାରଖ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe