ବିଜେଡି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ

Advertisment
ବିଜେଡି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ

ବାରଙ୍ଗ: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବାରଙ୍ଗରେ ରାଜନୈତିକ ହିଂସାର ଝଲକ ଦେଖିବାକୁ ମିଳିଛି। ମଧୁବନ ଗାଁର ମୁରବି ତଥା ବିଜେଡି ନେତା ଓ ମଧୁପୁର ସେବା ସମବାୟ ସମିତିର ସଭାପତି ପବିତ୍ର ମୋହନ ପ୍ରଧାନ(୪୯)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଟକ ବଡ଼ମେଡିକାଲ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି। ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ଆଜି ସକାଳେ ପବିତ୍ର ଓ ତାଙ୍କର କିଛି ସମର୍ଥକ ଗାଁରେ ନିର୍ମାଣାଧୀନ ଭାଗବତ ଗୃହ ନିକଟରେ ବସିଥିଲେ। ହଠାତ୍ ଗାଁର ୬/୭ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ଓ ରଡ୍‌ରେ ତାଙ୍କୁ ପିଟିପିଟି ଲହୁଲୁହାଣ କରିଦେଇଥିଲେ। ଅତର୍କିତ ଆକ୍ରମଣ ଯୋଗୁଁ ପବିତ୍ରଙ୍କ ସମର୍ଥକମାନେ ପ୍ରତିରୋଧ କରିବାକୁ ସୁଯୋଗ ପାଇନଥିଲେ ଏବଂ ଭୟରେ ପଛଘୁଞ୍ଚା ଦେଇଥିଲେ। ପବିତ୍ରଙ୍କ ମୁଣ୍ଡ ଫାଟିଯାଇଥିଲା ଏବଂ ଗୋଟିଏ ହାତ ଭାଙ୍ଗିଯାଇଥିଲା। କିଛି ମିନିଟ୍ ଭିତରେ ପବିତ୍ରଙ୍କ ପତ୍ନୀ ସୁମିନା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଯିବାରୁ ତାଙ୍କ ସମର୍ଥକମାନେ ଏକଜୁଟ୍‌ ହୋଇଯାଇଥିଲେ। ଏହାଦେଖି ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ତୁରନ୍ତ ପବିତ୍ରଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଘଟଣା ପ୍ରଚାରିତ ହେବା ପରେ ପବିତ୍ରଙ୍କ ସମର୍ଥକମାନେ ଗଣ୍ଡଗୋଳ ଘଟିଥିବା ସ୍ଥାନରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ଏକ କାର୍‌କୁ ବାଡ଼େଇ ଭାଙ୍ଗି ପକାଇଥିଲେ। ପବିତ୍ରଙ୍କ ଆକ୍ରମଣକାରୀମାନେ ସେହି ଗାଁର ମଳୟ, ଅକ୍ଷୟ, ଚିନୁ, ଭରତ, ଟିଲୁ ଓ ବାଦେଡ଼ି ବୋଲି ଅଭିଯୋଗ କରାଯାଇଛି। ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇନାହିଁ। ଏହା ବ୍ୟକ୍ତିଗତ କି ରାଜନୈତିକ ଶତ୍ରୁତା ଜଣାପଡ଼ିନାହିଁ। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଗାଁରେ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe