Dhauli Hill
ଧଉଳି: ଆଜି ମଧ୍ୟାହ୍ନରେ ଧଉଳି ଟୋଲ୍ଗେଟ୍ର ୪ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପାଖାପାଖି ୭ ଜଣ ଯୁବକ ଟୋଲ୍ଗେଟ୍ କର୍ମଚାରୀଙ୍କୁ ପିଟିପିଟି ରକ୍ତାକ୍ତ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେହିଭଳି ଆଦାୟ ହୋଇଥିବା ଟୋଲ୍ ଫି’ ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଧଉଳି ଥାନା ପୁଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି। ତେଣୁ ଜଗନ୍ନାଥପୁରପାଟଣା ଓ ନଖାଉର ଗାଁର ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। କିନ୍ତୁ କାହାକୁ ଗିରଫ କରାଯାଇନାହିଁ। ସବୁଦିନ ଭଳି ଆଜି ଟୋଲ୍ଗେଟ୍ରେ କିଶୋର ରାଉତରାୟ, ସର୍ବେଶ୍ବର ରାଉତରାୟ, କୃଷ୍ଣ ଚନ୍ଦ୍ର ସାହୁ ଓ ବିଜୟ କୁମାର ସାହୁ ଉପସ୍ଥିତ ଥିଲେ। ନିୟମାନୁସାରେ ରଜ ପାଇଁ ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଟୋଲ୍ ଫି’ ଆଦାୟ କରାଯାଉଥିଲା। କିନ୍ତୁ ଠିକ୍ ୧୨ଟା ବେଳେ ୭ ଆକ୍ରମଣକାରୀ ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ସେମାନେ ଟୋଲ୍ଗେଟ୍ର ୪ କର୍ମଚାରୀଙ୍କୁ ଟାଣି ଆଣି ରାସ୍ତାରେ ପିଟି ଚାଲିଥିଲେ।
ବିଧା, ଗୋଇଠା ଓ ମୁଥ ମାଡ଼ରେ ସେମାନଙ୍କୁ ଲହୁଲୁହାଣ କରିପକାଇଥିଲେ। ୪ କର୍ମଚାରୀ ରକ୍ତାକ୍ତ ହୋଇଯିବା ଦେଖି ପର୍ଯ୍ୟଟକମାନେ ବିକଳରେ ଏଣେତେଣେ ଧାଁ ଧଉଡ଼ କରି ସୁରକ୍ଷିତ ଜାଗାରେ ଅପେକ୍ଷା କରିଥିଲେ। ଦୁର୍ବୃତ୍ତମାନେ କର୍ମଚାରୀମାନଙ୍କୁ ପ୍ରବଳ ମାଡ଼ ମାରୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଟୋଲ୍ ଫି’ ପାଇଁ ଥିବା ମେସିନ୍, ସଟଲ୍ ବସ୍, ଟେବୁଲ୍, ଚେୟାର୍ ଆଦି ଭଙ୍ଗାରୁଜା କରିଥିଲେ। ସେହିଭଳି ଆଦାୟ ହୋଇଥିବା ଟୋଲ୍ ଫି’ କ୍ୟାସ୍ବକ୍ସରୁ ନେଇଯାଇଥିଲେ। ଏନେଇ ପୁଲିସକୁ ଅବଗତ କରାଯାଇଥିଲେ ବି ପିସିଆର୍ ପହଞ୍ଚିବା ବିଳମ୍ବ ହୋଇଥିଲା। ତେଣୁ ଦୁର୍ବୃତ୍ତମାନେ ଲଙ୍କାକାଣ୍ଡ ଭିଆଇବା ପରେ ସହଜରେ ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ କିଛି ଲୋକ ଆହତ ଟୋଲ୍ଗେଟ୍ କର୍ମଚାରୀମାନଙ୍କୁ ବାଳକାଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହୋଇ ଫେରିବା ପରେ ସେମାନେ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଗଣ୍ଡଗୋଳ ଖବର ପାଇ ଏସିପି କୃଷ୍ଣଚନ୍ଦ୍ର ପଲେଇ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
Follow Us