କାଦୁଅ ପଚପଚ ରାଜଧାନୀର ୧ ନମ୍ବର ହାଟ

Advertisment
କାଦୁଅ ପଚପଚ ରାଜଧାନୀର ୧ ନମ୍ବର ହାଟ

ଭୁବନେଶ୍ବର: ବର୍ଷାରେ ବିଗିଡ଼ି ଯାଇଛି ରାଜ୍ୟର ପ୍ରମୁଖ ବଜାର ୧ ନମ୍ବର ହାଟର ସ୍ଥିତି। ପାଣି ଛାଡ଼ି ଯାଇଥିଲେ ହେଁ ସମସ୍ୟା ଅଧିକ ବଢ଼ି ଯାଇଛି। କାଦୁଅ ପଚପଚ ରାସ୍ତା ଯୋଗୁଁ ଏହା ଭିତରକୁ ପ୍ରବେଶ କରିବା କାଠିକର ହେଉଛି। ତେବେ ଏହା ଆଜିକାଲିର ସମସ୍ୟା ନୁହେଁ, ବରଂ ଯେବେ ବର୍ଷା ହୁଏ ମାର୍କେଟ୍‌ର ପରିବା ବଜାରର ଚିତ୍ର ଏପରି ରୂପ ଧାରଣ କରେ।‌ ମାତ୍ର ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ହୋଇନାହିଁ।

ମାର୍କେଟ୍‌ର କଞ୍ଚା ପରିବା ବେପାରୀ ସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ମାର୍କେଟ୍‌ ମଧ୍ୟରେ ୧୪ଶହ ପରିବା ବ୍ୟବସାୟୀ ଅଛନ୍ତି। କିନ୍ତୁ ଏବେ ମାର୍କେଟ୍‌ ସଂଲଗ୍ନ ଏକ ସ୍କୁଲ୍‌ ପଡ଼ିଆରେ ମାତ୍ର ୩ଶହ ବେପାରୀଙ୍କୁ ବିକ୍ରିବଟାର ସୁଯୋଗ ଦିଆଯାଇଛି। ହେଲେ ତା’ ପରିସର ବି କାଦୁଅରେ ଭର୍ତି। କେବଳ ସେତିକି ନୁହେଁ, ଜାଗା କମ୍‌ ଥିବା ବେଳେ ପ୍ରବଳ ଗହଳି ହେଉଛି। ବର୍ଷା ହେଲେ ପାଣି ନିଷ୍କାସନ ବାଟ କରାଯାଇନାହିଁ। ତେଣୁ ବର୍ଷା ହେଲେ ବ୍ୟବସାୟୀମାନେ ପ୍ରମାଦ ଗଣୁଛନ୍ତି। କାଦୁଅ ଦେଖି ଗ୍ରାହକମାନେ ବି ମାର୍କେଟ୍‌କୁ ଆସିବାକୁ ଇଚ୍ଛା କରୁନାହାନ୍ତି ବୋଲି ସେ କହିଛନ୍ତି।

କେବଳ ଏତିକିରେ ହାଟ ସମସ୍ୟା ସୀମିତ ନାହିଁ, ହାଟକୁ‌ ନେଇ ବିଭିନ୍ନ ସମୟରେ ଅନେକ ସମସ୍ୟା ମୁଣ୍ଡ ଟେକିଛି। ଏହା ମଧ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହାଟର ବିକାଶ ପାଇଁ ୧୨୦ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ଯେଉଁଥିରେ ମାର୍କେଟ୍‌ କମ୍ପ୍ଲେକ୍ସ ଓ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ହେବାର ଯୋଜନା ଥିଲା। ଇତିମଧ୍ୟରେ ୫ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ପ୍ରକଳ୍ପ ଆରମ୍ଭ ହୋଇପାରିନାହିଁ। ଫଳରେ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ପ୍ରବଳ ଭିଡ ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe