ଅବ୍ୟବସ୍ଥାରେ ୟୁନିଟ୍‌-୬ ସରକାରୀ ବାଳିକା ବିଦ୍ୟାଳୟ : ଶୌଚାଳୟ, ପିଇବା ପାଣି ସବୁଥିରେ ସମସ୍ୟା

Advertisment
ଅବ୍ୟବସ୍ଥାରେ ୟୁନିଟ୍‌-୬ ସରକାରୀ ବାଳିକା ବିଦ୍ୟାଳୟ : ଶୌଚାଳୟ, ପିଇବା ପାଣି ସବୁଥିରେ ସମସ୍ୟା

ଭୁବନେଶ୍ୱର : ନୂଆ ଫ୍ୟାନ୍‌ କିଣା ହୋଇ ବର୍ଷେ ହେଲା ରଖାଯାଇଛି। କିନ୍ତୁ କ୍ଲାସ୍‌ ରୁମ୍‌ରେ ଲାଗି ପାରୁନି। ପିଲା ଗରମରେ ଛଟପଟ ହେଉଛନ୍ତି। ପିଇବା ପାଣି ପାଇଁ ଟ୍ୟାପ୍‌ ହିଁ ଭରସା। ଶୌଚାଳୟ ଥାଇ ନ ଥିଲା ପରି। ଭିତ୍ତିଭୂମି ବି ଦୁର୍ବଳ। ଏହା ହେଉଛି ୟୁନିଟ୍‌-୬ ସରକାରୀ ବାଳିକା ବିଦ୍ୟାଳୟର ସ୍ଥିତି। ରାଜଧାନୀର ଏକ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏହି ସ୍କୁଲ୍‌ର ଏପରି ସ୍ଥିତି ଆମ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇ ଦେଉଛି।

୪୫୦ଜଣ ପିଲା ଓ ୨୦ଜଣ କର୍ମଚାରୀଙ୍କୁ ନେଇ ଚାଲିଥିବା ୟୁନିଟ୍‌-୬ ସରକାରୀ ବାଳିକା ବିଦ୍ୟାଳୟର ସମସ୍ୟାର ତାଲିକା ବେଶ୍‌ ଲମ୍ବା। ପିଇବା ପାଣିଠାରୁ ଆରମ୍ଭ କରି ବିଜୁଳି ପର୍ଯ୍ୟନ୍ତ; ସର୍ବନିମ୍ନ ମୌଳିକ ସୁବିଧା ବି ଏହି ବିଦ୍ୟାଳୟରେ ଉପଲବ୍ଧ ନୁହେଁ। ଅସହ୍ୟ ଗରମ ଯୋଗୁଁ ସ୍କୁଲ୍‌ ସକାଳୁଆ ହୋଇଛି। ତାହା ସତ୍ତ୍ୱେ ବିନା ଫ୍ୟାନ୍‌ରେ କ୍ଲାସ୍‌ରୁମ୍‌ରେ ବସିବା କଷ୍ଟଦାୟକ। କିନ୍ତୁ ଏହି ସ୍କୁଲ୍‌ରେ କିଛି କ୍ଲାସ୍‌ ରୁମ୍‌ରେ ଫ୍ୟାନ୍‌ ଲଗା ଯାଇ ନାହିଁ। ଏହି ସମସ୍ୟା ଏବେକାର ନୁହେଁ, ପାଖାପାଖି ଏକ ବର୍ଷ ହେବ ଫ୍ୟାନ୍‌ ଚାଲୁନି। ବର୍ଷେ ତଳେ ଘଡ଼ଘଡ଼ି ମାରି କିଛି ଫ୍ୟାନ୍‌ ପୋଡ଼ି ଯାଇଥିଲା। ଠିକାଦାରମାନେ ଆସି ପୋଡ଼ା ଫ୍ୟାନ୍‌କୁ କାଢ଼ି ନୂଆ ସିଲିଂ କରିଥିଲେ। ନୂଆ ଫ୍ୟାନ ବି କିଣା ହୋଇ ଆସିଥିଲା। କିନ୍ତୁ ଠିକାଦାର ତାଙ୍କ କାମ ସାରୁ ନାହାନ୍ତି କି ଫ୍ୟାନ୍‌ ଲଗାଉନାହାନ୍ତି। ସ୍କୁଲ୍‌ ତରଫରୁ ଏ ନେଇ ବାରମ୍ବାର କୁହାଗଲେ ବି କେହି ଶୁଣୁ ନାହାନ୍ତି। ଫଳରେ ପିଲାମାନେ ହିଁ ସମସ୍ୟା ଭୋଗୁଛନ୍ତି। ଗରମରେ ଛଟପଟ ହୋଇ ପଢ଼ିବାକୁ ସେମାନଙ୍କୁ ଏକପ୍ରକାର ବାଧ୍ୟ କରାଯାଉଛି।

କେବଳ କ୍ଲାସ୍‌ରୁମ୍‌ ନୁହେଁ, ମଧ୍ୟାହ୍ନ ଭୋଜନ ଖାଉଥିବା ରୁମ୍‌ରେ ମଧ୍ୟ ଫ୍ୟାନ୍‌ ନାହିଁ। ଏହି ଘର ଆଜବେଷ୍ଟସ୍‌ରେ ତିଆରି ହୋଇଥିବାରୁ ଖରା ପଡ଼ିବା ମାତ୍ରେ ତାତି ପ୍ରବଳ ହେଉଛି। ବହୁ ପିଲା ସେହି ଘରେ ନ ଖାଇ ଗଛ ମୂଳେ ଖାଉଥିବା ଦେଖାଯାଉଛି।

ଏହି ସ୍କୁଲ୍‌ରେ ଶୌଚାଳୟ ଅବସ୍ଥା ଆହୁରି ସଙ୍ଗୀନ୍‌। ସ୍କୁଲର ୪୫୦ ପିଲାଙ୍କ ପାଇଁ ରହିଛି ମାତ୍ର ୪ଟି ଶୌଚାଳୟ। ଏଥିରୁ ଗୋଟିଏ ବି ସମ୍ପୂର୍ଣ୍ଣ ବ୍ୟବହାର ଉପଯୋଗୀ ନୁହେଁ। ଶୌଚାଳୟଗୁଡ଼ିକ ଏପରି ଭାବେ ନିର୍ମାଣ ହୋଇଛି ଯେ ପାଣି ବାହାରକୁ ଯାଇପାରୁନି। ଫଳରେ ପାଣି ଜମି ରହି ନିକଟରେ ଥିବା ଶ୍ରେଣୀ ଗୃହଗୁଡ଼ିକ ଓଦା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ସେଥିପାଇଁ ଏହାକୁ ବାଧ୍ୟ ହୋଇ ବନ୍ଦ କରି ଦିଆଯାଇଛି। ଶୌଚ ପାଇଁ ଛାତ୍ରୀମାନଙ୍କୁ ବାହାରକୁ ଯିବାକୁ ପଡ଼ୁଛି।

ପିଇବା ପାଇଁ ବିଶୁଦ୍ଧ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଥିଲେ ବି ଏଠାରେ ପିଲାଙ୍କ ପାଇଁ ଆକ୍ୱାଗାର୍ଡଟିଏ ଲାଗିପାରିନି। ଫଳରେ ପିଲାମାନେ ଟ୍ୟାପ୍‌ ପାଣି ପିଉଛନ୍ତି। ସ୍କୁଲରେ ଥିବା ଦରଭଙ୍ଗା ଏକ ଟାଙ୍କିର ପାଣି ହିଁ ପିଲାମାନଙ୍କ ପିଇବା ପାଣି ଭାବେ ବ୍ୟବହୃତ ହେଉଛି। ଟାଙ୍କି ଉପରେ ଘୋଡ଼ଣୀ ନ ଥିବାରୁ ତାହା ଭିତରେ ପତ୍ର ପଡ଼ି ଜମି ଯାଇଛି। କିନ୍ତୁ କୌଣସି ବିକଳ୍ପ ନ ଥିବାରୁ ପିଲାମାନେ ସେହି ପାଣି ପିଉଛନ୍ତି।

ମୌଳିକ ସୁବିଧା ତ ମିଳୁ ନାହିଁ। ସ୍କୁଲ୍‌ର ଭିତ୍ତିଭୂମି ବି ଦୁର୍ବଳ ହୋଇଚାଲିଛି। ଯେ କୌଣସି ସମୟରେ କିଛି ଅଘଟଣକୁ ଏଡ଼ାଇ ଦିଆଯାଇ ନ ପାରେ। କାନ୍ଥରୁ ମଝିରେ ମଝିରେ ପ୍ଲାଷ୍ଟର ଖସୁଛି। ଅନେକ ସମୟରେ ବଡ଼ ବଡ଼ ପ୍ଲାଷ୍ଟର ଖଣ୍ଡ ବି ଖସୁଥିବାର କିଛି ଛାତ୍ରୀ କହିଛନ୍ତି। ଫଳରେ ପିଲାଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତାରେ।  ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ଛାତ୍ରୀ, ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe