ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ: ସ୍କୁଲ କମିଟି ଉପରେ ସରକାରୀ ଚାପ

Advertisment
ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ: ସ୍କୁଲ କମିଟି ଉପରେ ସରକାରୀ ଚାପ

ଭୁବନେଶ୍ବର : ‘‘ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ) ମିଶ୍ରଣ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିସାରିଛନ୍ତି। ତେଣୁ ନିଷ୍ପତ୍ତିରୁ ଓହରିବା ଏତେ ସହଜ ନୁହେଁ। ଆପଣମାନେ ସମସ୍ତ ଅଭିଭାବକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାନ୍ତୁ।’’ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ମାନିନେବାକୁ ଗଣଶିକ୍ଷା ବିଭାଗ ଅଧିକାରୀମାନେ ଆଜି ଏଭଳି ଢଙ୍ଗରେ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ଉପରେ ଚାପ ପକାଇଛନ୍ତି। ସମସ୍ତ ପ୍ରକାର ଚାପ ପରେ ବି ଏସ୍‌ଏମ୍‌ସି ସଦସ୍ୟ ଓ ପୁରାତନ ଛାତ୍ରୀମାନେ ସରକାରୀ ବାବୁମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ରୋକଠୋକ୍‌ ଶୁଣାଇ ଦେଇଛନ୍ତି, ଯେକୌଣସି ପରିସ୍ଥିତିରେ ବି ୟୁନିଟ୍‌-୯ ବାଳିକା ହାଇସ୍କୁଲକୁ ୟୁନିଟ୍‌-୯ ହାଇସ୍କୁଲ ସହ ମିଶ୍ରଣ ହେବାକୁ ଦିଆଯିବ ନାହିଁ। ଏଥିପାଇଁ ଯାହା କିଛି ଆବଶ୍ୟକ ଗ୍ରହଣ କରାଯିବ। ଦରକାର ପଡ଼ିଲେ, ଛାତ୍ରୀମା‌ନେ ରୂପାଲି ଛକରେ ରାସ୍ତା ଅବରୋଧ କରିବେ। ସେଠାରେ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।

ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ଓ ରମାଦେବୀ ଯୁକ୍ତ୨ କଲେଜ ସ୍ଥାନାନ୍ତରକୁ ନେଇ ତିନି ଦିନ ଧରି ବିବାଦ ଲାଗି ରହିବା ପରେ ଆଜି ଓସେପା କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗଣଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ସ୍କୁଲ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ପୁରାତନ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନଥିଲା। ଗୋଟିଏ ପଟେ ସରକାରୀ ଅଧିକାରୀମାନେ ମିଶ୍ରଣ ସପକ୍ଷରେ ମତ ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଅଭିଭାବକ ଓ ପୁରାତନ ଛାତ୍ରୀମାନେ ମିଶ୍ରଣକୁ ବିରୋଧ କରିଥିଲେ। ରମାଦେବୀ ଯୁକ୍ତ୨ କଲେଜ ଅଧ୍ୟକ୍ଷା ବୈଠକରେ ଯୋଗଦେଇ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ଛାତ୍ରୀମାନେ କେଉଁଭଳି ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି, ସେନେଇ ସ୍ପଷ୍ଟ କରିଥିଲେ। ଛାତ୍ରୀଙ୍କ ସ୍ବାର୍ଥ ଓ ଉଚ୍ଚଶିକ୍ଷା ଦୃଷ୍ଟିରୁ କଲେଜ ସ୍ଥାନାନ୍ତର ଜରୁରି ହୋଇପଡ଼ିଥିବା ସେ ଦର୍ଶାଇଥିଲେ। ବିଭାଗୀୟ ଅଧିକାରୀମାନେ ମଧ୍ୟ ବୁଝାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ।

ଖୁବ୍‌ଶୀଘ୍ର ହେବ ସହମତି ଭିତ୍ତିକ ସମାଧାନ: ରାଜ୍ୟ ସରକାର
ବିଦ୍ୟାଳୟରେ ଖୋଲାଯାଉ ଏକାଦଶ ଓ ଦ୍ବାଦଶ: ଏସ୍‌ଏମ୍‌ସି
ଆଲୋଚନାରେ ଅଭିଭାବକ, ପୁରାତନ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ସାମିଲ

publive-image google.com

ସେପଟେ ଅଭିଭାବକମାନଙ୍କ ଗୋଟିଏ ଜିଦ୍‌, କୌଣସି ପରିସ୍ଥିତିରେ ମିଶ୍ରଣ କରିବାକୁ ଦିଆଯିବ ନାହିଁ। ଯଦି କଲେଜ ପାଇଁ ନୂଆ କ୍ୟାମ୍ପସର ଏତେ ଆବଶ୍ୟକ ରହିଛି, ତେବେ ବାଳିକା ହାଇସ୍କୁଲ ପଛପାର୍ଶ୍ବରେ ଥିବା ଜମିରେ ନୂତନ ବିଲଡିଂ ନିର୍ମାଣ କରାଯାଇ ସେଠାକୁ ଯୁକ୍ତ୨ କଲେଜକୁ ସ୍ଥାନାନ୍ତର କରାଯାଉ। କଲେଜର ପ୍ରବେଶ ପଥ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଡ଼କୁ ରଖାଯାଉ। ଏହାଦ୍ବାରା କାହାର କିଛି ଅସୁବିଧା ହେବ ନାହିଁ। ନହେଲେ ହାଇସ୍କୁଲରେ ଏବେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ରମାଦେବୀ ଯୁକ୍ତ୨ କଲେଜକୁ ସେଠାକୁ ସ୍ଥାନାନ୍ତର କରାଯାଇ ଗୋଟିଏ କ୍ୟାମ୍ପସରେ ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ଶିକ୍ଷା ଦିଆଯାଉ। ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବେ ହାଇସ୍କୁଲକୁ ଉନ୍ନୀତ କରାଯାଉ, ତାହା ଏଠାରେ କରାଯାଉ। କୌଣସି ଶିକ୍ଷାନୁଷ୍ଠାନର କିଛି କ୍ଷତି ହେବ ନାହିଁ।

ବୈଠକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଉଭୟପକ୍ଷ ମଧ୍ୟରେ ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନର ବାଟ ବାହାରିବା ପାଇଁ ଯାଉଛି। ଜଣେ ଏସ୍‌ଏମ୍‌ସି ସଦସ୍ୟ କହିଛନ୍ତି ଯେ ବୈଠକ ହୋଇଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ବାହାରି ନାହିଁ। ଆମେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଏକମତ ହେଉନୁ। ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଗଣଶିକ୍ଷା ବିଭାଗ ଅଧିକାରୀମାନେ କହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଆମେ ବିଶଦ୍‌ ଆଲୋଚନା କରି ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଜଣାଇବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe