ଏକତାର ବାର୍ତ୍ତା ବାଣ୍ଟିବ ‘ୟୁନିଟି ମଲ୍‌’ କଳାଭୂମି ସମ୍ମୁଖରେ ନିର୍ମାଣ ହେବ

ସମସ୍ତ ଜିଲ୍ଲାର ଉତ୍ପାଦ ଗୋଟିଏ ସ୍ଥାନରେ ମିଳିବ। ଏଥିସହ କୋଟ୍‌ପାଡ୍‌ ହସ୍ତତନ୍ତ ଫାବ୍ରିକ୍‌, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଓ ଫାବ୍ରିକ୍‌, ଗୋପାଳପୁର ଟସର୍‌ ଫାବ୍ରିକ୍‌, ଓଡ଼ିଶା ପଟ୍ଟଚ୍ଚିତ୍ର, କଟକ ରୂପା ତାରକସିଠାରୁ ଆରମ୍ଭ କରି କୋରାପୁଟ କଳାଜୀରା ଚାଉଳ...

dress marcket

ଭୁବନେଶ୍ବର: ସମସ୍ତ ଜିଲ୍ଲାର ଉତ୍ପାଦ ଗୋଟିଏ ସ୍ଥାନରେ ମିଳିବ। ଏଥିସହ କୋଟ୍‌ପାଡ୍‌ ହସ୍ତତନ୍ତ ଫାବ୍ରିକ୍‌, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଓ ଫାବ୍ରିକ୍‌, ଗୋପାଳପୁର ଟସର୍‌ ଫାବ୍ରିକ୍‌, ଓଡ଼ିଶା ପଟ୍ଟଚ୍ଚିତ୍ର, କଟକ ରୂପା ତାରକସିଠାରୁ ଆରମ୍ଭ କରି କୋରାପୁଟ କଳାଜୀରା ଚାଉଳ, ଓଡ଼ିଶା ରସଗୋଲା, କନ୍ଧମାଳ ହଳଦୀ ଭଳି ଓଡ଼ିଶାର ସମସ୍ତ ୨୭ଟି ଜିଆଇ ଉତ୍ପାଦ ଗୋଟିଏ ଛାତ ତଳେ ପ୍ରଦର୍ଶିତ ଓ ବିକ୍ରି ହେବ। ଏଥିସହ ବାହାର ରାଜ୍ୟର ସମସ୍ତ ନିଆରା ଉତ୍ପାଦ ବି ବିକ୍ରିବଟା ହେବ। ଭୁବନେଶ୍ବର କଳାଭୂମି ସମ୍ମୁଖରେ ୬ ଏକର ଜମିରେ ପିଏମ୍‌ ଏକତା ମଲ୍‌ ପ୍ରକଳ୍ପରେ ନିର୍ମାଣ ହେବ ବିଶାଳ ‘ୟୁନିଟି ମଲ୍‌’। ବିଭିନ୍ନତାରେ ଏକତାର ବାର୍ତ୍ତା ବାଣ୍ଟିବ ଏହି ମଲ୍‌। କେବଳ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ନୁହେଁ, ଦେଶର ପ୍ରତିଟି ରାଜ୍ୟର ରାଜଧାନୀରେ ଏହି ୟୁନିଟି ମଲ୍‌ ନିର୍ମାଣ ହେବ ବୋଲି ୨୦୨୩-୨୪ କେନ୍ଦ୍ର ବଜେଟ୍‌ରେ ଏହା ଘୋଷଣା କରାଯାଇଛି। ଏହା ଦ୍ବାରା ରାଜ୍ୟର ରାଜଧାନୀରେ ଦେଶର ପ୍ରତିଟି ନିଆରା ସାମଗ୍ରୀ ଉପଲବ୍ଧ ହେବା ସହ ‘ମିନି ଇଣ୍ଡିଆ’ର ଭ୍ରମ ସୃଷ୍ଟି କରାଯିବ। ଯାହା ଫଳରେ ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କ ପାଖରେ ଆମେ ଅଧିକ ଆଦୃତ ହୋଇପାରିବା ବୋଲି ଆଶା କରାଯାଉଛି। 

କଳାଭୂମି ସମ୍ମୁଖରେ ନିର୍ମାଣ ହେବ
କେନ୍ଦ୍ର ସରକାର ଦେବେ ୧୮୮ କୋଟି ଟଙ୍କା
ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟର ସାମଗ୍ରୀ ସହ ଜିଆଇ ଉତ୍ପାଦ ପ୍ରଦର୍ଶିତ ହେବ

ଏବେ ଆଉ ରାଜ୍ୟରେ ବା ରାଜଧାନୀରେ ଖଦି ଭବନ ପ୍ରତିଷ୍ଠା ହେବ ନାହିଁ। ଖଦି ଭବନ ନିର୍ମାଣ ହେବାକୁ ଥିବା କଳାଭୂମି ସମ୍ମୁଖସ୍ଥ ଖଦି ଓ ଗ୍ରାମ୍ୟୋଦ୍ୟୋଗ ବୋର୍ଡର ଜାଗାରେ ଏହି ମଲ୍‌ ନିର୍ମାଣ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ମଲ୍‌ ନିର୍ମାଣ କାର୍ଯ୍ୟ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗକୁ ପ୍ରଦାନ କରାଯାଇଛି। ଇଡ୍‌କୋ ଏହାର ଇମ୍ପ୍ଲିମେଣ୍ଟିଂ ଏଜେନ୍ସି ଭାବେ କାର୍ଯ୍ୟ କରିବ। ମଲ୍‌ ମଧ୍ୟରେ ୧୦୨ଟି ବାଣିଜ୍ୟିକ ସ୍ଥାନ ଖୋଲାଯିବ। ଏଥିରୁ ୩୦ଟି ଷ୍ଟୋର୍‌ ରାଜ୍ୟର ୩୦ ଜିଲ୍ଲାର ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’ ଯୋଜନାରେ ସମସ୍ତ ଜିଲ୍ଲାର ନିଆରା ଉତ୍ପାଦ ପ୍ରଦର୍ଶନ, କ୍ରୟ ଓ ବିକ୍ରୟ ପାଇଁ ଦିଆାଯିବ। ଏଥିସହ ଓଡ଼ିଶା ସମେତ ବାହାର ରାଜ୍ୟର ସମସ୍ତ ନିଆରା ଉତ୍ପାଦ ଏଠାରେ ପ୍ରଦର୍ଶିତ ହେବ। ଏହି ମଲ୍‌ ନିର୍ମାଣ ପାଇଁ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ୧୮୭.୧୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ସାଢ଼େ ୯୩ କୋଟି ଟଙ୍କା ଇଡ୍‌କୋକୁ ପ୍ରଦାନ କରାଯାଇଛି। ଇଡ୍‌କୋ ଏହାର କାମ ୨୦୨୪ ଜୁନ୍‌ରୁ ଆରମ୍ଭ କରିଥିବା ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କୁହାଯାଇଛି। 

ସୂଚନାଯୋଗ୍ୟ, ସ୍ବଦେଶୀ ବସ୍ତ୍ର ଓ ଖଦିର ପ୍ରଚାରପ୍ରସାର ପାଇଁ ରାଜଧାନୀରେ ଏକ ସୁଉଚ୍ଚ ‘ଉତ୍କଳ ଖଦିଭବନ’ ନିର୍ମାଣ ଯୋଜନା ହୋଇଥିଲା। ଖଦି ଓ ଗ୍ରାମ୍ୟୋଦ୍ୟୋଗ ବୋର୍ଡର ଜାଗାରେ ଏହି ଭବନ ପ୍ରତିଷ୍ଠା ହେବ ବୋଲି କୁହାଗଲା। ଭବନଟି ୧୧ ମହଲା ବିଶିଷ୍ଟ ହେବ ଓ ଏଥିରେ ଖଦି ପୋଷାକ ସହ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଉପଲବ୍ଧ ହେବ ବୋଲି ଯୋଜନା ହେଲା। ଏଥିପାଇଁ ପ୍ରାୟ ୯୦ କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ ହେଲା। ଏନେଇ ୨୦୨୧ ମସିହାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍‌ଆଇସି) ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏହାକୁ ଅନୁମୋଦନ କରିଥିଲା। ହେଲେ ସରକାର ବଦଳିବା ସହ ଏବେ ଯୋଜନା ବି ବଦଳି ଯାଇଛି। ଏବେ ଖଦି ଭବନ ନିର୍ମାଣ ତ’ ଅଟକିଗଲା। ଦେଖାଯାଉ ୟୁନିଟି ମଲ୍‌ଟି କେବେ ନିର୍ମାଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe