ଅସଜଡ଼ା ‘ମୋ ବସ୍‌’ ଷ୍ଟପ୍‌: ସଂଜ ବୁଡ଼ୁବୁଡ଼ୁ ଅସାମାଜିକଙ୍କ ଆଡ଼ା

Advertisment
ଅସଜଡ଼ା ‘ମୋ ବସ୍‌’ ଷ୍ଟପ୍‌: ସଂଜ ବୁଡ଼ୁବୁଡ଼ୁ ଅସାମାଜିକଙ୍କ ଆଡ଼ା

ଭୁବନେଶ୍ବର: ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳର କଥା। ୟୁନିଟ୍‌-୩ ଅଞ୍ଚଳର ମୋନାଲିସା ମହାନ୍ତି(ଛଦ୍ମନାମ) ନିୟୁ ଏଜି କଲୋନି ମୋ ବସ୍‌ ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରିଥିଲେ। ଅନ୍ଧାର ହୋଇସାରିଥିଲେ ବି ବସ୍‌ ଷ୍ଟପ୍‌ର ଲାଇଟ୍ କିଛି ଜଳୁନଥିଲା। ତେଣୁ କିଟିମିଟି ଅନ୍ଧାର ଭିତରେ ମୋନାଲିସା ଏକୁଟିଆ ବସ୍‌କୁ ଅପେକ୍ଷା କଲା ବେଳେ ଭୟଭୀତ ହୋଇପଡ଼ିଥିଲେ। ସତକୁ ସତ ସେତିକିବେଳେ ୪/୫ ଜଣ ଯୁବକ ସେଠାରେ ପହଞ୍ଚି ନିଶାସେବନ ଆରମ୍ଭ କରିଦେଇଥିଲେ। କିଛି ଅଘଟଣ ଘଟିବା ଆଶଙ୍କାରେ ମୋନାଲିସା ସେଠାରୁ ଚାଲିଯିବାକୁ ବାହାରିବା ବେଳେ ସୌଭାଗ୍ୟକୁ ‘ମୋ ବସ୍‌’ ପହଞ୍ଚିଯାଇଥିଲା ଓ ମୋନାଲିସା ଭଗବାନଙ୍କୁ ଡାକି ବସ୍‌ରେ ଉଠିଯାଇଥିଲେ। ସଂଜ ନଇଁଲେ ରାଜଧାନୀର ବହୁ ମୋ ବସ୍‌ ରହଣିସ୍ଥଳର ସ୍ଥିତି ଏମିତି।

ରାଜଧାନୀବାସୀଙ୍କୁ ବ୍ୟବସ୍ଥିତ ଓ ସୁରକ୍ଷିତ ବସ୍ ସେବା ଯୋଗାଇ ଦେବା ଲକ୍ଷ୍ୟରେ ‘ମୋ ବସ୍‌’ ସେବା ଚାଲିଛି। କିନ୍ତୁ ରାଜଧାନୀର ଅଧିକାଂଶ ମୋ ବସ୍‌ ଷ୍ଟପ୍‌ ଅସଜଡ଼ା ଅବସ୍ଥାରେ ପଡ଼ିଛି। ବହୁ ବସ୍‌ ରହଣିସ୍ଥଳରେ ଘୋର ଅବ୍ୟବସ୍ଥା ଲାଗିରହିଛି। କେଉଁଠି ସୂଚନା ସମ୍ପର୍କିତ ଫଳକ ନାହିଁ ତ କେଉଁଠି ଲାଇଟ୍‌ ଜଳୁନାହିଁ। କେଉଁଠି ଚେୟାର ଭାଙ୍ଗିଗଲାଣି ତ କେଉଁଠି ଅଳିଆ ଆବର୍ଜନା ଗଦା ହୋଇ ରହୁଛି। ବଡ଼ କଥା ହେଉଛି, ଅଧିକାଂଶ ବସ୍ ରହଣିସ୍ଥଳରେ ଅଣଯାତ୍ରୀଙ୍କ ଆଡ଼ା ଜମୁଥିବାରୁ ବସ୍ ଯାତ୍ରୀମା‌ନେ ସୁରକ୍ଷିତ ମଣୁନାହାନ୍ତି। ବିଶେଷକରି ସନ୍ଧ୍ୟା ହେଉହେଉ ବହୁ ବସ୍‌ ରହଣିସ୍ଥଳ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ପାଲଟିଯାଉଛି। କୌଣସି ବସ୍‌ ରହଣିସ୍ଥଳରେ ସିସି କ୍ୟାମେରା ବ୍ୟବସ୍ଥା ନଥିବାରୁ ଏହା ଅସାମାଜିକ ତତ୍ତ୍ବଙ୍କୁ ବେଶ୍ ସୁହାଉଛି।

ରାଜଧାନୀରେ ୨୮ଟି ରୁଟ୍‌ରେ ୨୦୦ ‘ମୋ ବସ୍’ ଚାଲୁଛି। ସମଗ୍ର ସହରରେ ୨୨୫ଟି ବସ୍ ରହଣିସ୍ଥଳ ନିର୍ମାଣ କରାଯାଇଛି। ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ଏହସବୁ ବସ୍‌ଷ୍ଟପ୍‌ ନିର୍ମାଣରେ ପ୍ରାୟ ୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି। ଏହି ସବୁ ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ବସିବା ପାଇଁ ଭଲ ଚେୟାର ରହିବା ସହ ସୂଚନା ଦେବା ପାଇଁ ଡିଜିଟାଲ ଫଳକ ରହିବା ନିୟମ ରହିଛି। ଏହି ସୂଚନା ଫଳକରୁ ଯାତ୍ରୀମାନେ ସମ୍ପୃକ୍ତ ରୁଟ୍‌ରେ ଚଳାଚଳ କରୁଥିବା ବସ୍‌ ଓ ସମୟ ସମ୍ପର୍କରେ ତଥ୍ୟ ପାଇପାରିବେ। କିନ୍ତୁ ପରିତାପର କଥା ହାତଗଣତି କିଛି ବସ୍‌ ଷ୍ଟପ୍‌କୁ ଛାଡ଼ିଦେଲେ, ଅଧାରୁ ଅଧିକ ବସ୍ ଷ୍ଟପ୍‌ଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ। କେଉଁଠି ଚେୟାର ଧଡ଼ଧଡ଼ ହେଉଛି ତ କେଉଁଠି କିଛି ଚେୟାର ଉଠି ଗାଏବ୍ ହୋଇଗଲାଣି। ବହୁ ବସ୍‌ ଷ୍ଟପ୍‌ରେ ଡିଜିଟାଲ ସୂଚନା ଫଳକ ବହୁ ଦିନ ଧରି ଅଚଳ ହୋଇପଡ଼ିଛି।

ତେଣୁ କେଉଁ ବସ୍‌ କେତେବେଳେ ଆସିବ, ଯାତ୍ରୀ ବୁଝିବା ମୁସ୍କିଲ। ବେଳେବେଳେ ବସ୍ ରହୁନି ତ ବେଳେବେଳେ ଗୋଟିଏ ବସ୍ ଷ୍ଟପ୍‌ରେ ଏକା ସାଙ୍ଗରେ ୨ରୁ ୩ ବସ୍ ଲାଗିଯାଉଛି। ଫଳରେ ଯାତ୍ରୀମାନେ ଦ୍ବନ୍ଦ୍ବରେ ପଡ଼ି କେଉଁ ବସ୍‌ରେ ଚଢ଼ିବେ ବୋଲି ଧାଁ ଧଉଡ଼ କରିବାକୁ ବାଧ୍ୟ ହେଉଛନ୍ତି। ପୁରୀ କେନାଲ୍‌ରୋଡ୍‌, ଦ ୱାର୍ଲଡ୍‌, ସିଆର୍‌ପି, ରାଜଧାନୀ କଲେଜ୍, କିଟସ୍ ହସ୍ପିଟାଲରୋଡ୍‌, ଡୁମୁଡୁମା, ଡମଣା, ଶୈଳଶ୍ରୀବିହାର ଫେଜ୍-୨ ଭଳି ଅନେକ ବସ୍ ଷ୍ଟପ୍‌ରେ ରାତିରେ ଲାଇଟ୍ ଜଳୁନି। ସେହିପରି ଜୟଦେବ ବାଟିକା ବସ୍ ଷ୍ଟପ୍‌ରେ ଅନ୍ଧାର ରାଜୁତି କରୁଛି।

ଫଳରେ ଏଭଳି ବସ୍ ରହଣିସ୍ଥଳ ମଦ ପିଇବାକୁ ଉପଯୁକ୍ତ ସ୍ଥାନ ପାଲଟିଛି। ଟିକିଏ ଅନ୍ଧାର ହେଉହେଉ ଅସାମାଜିକ ଯୁବକମାନେ ସେଠାରେ ବୋତଲ ଠିପି ଖୋଲି ବସିଯାଉଛନ୍ତି ଓ ମହିଳା ଯାତ୍ରୀମାନଙ୍କୁ ଅଶ୍ଳୀଳ ଇଂଗିତ ଓ କମେଣ୍ଟ୍ ମାରୁଛନ୍ତି। ରସୁଲଗଡ଼ ବସ୍ ଷ୍ଟପ୍‌ରେ ‘ମୋ ବସ୍‌’ ରହଣିର ଠିକଣା କିଛି ନାହିଁ ବୋଲି ଅଭିଯୋଗ ହେଉଛି। ଆପୋଲୋ ହସ୍ପିଟାଲ୍ ସମ୍ମୁଖ ବସ୍ ଷ୍ଟପ୍‌ଟି ଦୃଷ୍ଟି ଅଢୁଆଳରେ ରହିଯାଉଛି। ଶୈଳଶ୍ରୀବିହାର ଫେଜ୍‌-୨ ବସ୍ ଷ୍ଟପ୍ ଭାଙ୍ଗିରୁଜି ଦୟନୀୟ ଅବସ୍ଥାରେ ପଡ଼ିରହିଛି।

କିଛି ବସ୍ ଷ୍ଟପ୍‌ରେ ଯାଯାବରଶ୍ରେଣୀୟ ଲୋକ ଓ ମାନସିକବିକାରଗ୍ରସ୍ତ ଆସ୍ଥାନ ଜମାଇ ରହୁଛନ୍ତି। ଫଳରେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କଲା‌ବେଳେ ସମସ୍ୟାରେ ପଡ଼ୁଛନ୍ତି।
ଏନେଇ କ୍ରୁଟ୍‌ ପକ୍ଷରୁ ନିବେଦିତା କହିଛନ୍ତି ଯେ ଅବ୍ୟବସ୍ଥିତ ଅବସ୍ଥାରେ ଥିବା ବସ୍ ଷ୍ଟପ୍ ଗୁଡିକର ନିୟମିତ ରକ୍ଷଣାବେକ୍ଷଣ କରାଯାଉଛି। ଏକ ସ୍ବତନ୍ତ୍ର ଟିମ୍ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବା ପରେ ମରାମତି କରାଯାଉଛି। ଯେଉଁ ବସ୍ ଷ୍ଟପ୍ ବେଶି ଖରାପ ହୋଇପଡ଼ିଥାଏ, ତାହାକୁ ପ୍ରାଥମିକତା ଭିତ୍ତିରେ ମରାମତି କରାଯାଇଥାଏ। ତେବେ ବସ୍ ଷ୍ଟପ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ବିଷୟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe