ଭୁବନେଶ୍ବର: ୨୦୧୯ ମସିହାରେ ହୋଇଥିବା ସାମୁଦ୍ରିକ ବାତ୍ୟା ଫନି ପରଠୁ ଭିଏସ୍ଏସ୍ନଗର ଓଡ଼ିଶ୍ୟାଲି ଛକରେ ଥିବା ହାଇମାଷ୍ଟ ଲାଇଟ୍ ଭାଙ୍ଗିଯାଇଛି। ପ୍ରାୟ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଲାଇଟ୍ ମରାମତି ହୋଇପାରୁନି। ଖୁଣ୍ଟ ଓ ଲାଇଟ୍ ଷ୍ଟାଣ୍ଡ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଛି। ତେଣୁ ଏହି ବାଟ ଦେଇ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଏଣେ ବିଏମ୍ସି ଓ ଇଡ୍କୋର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଉଭୟ ସଂସ୍ଥା ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଚୁପ୍ ବସି ଯାଇଛନ୍ତି।
ବିଏମ୍ସି ୧୦ନମ୍ବର ୱାର୍ଡ ଅଧୀନରେ ରହିଛି ଏହି ଛକ। ଚକେଇସିଆଣି, ସମେଇଗାଡ଼ିଆ, ଭିଏସ୍ଏସ୍ ନଗର, ରସୁଲଗଡ଼, ମଞ୍ଚେଶ୍ବର ଅଞ୍ଚଳର ଲୋକମାନେ ଏହି ଛକ ଦେଇ ଯାତାୟାତ କରୁଛନ୍ତି। ରସୁଲଗଡ଼ ଛକରୁ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଯିବା ପାଇଁ ଏହା ମୁଖ୍ୟ ରାସ୍ତା। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ କାମ କରୁଥିବା ଶ୍ରମଜୀବୀ ପୁରୁଷ ଓ ମହିଳାମାନେ ଏହି ଛକ ଦେଇ ଯିବା ଆସିବା କରୁଛନ୍ତି। ରାତିରେ ଏହି ଛକରେ ଘୋର ଅନ୍ଧାର ରାଜୁତି କରୁଥିବାରୁ ଲୋକେ ଚୋରି, ଛିନ୍ତାଇର ଶିକାର ହେଉଛନ୍ତି। ଫନି ବାତ୍ୟା ପରେ ସହରର ସବୁ ସ୍ଥାନରେ ଲାଇଟ୍ଗୁଡ଼ିକୁ ମରାମତି ହୋଇଥିଲେ ମଧ୍ୟ ଏହି ଲାଇଟ୍କୁ କାହିଁକି କରାଯାଉନି, ତାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳବାସୀ ତୁରନ୍ତ ଏହାର ମରାମତି ଦାବି କରିଛନ୍ତି। ଏନେଇ ବିଏମ୍ସି ଅଧିକାରୀଙ୍କୁ ପଚାରିବାରୁ ତାହା ଇଡ୍କୋର କାମ ବୋଲି କହୁଥିବା ବେଳେ ଇଡ୍କୋ କର୍ତ୍ତୃପକ୍ଷ ତାହାକୁ ବିଏମ୍ସିର କାମ ବୋଲି କହୁଛନ୍ତି। ଉଭୟ ସଂସ୍ଥା ପରସ୍ପର ଉପରକୁ ଦୋଷ ଠେଲି ଦେଉଥିବା ବେଳେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି।
Follow Us