ଉପସରଣମ୍‌ ନୃତ୍ୟ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୫୭ ନୃତ୍ୟଶିଳ୍ପୀ

ଉପସରଣମ୍‌ ନୃତ୍ୟ ଉତ୍ସବ: ପ୍ରତିଭା ପ୍ରଦର୍ଶନ କଲେ ୫୭ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପଠାରେ ଉପସରଣମ୍‌ର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୭ ଜଣ ଯୁବ ନୃତ୍ୟଶିଳ୍ପୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ‘ବିଷ୍ଣୁ ବନ୍ଦନା’ ନୃତ୍ୟାଭିନୟରୁ ଆରମ୍ଭ ହୋଇଥିଲା ଏବଂ ଏହାକୁ ଐଶ୍ୱର୍ଯ୍ୟା ସିଂହଦେବଙ୍କ ଦ୍ୱାରା ଏକ ସମୂହ ସଂରଚନାରେ ଉପସ୍ଥାପନ କରାଯାଇଥିଲା। ନୃତ୍ୟଶିଳ୍ପୀମାନେ ଲୋକପ୍ରିୟ ଶ୍ଳୋକ ‘ଶାନ୍ତାକାରମ୍ ଭୁଜଗଶୟନମ୍‌’ ମାଧ୍ୟମରେ ନିଜ କଳାର ପ୍ରଦର୍ଶନ କରିଥିଲେ ।

‘ଗୁରୁ ବନ୍ଦନା’ ନୃତ୍ୟାଭିନୟକୁ ମଧ୍ୟ ଗୁରୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ସୃଜନର ଯୁବ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ। ଏଥିରେ ଚିନ୍ମୟୀ, ଅର୍ଚିସା, ସାନ୍‌ଭି, ଦୀପର୍ଣ୍ଣିତା, ପ୍ରତ୍ୟାଶା, ତ୍ରିଷ୍ଣା, ଶୁଭଲକ୍ଷ୍ମୀ, ଗାୟତ୍ରୀ, ପ୍ରୀତିଶ୍ରୀ, ଶତାକ୍ଷୀ, ଦୀପିକା, ରୋଶ୍‌ନି ଓ ସାଇ ପ୍ରସାଦ ପ୍ରମୁଖ ନିଜ ପ୍ରତିଭା ଦେଖାଇଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ଏକ କାଳଜୟୀ ସଂରଚନା ‘ଆରଭି ପଲ୍ଲବୀ’କୁ ସୁଜାତା ପ୍ରଧାନଙ୍କ ଦ୍ୱାରା ଗଠିତ ଏକ ପ୍ରତିଷ୍ଠିତ ସମୂହରେ ଉପସ୍ଥାପନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗୁରୁ ମୀରା ଦାସ, ଗୁରୁ ସଙ୍ଗୀତା ଗୋସାଇଁ, ଗୁରୁ ଧନେଶ୍ୱର ସ୍ୱାଇଁ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ସୃଜନର ଯୁବ ଓ ନୂଆ ନୃତ୍ୟଶିଳ୍ପୀମାନେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ନୂତନ-ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସାମକଳାର ପ୍ରଦର୍ଶନ କରିଥିଲେ। ନୃତ୍ୟଶିଳ୍ପୀ ପ୍ରାଚୀ, ଶ୍ରୁତି ଜ୍ୟୋତ୍ସ୍ନା, ନିଶିତା, ଅଭିଶିକ୍ତା, ଦୀପନ୍ୱିତା, ଆଞ୍ଜେଲିନା , ଅମ୍ରିତା ଓ ପ୍ରୀତି ପ୍ରଜ୍ଞା ଏହି ପରିବେଷଣ କରିଥିଲେ। ସୃଜନର ମୁଖ୍ୟ ଅଧ୍ୟାପିକା ଓ ଲୋକପ୍ରିୟ ଓଡ଼ିଶୀ ନୃତ୍ୟଶିଳ୍ପୀ ରାଜଶ୍ରୀ ପ୍ରହରାଜଙ୍କ ମାର୍ଗଦର୍ଶନ ଏହା ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe