ବାଲିଅନ୍ତାରେ ୟୁରିଆ କଳାବଜାର: ବସ୍ତା ପିଛା ୧୮୦ ଟଙ୍କା ଅଧିକ, ଶୋଇଛି ସମବାୟ ଓ କୃଷି ବିଭାଗ

ବାଲିଅନ୍ତାରେ ୟୁରିଆ କଳାବଜାର: ବସ୍ତା ପିଛା ୧୮୦ ଟଙ୍କା ଅଧିକ, ଶୋଇଛି ସମବାୟ ଓ କୃଷି ବିଭାଗ

ବାଲିଅନ୍ତା: ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ପରେ ପରେ ବନ୍ୟା ଚାଷୀମାନଙ୍କ ମେରୁଦଣ୍ଡ ଦୋହାଲାଇ ଦେଇଛି। ପ୍ରଚୁର ପରିବା ଓ ଧାନ ଫସଲ ନଷ୍ଟ ହୋଇଛି। ଏଥିସହ କେଉଁଠି କାଣ୍ଡବିନ୍ଧା ପୋକ ତ କେଉଁଠି ଜଉପୋକ ବନ୍ୟାରୁ ବର୍ତ୍ତି ଯାଇଥିବା ଧାନ ଚାଷକୁ ଖିନ୍‌ଭିନ୍ କରୁଛନ୍ତି। ତେବେ ଏ ସବୁକୁ ଏବେ ବଳେଇ ଯାଇଛି ସାର କଳାବଜାର। ମୁନାଫାଖୋର୍ ସାର ବ୍ୟବସାୟୀମାନେ ଚାଷୀଙ୍କୁ ଶୋଷିବା ମଉକା ହାତଛଡ଼ା କରୁନାହାନ୍ତି। ଏବେ ୟୁରିଆ ସାର ଯୋଗାଣରେ ଘୋର ଅଭାବ ଥିବା ମଉକାରୁ ଫାଇଦା ଉଠାଉଛନ୍ତି ସ୍ଥାନୀୟ ସାର ବିକ୍ରେତା। କଳାବଜାରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ପ୍ୟାକେଟ୍‌ ପିଛା ୧୮୦ ଟଙ୍କା ଅଧିକ ନେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।

ସୂଚନାନୁସାରେ, ୪୫ କେଜି ଓଜନର ୟୁରିଆ ପ୍ୟାକେଟ୍‌ ପିଛା ନିର୍ଦ୍ଧାରିତ ସରକାରୀ ମୂଲ୍ୟ ୨୬୬ଟଙ୍କା ୫୦ ପଇସା ଅଛି। କିନ୍ତୁ ସାର ବିକ୍ରେତାମାନେ ଚାଷୀଙ୍କଠାରୁ ୪୪୫ଟଙ୍କା ରଖୁଛନ୍ତି। ଅର୍ଥାତ୍ ପ୍ୟାକେଟ୍‌ ପିଛା ଚାଷୀମାନେ ଅଧିକ ୧୮୦ ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଧାନଗଛ ବଢ଼ିବା ପାଇଁ ନାଇଟ୍ରୋଜେନ୍‌ ସାର ଆବଶ୍ୟକ ଥିବାରୁ ଚାଷୀମାନେ ଚଢ଼ା ଦାମ୍‌ରେ ହେଉ ପଛେ ୟୁରିଆ କିଣିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି। ଖୋଲା ବଜାରରେ ସାରର ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି। କାଣ୍ଡବିନ୍ଧା ପୋକ ଓ ଜଉପୋକ କବଳରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ପଂଜୀକୃତ ବା ଫାର୍ମର୍ସ ପରିଚୟପତ୍ର (ଆଇଡି) ନଥିବା ଚାଷୀମାନେ କୀଟନାଶକ ଔଷଧ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଏବେ ୟୁରିଆ ସାରର କଳାବଜାର ବନ୍ୟାଞ୍ଚଳ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ତେବେ ଚାଷୀମାନଙ୍କ ଏଭଳି ଦୁର୍ଦ୍ଦିନରେ ବ୍ଲକ କୃଷି ବିଭାଗ ଓ ସମବାୟ ବିଭାଗ ବେଫିକର ଥିବା ଅଭିଯୋଗ ହେଉଛି। ବ୍ଲକ କୃଷି ବିଭାଗ ସମବାୟ ସମିତିରେ ଚାଷୀଙ୍କ ଲାଗି ଆବଶ୍ୟକ ୟୁରିଆ ପହଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଇନାହିଁ। ଧାନ ମଣ୍ଡିରୁ ଓ ବିହନ ବିକ୍ରିରୁ ଫାଇଦା ଉଠାଉଥିବା ସମବାୟ ସମିତିମାନେ ଏବେ ଚାଷୀଙ୍କୁ ସାର ବିକିବା କାମ ହାତକୁ ନେଉନାହିଁ। ସେହିପରି କଳାବଜାରରେ ଚାଷୀଙ୍କୁ ୟୁରିଆ ବିକ୍ରି କରୁଥିବା ସାର ଗୋଦାମ ତଥା ଦୋକାନରେ ଚଢ଼ଉ କରାଯାଉନାହିଁ। ଏମିତିକି ସଂପୃକ୍ତ ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେଣୁ ସାର ବିକ୍ରେତା ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଓ ସଲାସୁତୁରା ଥିବା ଆଲୋଚନା ହେଉଛି। ଜଣେ କୃଷି ଅଧିକାରୀଙ୍କ ସୂଚନାନୁସାରେ, ବାଲିଅନ୍ତା ପାଇଁ ୩୦୦ଟନ୍‌ ୟୁରିଆ ସାର ଆବଶ୍ୟକ ରହିଛି ଓ ଖୁବ୍‌ ଶୀଘ୍ର ସାର ଯୋଗାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe