ଉତ୍କଳ ବନ୍ଦନା ଗାଇଲେ ୫୦ହଜାର ଛାତ୍ରଛାତ୍ରୀ

ରାଜଧାନୀରେ ନୂଆ କୀର୍ତିମାନ

ଉତ୍କଳ ବନ୍ଦନା ଗାଇଲେ ୫୦ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ବ୍ୟାସକବି ଫକୀରମୋହନ ଜୟନ୍ତୀରେ ରାଜଧାନୀରେ ସୃଷ୍ଟି ହୋଇଛି ନୂତନ କୀର୍ତିମାନ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ବିଶାଳ ଶିଶୁ ମହୋତ୍ସବରେ ଯୋଗ ଦେବାକୁ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା ୫୦ ହଜାର ଛାତ୍ରଛାତ୍ରୀ ବରମୁଣ୍ଡା ପଡ଼ିଆରେ ଏକାଠି ହୋଇ ଉତ୍କଳ ଜନନୀଙ୍କ ବନ୍ଦନା କରିଥିଲେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’ର ସମବେତ ଗାୟନରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ଓଡ଼ିଶା ଇତିହାସରେ ଏମିତି ଏକ ଫର୍ଦ ଯୋଡ଼ିଥିଲେ ରାଜ୍ୟର ୧୦୩୭ ବିଦ୍ୟାଳୟର ଛାତ୍ରଛାତ୍ରୀ। ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଂଗୀତ ସଂଯୋଜନା ଏବଂ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ସଂଗୀତ ପରିଚାଳନାରେ ସମସ୍ତ ଉପସ୍ଥିତ ଶିଶୁଙ୍କ କଣ୍ଠରେ ଝଙ୍କୃତ ହୋଇଥିଲା ସାରା ପରିବେଶ। ବନ୍ଦେ ଉତ୍କଳ ଜନନୀ ପରେ ‘ଆମେ ପଢ଼ିବୁ ଗଢ଼ିବୁ ଶ୍ରେଷ୍ଠ ହେବୁ... ଗୀତ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ। ଶ୍ରୀ ପାଲିତ୍‌ ଏହାର ସଂଗୀତ ସଂଯୋଜନା କରିଥିଲେ। ଶେଷରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ବନ୍ଦେ ମାତରମ... ସଂଗୀତ ପରିବେଷଣ କରିଥିଲେ ସମବେତ ୫୦ ହଜାର ଛାତ୍ରଛାତ୍ରୀ ଏବଂ ୫ହଜାରରୁ ଊର୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଯୋଗଦେଇ ପିଲାମାନଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଲେ, ଯାହା ବି କରୁଛ ନିଷ୍ଠାର ସହ କର। ଶିକ୍ଷା ସହିତ ସଂଗୀତ, ନୃତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ମଧ୍ୟ ପ୍ରବଳ ସୁଯୋଗ ରହିଛି। ତେଣୁ ଯିଏ ଯେଉଁ କ୍ଷେତ୍ରରେ ପାରୁଛ ସେ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କର ବୋଲି ସେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ର ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ଥିବା ସମସ୍ତ ସ୍କୁଲ୍‌କୁ ପାଠ୍ୟ ଉପକରଣ, କାର୍ଯ୍ୟାଳୟ, ଶ୍ରେଣୀ କକ୍ଷ ଉପକରଣମାନ ଯୋଗାଇ ଦିଆଯିବା ବିଷୟ କହିଥିଲେ। ସଂସ୍ଥାନର ପ୍ରତିଷ୍ଠାତା ତଥା ମହାସଚିବ ଡ.କରୁଣାକର ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନର ସଫଳ ଯାତ୍ରା ସମ୍ପର୍କରେ ଅଭିହିତ କରିଥିବା ବେଳେ ରାଜ୍ୟ ସଭାପତି ଡ.ପ୍ରସନ୍ନ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ସକାଳ ସାଢ଼େ ୮ଟାରୁ ସଂଗୀତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିଥିଙ୍କୁ ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟର ଆୟୋଜନ ପରିବେଶରେ ଆହୁରି ଚମକ ଭରିଥିଲା। କାର୍ଯ୍ୟକ୍ରମକୁ ବହୁ ଚମତ୍କାର ଢଙ୍ଗରେ ସଂଯୋଜନା କରିଥିଲେ ଡ.ଶ୍ରୀନିବାସ ଘଟୁଆରୀ। ଏକାଦଶୀ, ସୁରେନ୍ଦ୍ର, ସତ୍ୟବ୍ରତ, ଆଲୋକପ୍ରଭା, ଅକ୍ଷୟ, ନିର୍ବାଚକ, କାହ୍ନଚରଣ, ବିଶ୍ୱନାଥ, ସୌମ୍ୟ, ସଚ୍ଚିତ୍ରାନନ୍ଦ, ଆର୍ତତ୍ରାଣ, ବିଭୂତିଭୂଷଣ, ଶୁଭକାନ୍ତ, ରାଜେଶ, ଶୈବାଳିନୀ, ଗଗନବିହାରୀ, ସ୍ୱାଧୀନ, ବିନାୟକ, ଗୌରାଙ୍ଗ, ସନତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପାରମ୍ପରିକ ନୃତ୍ୟରେ ସ୍ୱାଗତ
ବରମୁଣ୍ଡା ପଡ଼ିଆରେ ୫୦ ହଜାର ପିଲାଙ୍କ ସମାଗମ ହୋଇଥିବା ବେଳେ ପରିବେଶକୁ ରଙ୍ଗିନ୍‌ କରିବା ପାଇଁ ଭିତରେ ଜମିଥିଲା ପାରମ୍ପରିକ ସଂଗୀତ ଓ ନୃତ୍ୟ। ଶଙ୍ଖ ମହୁରୀ, ପୁରୀର ସାହିଯାତ ଓ ନାଗାନାଚ, ଯାଜପୁରର ଘୋଡ଼ାନାଚ ପରିବେଶକୁ ବିଭୋର କରିଥିଲେ। ଏଥିସହିତ ପୁରୀର ମାଲ୍‌ଖମ୍ବ କ୍ରୀଡ଼ା କୌଶଳକୁ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। ପଡ଼ିଆ ପରିସରରେ ଦେଶ ଓ ରାଜ୍ୟର ମହାପୁରୁଷ, କ୍ରୀଡ଼ା ପ୍ରତିଭା, ସାରସ୍ୱତ ସ୍ରଷ୍ଟା ଓ ପର୍ଯ୍ୟଟନସ୍ଥଳୀର ଚିତ୍ର ସମାହାର ଦେଖିବାକୁ ମିଳିଥିଲା।

ଅଢ଼େଇ ମାସର କସରତ
ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ ଆୟୋଜିତ ‘ବନ୍ଦେ ଉତ୍କଳ ଜନନୀ..ସମବେତ ଗାୟନ ଓଡ଼ିଶା ଇତିହାସରେ ଏକ ନୂଆ ଫର୍ଦ ଯୋଡ଼ିଥିବାବେଳେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ଏହି ଗାୟନ ପାଇଁ ଅଢ଼େଇ ମାସର କସରତ କରାଯାଇଥିଲା। ସଂଗୀତ ପରିଚାଳନା କରିଥିବା ଲକ୍ଷ୍ମୀକାନ୍ତ ପାଲିତ୍‌ ରାଜ୍ୟସାରା ସଂସ୍ଥାନ ଅଧୀନ ସ୍କୁଲ୍‌ମାନ ବୁଲି ବୁଲି ସଂଗୀତ ଅଭ୍ୟାସ କରାଇଥିଲେ। ଏହାର ଫଳଶ୍ରୁତି ସ୍ୱରୂପ ଆଜିର କାର୍ଯ୍ୟକ୍ରମ ସଫଳ ରୂପ ନେଇଥିଲା।

ପିଲାଙ୍କ ସହ ଗପିଲେ ମୁଖ୍ୟମନ୍ତ୍ରୀ
ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗପରେ ମଜିଥିଲେ କିଛି ଛାତ୍ରଛାତ୍ରୀ। ଭାରତୀୟ ବିଦ୍ୟା ନିକେତନର ଛାତ୍ରୀ ମୋନାଲିସା ସାହୁ ଶିକ୍ଷାକ୍ଷେତ୍ରରେ ଆଗକୁ ଆମ ପାଇଁ ଆଉ କ’ଣ ଯୋଜନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ବହୁ ଯୋଜନା ଆଗକୁ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ କେବଳ ପାଠ ନୁହେଁ ବରଂ ତୁମର ଯେଉଁ କ୍ଷେତ୍ରରେ ଦକ୍ଷତା ଅଛି ସେ କ୍ଷେତ୍ରରେ ନିଜକୁ ପ୍ରମାଣିତ କର ବୋଲି ସେ କହିଥିଲେ। ଏହି ଅବସରରେ କିଛି ପିଲାଙ୍କୁ ସେ ନିଜର ଅଟୋଗ୍ରାଫ୍‌ ଦେଇଥିଲେ। ପିଲାମାନେ ଅଟୋଗ୍ରାଫ୍‌ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଫେରିବା ବେଳେ ତାଙ୍କ ମୁହଁରେ ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା।

ତୈଳଚିତ୍ରରେ ଉତ୍କଳ ଜନନୀ

publive-image publive-image ଓଡ଼ିଶାରେ ପ୍ରଥମ କରି ଭାରତ ମାତାଙ୍କ ଶୈଳୀରେ ଉତ୍କଳ ଜନନୀଙ୍କ ତୈଳଚିତ୍ର ସୃଷ୍ଟି କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ। କାନ୍ତକବିଙ୍କ ଲିଖିତ ବନ୍ଦେ ଉତ୍କଳ ଜନନୀ..ଗୀତରେ ଥିବା ଉତ୍କଳର ସଂସ୍କୃତିକୁ ସେ ଉତ୍କଳ ଜନନୀଙ୍କ ଦେହରେ ଚିତ୍ରିତ କରିଛନ୍ତି। ଓଡ଼ିଶାର ପାରମ୍ପରିକ ଶାଢ଼ି, ବେଶଭୁଷା, ଗହଣା ପରିଧାନ କରିଥିବା ଉତ୍କଳ ମାତାଙ୍କ ତୈଳଚିତ୍ରକୁ ଆଜି ମୁଖ୍ୟମନ୍ତ୍ରୀ ବରମୁଣ୍ଡା ପଡ଼ିଆରେ ଅନାବରଣ କରିଥିଲେ। ପ୍ରଥମ କରି ଏହି ଉତ୍କଳ ଜନନୀ ଚିତ୍ର ସୃଷ୍ଟି କରିଥିବାରୁ ଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe