ଉତ୍କଳ ଦୃଷ୍ଟିହୀନ ସଂଘରେ ଅଚଳାବସ୍ଥା : ୫ କାର୍ଯ୍ୟକାରୀ ସଦସ୍ୟଙ୍କ ସମେତ ୭ଜଣଙ୍କ ଇସ୍ତଫା

Advertisment

୧୯ରେ କାର୍ଯ୍ୟକାରୀ ପରିଷଦରେ ଇସ୍ତଫା ସଂପର୍କ‌ରେ ନିଷ୍ପତ୍ତି: ସଭାପତି

୧୯ରେ କାର୍ଯ୍ୟକାରୀ ପରିଷଦରେ ଇସ୍ତଫା ସଂପର୍କ‌ରେ ନିଷ୍ପତ୍ତି: ସଭାପତି

ଉତ୍କଳ ଦୃଷ୍ଟିହୀନ ସଂଘରେ ଅଚଳାବସ୍ଥା : ୫ କାର୍ଯ୍ୟକାରୀ ସଦସ୍ୟଙ୍କ ସମେତ ୭ଜଣଙ୍କ ଇସ୍ତଫା

ଭୁବନେଶ୍ବର : ଉତ୍କଳ ଦୃଷ୍ଟିହୀନ ସଂଘରେ ବିରୋଧର ସ୍ବର ଉଠିଛି। ସଂଘରେ ବ୍ୟାପକ ଆର୍ଥିକ ଅନିୟମିତତା ସାଙ୍ଗକୁ କର୍ମକର୍ତା ନିର୍ବାଚନ ଦାବି ନେଇ ୫ କାର୍ଯ୍ୟକାରୀ ସଦସ୍ୟଙ୍କ ସମେତ ୨ଜଣ ଅଫିସ କର୍ମକର୍ତା ସଭାପତିଙ୍କ ନିକଟରେ ଇସ୍ତଫା ପ୍ରଦାନ କରିଛନ୍ତି। ଫଳରେ ଦୃଷ୍ଟିହୀନଙ୍କ କଲ୍ୟାଣ ପାଇଁ ଗଠିତ ହୋଇଥିବା ସଂଘରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ଆସନ୍ତା ୧୯ ତାରିଖରେ ସଂଘର ହେବାକୁ ଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସଂଘର ସଭାପତି ପ୍ରଶାନ୍ତ ଭୂୟାଁଙ୍କ ସୂଚନା ଅନୁସାରେ, ୧୯୭୫ ମସିହାରେ ଉତ୍କଳ ଦୃଷ୍ଟିହୀନ ସଂଘ ସ୍ଥାପିତ ହୋଇଥିଲା। ସେହିଦିନଠାରୁ ସଂଘ କାର୍ଯ୍ୟ କରି ଆସୁଛି। ତେବେ ୨୦୧୭ ମସିହାରେ ସଂଘର ପରିଚାଳନା ବୋର୍ଡର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ହେଁ ପରବର୍ତୀ କର୍ମକର୍ତା ନିର୍ବାଚନ ହୋଇନାହିଁ। ଏହି ସମୟରେ ସଂଘରୁ ବହିଷ୍କୃତ ହୋଇଥିବା କିଛି କର୍ମକର୍ତା ହାଇକୋର୍ଟରେ ସେମାନଙ୍କ ସଦସ୍ୟତା ପୁନର୍ବାର ଗ୍ରହଣ ନ ହେବା ପର୍ଯ୍ୟନ୍ତ କର୍ମକର୍ତା ନିର୍ବାଚନ ନ କରିବା ପାଇଁ ପିଟିସନ୍ ଦାଖଲ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ କର୍ମକର୍ତା ନିର୍ବାଚନରେ ସ୍ଥଗିତାଦେଶ ଜାରି କରିଥିଲେ। ଏହାକୁ ସଂଘର ପରିଚାଳନା ବୋର୍ଡରେ ଆଲୋଚନା ପରେ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ହାଇକୋର୍ଟଙ୍କ ପରବର୍ତୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ସାଧାରଣ ପରିଷଦର ସମସ୍ତ ଅଧିକାରୀ ସଂଘକୁ ଏକ କେୟାର-ଟେକର୍‌ ବା ଦେଖାଶୁଣା କରୁଥିବା ସଂଘ ଭାବେ କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ସଂଘର ବାଇ-ଲ’ରେ ଇସ୍ତଫା ସଂପର୍କରେ କୌଣସି ସୂଚନା ନାହିଁ।

ଏହି ସମୟରେ କିଛି ଲୋକ ସଂଘରୁ ଇସ୍ତଫା ଦେବା ପାଇଁ କର୍ମକର୍ତାଙ୍କୁ ଉସ୍‌କାଉଛନ୍ତି। ତେଣୁ କେୟାର-ଟେକର୍‌ ସଂଘର କିଛି କର୍ମକର୍ତା ଆଉ ସଂଘରେ କାର୍ଯ୍ୟ କରିବା ପାଇଁ ଚାହୁ ନଥିବା ଚିଠି ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହି ଇସ୍ତଫାପତ୍ର ସାଧାରଣ ପରିଷଦ ବୈଠକରେ ଗୃହୀତ ହୋଇନାହିଁ, ତାହାକୁ ଇସ୍ତଫା ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ଆସନ୍ତା ୧୯ ତାରିଖରେ କାର୍ଯ୍ୟକାରୀ ପରିଷଦର ବୈଠକ ଡକାଯାଇଛି। ସେଠାରେ ଏହାକୁ ଉପସ୍ଥାପନ କରାଯିବ। କେୟାର-ଟେକର୍‌ ସଭାପତିଙ୍କ ଇସ୍ତଫା ଗ୍ରହଣ କରିବାର କୌଣସି କ୍ଷମତା ନାହିଁ। ଯେହେତୁ ମାମଲା କୋର୍ଟର ବିଚାରାଧୀନ ରହିଛି, ତେଣୁ ଏବେ ସଂଘର କର୍ମକର୍ତା ନିର୍ବାଚନ ହୋଇପାରିବ ନାହିଁ। ସାଧାରଣ ପରିଷଦ ଯାହା ନିଷ୍ପତ୍ତି ନେବ, ତାହା ହିଁ ଶେଷ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଶ୍ରୀ ଭୂୟାଁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୃଷ୍ଟିହୀନ ପିଲାଙ୍କ ପାଇଁ ଏକ ସ୍କୁଲ ଓ ଧନ୍ଦାମୂଳକ ତାଲିମ କେନ୍ଦ୍ର ପାଇଁ ସରକାରଙ୍କ ପକ୍ଷରୁ ୪୦ ପ୍ରତିଶତ ଅର୍ଥ ଦିଆଯାଉଥିବା ବେଳେ ବଳକା ଅର୍ଥ ସଂଘ ସଂଗ୍ରହ କରିଥାଏ। ଏହାସହ ସରକାର ଯେତିକି ସଂଖ୍ୟକ ଶିକ୍ଷକ ନିଯୁକ୍ତ କରିଛନ୍ତି, ବଳକା ୬ଜଣଙ୍କୁ ସଂଘ ପକ୍ଷରୁ ନିଯୁକ୍ତ କରାଯାଇଛି। ତେବେ କର୍ମକର୍ତା ନିର୍ବାଚନ ହୋଇ ନ ଥିବାରୁ ୨୦୧୮ ଡିସେମ୍ବରରୁ ଶିକ୍ଷକଙ୍କ ଦରମା ଓ ଛାତ୍ରଛାତ୍ରୀଙ୍କ ବାବଦ ଅର୍ଥ ସରକାରଙ୍କଠାରୁ ମିଳି ନାହିଁ। ସଂଘର ପାଣ୍ଠିରୁ ମଧ୍ୟ କିଛି ମାସର ଦରମା ଶିକ୍ଷକମାନଙ୍କୁ ଦିଆଯାଇଛି। ସଂଘକୁ ଭାଙ୍ଗିବା ପାଇଁ କିଛି ବ୍ୟକ୍ତି ଚକ୍ରାନ୍ତ ଚଳାଇଛନ୍ତି। ଯଦିଓ ସଂଘର କର୍ମକର୍ତା ନିର୍ବାଚନ ହୋଇନାହିଁ, ତଥାପି ସଂଘ ଦୃଷ୍ଟିହୀନ ପିଲାଙ୍କ ପାଇଁ କାର୍ଯ୍ୟ କରିଆସୁଛି। ଯଦି ସଂଘ ଏଭଳି ଭାଙ୍ଗିଯାଏ, ତେବେ ଦୃଷ୍ଟିହୀନ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଯେଉଁ ବ୍ୟକ୍ତିମାନେ ନିଜର ସଦସ୍ୟତା ପୁନର୍ବାର ଗ୍ରହଣ କରିବା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି, ସେହି ବ୍ୟକ୍ତିମାନେ ପୁନର୍ବାର ପିଟିସନ୍ କରୁଛନ୍ତି ଯେ ସଂଘର ନିର୍ବାଚନ ହୋଇ ନଥିବାରୁ ସମସ୍ତ ଆର୍ଥିକ ଅନୁଦାନ ବନ୍ଦ କରାଯାଉ। ତେଣୁ ଏଭଳି ପରିସ୍ଥିତିରେ ସଂଘରେ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଲାଣି ବୋଲି ଶ୍ରୀ ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe