‘ମାତୃଭାଷା ପ୍ରୀତି ଦୃଷ୍ଟିରୁ ଓଡ଼ିଆ ବେଶ୍ ଧନୀ’

Advertisment

ନାଇଜର୍‌ରେ ଉତ୍କଳ ଦିବସ

ନାଇଜର୍‌ରେ ଉତ୍କଳ ଦିବସ

‘ମାତୃଭାଷା ପ୍ରୀତି ଦୃଷ୍ଟିରୁ ଓଡ଼ିଆ ବେଶ୍ ଧନୀ’

ଜଟଣୀ: ଓଡ଼ିଆ ଗରିବ ହୋଇପାରେ, ମାତ୍ର ମାତୃଭାଷା ପ୍ରୀତି ଦୃଷ୍ଟିରୁ ସମଗ୍ର ଭାରତବର୍ଷରେ ଓଡ଼ିଆ ସବୁଠୁ ଧନୀ। ପାଦରେ ପରାଧୀନତାର ବେଡ଼ି ପଡ଼ିଥିବା ସତ୍ତ୍ବେ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଓଡ଼ିଆ ବରପୁତ୍ରମାନଙ୍କ ସଂଗ୍ରାମ ସାରା ବିଶ୍ବରେ ବିରଳ। ଏହା ହିଁ ଆମ ସମୃଦ୍ଧ ମାତୃଭାଷା ଓ ଆମ ଭାଷା ପ୍ରୀତିର କଥା। ମାତ୍ର ଇତିହାସକାରମାନେ ଏହି ସଂଘର୍ଷକୁ ଯେମିତି ରୂପ ଦେବା କଥା, ତାହା ହୋଇପାରିନାହିଁ। ତେଣୁ ଆଜିର ଯୁବପିଢ଼ି ସେହି ସଂଗ୍ରାମ ବାବଦରେ ଆଜି ବହୁତ କମ୍ ଜାଣିଛନ୍ତି। ଆଉ ମାତ୍ର ୧୩ ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା, ଅଥଚ ସେତେବେଳକୁ ଓଡ଼ିଆ ଭାଷା ପ୍ରୀତି କେତେ ଥିବ, ତାହା ଭାବି ହେଉନାହିଁ। ଆଜି ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ନାଇଜର୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ସୁଧାକର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସାରା ଭାରତକୁ କେବଳ ଓଡ଼ିଶା ହିଁ ଭାଷାର ନେତୃତ୍ବ ଦେଇପାରିବ। ଓଡ଼ିଶାଠାରୁ ସାରା ଭାରତ ମାତୃଭାଷା ପ୍ରୀତି ଶିଖିବା କଥା। ମୁଖ୍ୟବକ୍ତା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କହିଲେ ଯେ ଓଡ଼ିଶା ମାଟିର ମଣିଷ ଓ ଜାତିର ଅସ୍ମିତାର ଦିବସ ହେଉଛି ଉତ୍କଳ ଦିବସ। ସମ୍ମାନିତ ଅତିଥି ବ୍ୟଙ୍ଗକବି ଜ୍ଞାନ ହୋତା ଓଡ଼ିଆ ମାଟିର ଦେବତା ଶ୍ରୀଜଗନ୍ନାଥ ଓ ସେ ସେହି ମାଟିର ଦାୟାଦ ବୋଲି ନିଜକୁ ଗର୍ବ କରୁଥିବା କହିଥିଲେ। ଅନ୍ୟତମ ଅତିଥି ନାଇଜରର କୁଳସଚିବ ପ୍ରଫେସର ଅଭୟ ନାୟକ କହିଲେ ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବାରେ ଭାଗ ନେଇଥିବା ବରପୁତ୍ରମାନଙ୍କ ସ୍ମୃତିଚାରଣ କରିବା ଓ ସେମାନଙ୍କ ପଦାନୁସରଣ କରିବା ହିଁ ଆଜି ଦିନର ଆହ୍ବାନ। କମିଟିର ସଭ୍ୟ ପ୍ରତୀକ୍ ପାତ୍ର ଓ ସୁଶ୍ରୀ ସମୀକ୍ଷା ନାୟକ, ଅଂଶୁମାନ ସାହୁ, ଶ୍ରୀମନ ମିଶ୍ର, ଉଦୟଜିତ୍ ପଟ୍ଟନାୟକ, ସୌମ୍ୟରଞ୍ଜନ ଦାସ, କୁମାର ସାହୁ, ଅଦିତି ପଣ୍ଡା, ପ୍ରାପ୍ତ ଶତପଥୀ, ସୃଷ୍ଟିମା ଶ୍ରୀବାସ୍ତବ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପ୍ରାରମ୍ଭରେ ବିଜୟ କୁମାର ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ଶେଷରେ ଅଭିନନ୍ଦନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe