ଉତ୍କଳରେ ପାଳନ ହେଲାନି ଉତ୍କଳ ଦିବସ

Advertisment

ଟଙ୍କା ଭାଗବଣ୍ଟାକୁ ନେଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ କଳି, ନିମନ୍ତ୍ରଣପତ୍ର ବାଣ୍ଟି ଅପଦସ୍ଥ କର୍ତ୍ତୃପକ୍ଷ

ଟଙ୍କା ଭାଗବଣ୍ଟାକୁ ନେଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ କଳି, ନିମନ୍ତ୍ରଣପତ୍ର ବାଣ୍ଟି ଅପଦସ୍ଥ କର୍ତ୍ତୃପକ୍ଷ

ଉତ୍କଳରେ ପାଳନ ହେଲାନି ଉତ୍କଳ ଦିବସ

representetional immage - utkaluniversity.ac.in

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ପାଳନ ହେଲାନି ଉତ୍କଳ ଦିବସ। ଏହି ଘଟଣାଟି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉତ୍କଳ ଦିବସ ପାଳନ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିମନ୍ତ୍ରଣପତ୍ର ଛାପିଥିଲେ। ଅତିଥିଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟଅତିଥି, ଅଭିନେତା ସବ୍ୟସଚୀ ମିଶ୍ର ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ନିମନ୍ତ୍ରଣପତ୍ରରେ ଉଲ୍ଲେଖ ହୋଇଥିଲା। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଉତ୍ସବରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ଦୁର୍ଗା ଶଙ୍କର ପଟ୍ଟନାୟକ, କୁଳସଚିବ ଅଭୟ କୁମାର ନାୟକ ମଞ୍ଚାସୀନ ହେବାକୁ ସ୍ଥିର ହୋଇଥିଲା। ଗତ ଏପ୍ରିଲ ୧ ତାରିଖ ଅପରାହ୍ଣ ୩ଟାରେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏମ୍‌କେସିଜି ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ଚାନ୍ଦା ଆଦାୟକୁ ନେଇ କ୍ୟାମ୍ପସରେ ଛାତ୍ର ରାଜନୀତି ଏଭଳି ସ୍ତରରେ ପହଞ୍ଚିଥିଲା ଯେ ଶେଷ ମୁହୂର୍ତ୍ତରେ କର୍ତ୍ତୃପକ୍ଷ ଉତ୍ସବକୁ ବାତିଲ୍‌ କରିବାକୁ ବାଧ୍ୟ ହୋଇଥିଲେ। ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏବେ ବଦନାମ ମୁଣ୍ଡାଇବାକୁ ପଡ଼ିଛି।

ପୂର୍ବରୁ ପ୍ରତିବର୍ଷ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିତ ହୋଇଆସୁଥିଲା। ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ଉତ୍କଳର ଗାରିମାମୟ ଇତିହାସକୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରୁଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିମନ୍ତ୍ରଣକ୍ରମେ ବିଭିନ୍ନ ବର୍ଷରେ ମନ୍ତ୍ରୀ, ବିଧାୟକ, ପ୍ରଶାସକ, ସାହିତ୍ୟିକ, ସାମାଜିକ କର୍ମୀମାନେ ଉତ୍ସବରେ ସାମିଲ ହୋଇ ବକ୍ତବ୍ୟ ରଖିଥାନ୍ତି। ‌ସେହି ଅନୁଯାୟୀ ଏଥର ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ଏପ୍ରିଲ ୧୯ରେ ନାକ୍‌ ଟିମ୍‌ ତିନି ଦିନିଆ ଗସ୍ତରେ ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଅତିଥି ତାଲିକା ଚୂଡ଼ାନ୍ତ କରି ନିମନ୍ତ୍ରଣପତ୍ର ପଠାଇ ସାରିଥିଲେ। ପ୍ରେକ୍ଷାଳୟର ସିଟ୍‌ ସଂଖ୍ୟାକୁ ଦେଖି ୨୫୦ଜଣଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା। ମାର୍ଚ୍ଚ ୩୦ ଓ ୩୧ ତାରିଖରେ ନିମନ୍ତ୍ରଣପତ୍ର ବଣ୍ଟା ଯାଇଥିଲା। ମାତ୍ର ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଯାଇଥିଲା ଯେ ମାର୍ଚ୍ଚ ୩୧ ରାତି ପ୍ରାୟ ୮ଟା ବେଳେ ଉତ୍ସବ ଆୟୋଜନ ନ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଏଥର କୌଣସି ଛାତ୍ର ଗୋଷ୍ଠୀଙ୍କୁ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବ ନ ଦେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥର ନିଜେ ସମସ୍ତ କଥା ବୁଝିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ସୁପାରିସ୍‌ ଆଧାରରେ ଅତିଥିମାନଙ୍କ ଚୟନ ହୋଇଥିଲା। ହେଲେ ଏକ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀର କିଛି ନେତାଙ୍କ ଚାପ ଏଭଳି ପଡ଼ିଥିଲା ଯେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସମ୍ପୃକ୍ତ ଛାତ୍ରଗୋଷ୍ଠୀଙ୍କୁ ଦାୟିତ୍ବ ଦେଇଥିଲେ। ଏହାପରେ କ୍ୟାମ୍ପସରେ ସକ୍ରିୟ ଥିବା ବାକି ଦୁଇଟି ଛାତ୍ର ସଙ୍ଗଠନର ନେତାମାନେ ଦାୟିତ୍ବ ନେବାକୁ ଅଡ଼ି ବସିଥିଲେ। ଯେଉଁଥିପାଇଁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ବ ଦେଇଥିଲେ। ନାକ୍‌ ଟିମ୍‌ ଆସିବା ପୂର୍ବରୁ କ୍ୟାମ୍ପସରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ହୁଏ ସେଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଗୋଷ୍ଠୀଙ୍କ ସମସ୍ତ ଦାବିକୁ ମାନି ନେଇଥିଲେ। ତିନି ଛାତ୍ରଗୋଷ୍ଠୀଙ୍କ ସହ ଆଲୋଚନା କରି ଧାର୍ଯ୍ୟ ଅର୍ଥରେ କାର୍ଯ୍ୟକ୍ରମ ସୁରୁଖୁରୁରେ କରିବାକୁ ଉଦ୍ୟମ କରୁଥିବା ବେଳେ ଶେଷ ମୂହୁର୍ତ୍ତରେ ଗୋଟିଏ ଛାତ୍ରଗୋଷ୍ଠୀର ଆଉ କିଛି ନେତା ମଧ୍ୟ ଉତ୍ସବ ପାଳନର ଦାୟିତ୍ବ ନେବାକୁ ଅଡ଼ି ବସିଥିଲେ। ନ ହେଲେ ଉତ୍ସବ ଦିନ କ୍ୟାମ୍ପସରେ ଗଣ୍ଡଗୋଳ କରିବାକୁ ଧମକ ଦେଇଥିଲେ। ତେଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମକୁ ବାତିଲ୍‌ କରିବା ସହ ନିମନ୍ତ୍ରିତ ଅତିଥିମାନଙ୍କୁ କ୍ଷମା ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe