Advertisment

ଛଉ ନୃତ୍ୟ ଛାତ୍ରୀଙ୍କୁ ନିଶା ଦେଇ ନଗ୍ନ ଭିଡିଓ ଉତ୍ତୋଳନ

Advertisment

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଘଟଣ

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଘଟଣ

ଛଉ ନୃତ୍ୟ ଛାତ୍ରୀଙ୍କୁ ନିଶା ଦେଇ ନଗ୍ନ ଭିଡିଓ ଉତ୍ତୋଳନ

ଭୁବନେଶ୍ୱର: ଯେଉଁଠି ନୃତ୍ୟ ଓ ସଂଗୀତର ଦେବୀଙ୍କ ଆରାଧନା ହେବା କଥା ସେଠି ଏବେ ଛାତ୍ରୀଙ୍କ ଇଜ୍ଜତ ବାଜିରେ ଲାଗୁଛି। ରାଜଧାନୀର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ (ଛଉ ନୃତ୍ୟ ବିଭାଗ) ଛାତ୍ରୀଙ୍କୁ ଜଣେ ସହପାଠୀ ଓ ଜଣେ ପୁରାତନ ଛାତ୍ର ନିଶା ବଟିକା ଖୁଆଇ ନଗ୍ନ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିବା ନେଇ ସଂଗିନ ଅଭିଯୋଗ ହୋଇଛି। ଅଚେତ ଅବସ୍ଥାରେ ଉଦ୍ଧାର ହେବା ପରେ ସଂପୃକ୍ତ ଛାତ୍ରୀ ଜଣକ ଏବେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସଂଧ୍ୟାରେ ଛାତ୍ରୀଙ୍କ ବାପା ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସଂପୃକ୍ତ ଯୁବକମାନଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି। ପୁଲିସ ଆଜି ହସ୍ପିଟାଲ ଯାଇ ଛାତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ସଂଗୀତ ମହାବିଦ୍ୟାଳୟକୁ ଯାଇ ଛାତ୍ରୀଙ୍କ କେତେକ ସହପାଠୀ ଓ କର୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରିଛି। ଏହି ଘଟଣା ଆଜି ଜଣାପଡ଼ିବା ପରେ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଝିଅର ପରୀକ୍ଷା ଥିଲା। ତାଙ୍କୁ ସେ ନିଜେ ମହାବିଦ୍ୟାଳୟକୁ ଛାଡ଼ିବାକୁ ଯାଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟାବେଳେ ତାଙ୍କ ବଡ଼ ଝିଅ ମହାବିଦ୍ୟାଳୟରୁ ସାନ ଝିଅକୁ ଘରକୁ ନେଇ ଆସିଥିଲା। ତେବେ ଘରେ ପହଞ୍ଚିବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲା। ଏଭଳି ଘରେ ଦୁଇ ଦୁଇ ଥର ଚେତାଶୂନ୍ୟ ହେବା ପରେ ଘର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ସେମାନେ ତାକୁ ପଚାରିବାରୁ ଝିଅ କହିଥିଲା ଯେ କଲେଜର ଜଣେ ସହପାଠୀ ଓ ଜଣେ ପୁରାତନ ଛାତ୍ର ତା’କୁ ଚକୋଲେଟ ଭଳି ଏକ ବଟିକା ଖାଇବାକୁ ଦେଇଥିଲେ। ଏହି ବଟିକା ଖାଇବା ପରେ ପରେ ସେ ଚେତାଶୂନ୍ୟ ଭଳି ଅନୁଭବ କରିଥିଲା। ପରେ ନିଜକୁ ସେ ମହାବିଦ୍ୟାଳୟର ଟଏଲେଟ ଭିତରେ ପାଇଥିଲା। ଚେତା ଫେରିବା ପରେ ସେ ଅନୁଭବ କରିଥିଲା ଯେ ତାକୁ ଉଲଗ୍ନ କରି ମୋବାଇଲ୍‌ ଫୋନ୍‌ରେ ଫଟୋ ଓ ଭିଡିଓ ସୁଟିଂ କରାଯାଇଛି। ଝିଅ ମୁହଁରୁ ଏହା ଶୁଣିବା ପରେ ପରିବାର ଲୋକ ହତବାକ୍‌ ହୋଇ ଯାଇଥିଲେ। ଝିଅ ଅସୁସ୍ଥ ଅନୁଭବ କରୁଥିବାରୁ ଘର ଲୋକେ ତା’କୁ ପ୍ରଥମେ ୟୁନିଟ-୩ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ।

ପୀଡ଼ିତା ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର ସମୀର ରଂଜନ ମହାନ୍ତି ଏଭଳି ଅନେକ ଝିଅଙ୍କୁ ନିଶା ବଟିକା ଖୁଆଇ ଚେତାଶୂନ୍ୟ କରିବା ପରେ ମୋବାଇଲ୍‌ ଫୋନ୍‌ରେ ଭିଡିଓ ଓ ଫଟୋ ଉତ୍ତୋଳନ କରିଆସୁଛି। ପରେ ଛାତ୍ରୀମାନଙ୍କୁ ବ୍ଲାକମେଲ୍‌ କରି ଟଙ୍କା ଉର୍ପାଜନ କରୁଛି ନଚେତ ସେମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଛି। ତେଣୁ ତାଙ୍କ ଝିଅ କ୍ଷେତ୍ରରେ ସମୀର ଏଭଳି କାଣ୍ଡ କରିଥିବା ସେ ସନ୍ଦେହ କରୁଛନ୍ତି। ତେବେ ଏଭଳି ଅଭିଯୋଗ ସମ୍ପର୍କରେ ଖାରବେଳନଗର ଥାନା ଏସିପି ଅନୁପ କାନୁନ୍‌ଗୋ କହିଛନ୍ତି, ପୁଲିସ ଟିମ୍‌ ହସ୍ପିଟାଲ ଯାଇ ଛାତ୍ରୀଙ୍କୁ ପଚରାଉଚରା କରିଥିଲା। ଛାତ୍ରୀ ଜଣକ ପୁଲିସକୁ କହିଥିଲେ କି, ସେ ପରୀକ୍ଷା ପାଇଁ ଠିକ୍‌ ଭାବେ ଖିଆପିଆ କରି ନ ଥିଲେ। ସକାଳୁ ସେ କିଛି ନ ଖାଇ ମହାବିଦ୍ୟାଳୟକୁ ଚାଲି ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ଦୁର୍ବଳ ଲାଗିଥିଲା। ଦୁଇ ଜଣ ସହପାଠୀ ତାଙ୍କୁ ଏକ ଚକୋଲେଟ ଖାଇବାକୁ ଦେଇଥିଲେ। ଏହି ଚକୋଲେଟ ଖାଇବା ପରେ ସେ ଚେତା ହରାଇଥିଲେ। ତେବେ ଛାତ୍ରୀଙ୍କ ବାପା ସଂଗିନ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗ ଉପରେ ତଦନ୍ତ ଚାଲିଛି ବୋଲି ଏସିପି ଶ୍ରୀ କାନୁନଗୋ କହିଛନ୍ତି।

ଘଟଣା ପ୍ରଥମ ନୁହେଁ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଅସଦାଚରଣ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ଘଟିଛି। ଠିକ୍‌ ବର୍ଷକ ତଳେ ଏହି ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେବା ସହ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ତଦନ୍ତ କରାଯାଇଥିଲା। ପରବର୍ତୀ ସମୟରେ ଅପୋସ ସମାଧାନ ମାଧ୍ୟମରେ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ୨୦୧୫ରେ ମଧ୍ୟ ଛାତ୍ରୀନିବାସରୁ ରାତିରେ ଛାତ୍ରୀମାନେ ବାହାରକୁ ଚାଲି ଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ଏଭଳି ଅଭିଯୋଗ ବିରୋଧରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ସହ ଟାୟାର ଜାଳି ସଚିବାଳୟ ମାର୍ଗ ଅବରୋଧ କରିଥିଲେ।

ମୁରବୀ ଶୂନ୍ୟ ମହାବିଦ୍ୟାଳୟ
କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଏବେକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦେଶିକା ତମସାରାଣୀ ଦାସମହାପାତ୍ର ଯିବା ପରେ ଆଉ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହୋଇପାରୁ ନାହାନ୍ତି। ବାରମ୍ବାର ବଦଳି ହେଉଛି। ଅଧିକାଂଶ ସମୟ ସଂସ୍କୃତି ବିଭାଗ ନିର୍ଦେଶକ ଏଠାରେ ଭାରପ୍ରାପ୍ତ ଦାୟିତ୍ୱରେ ରହୁଛନ୍ତି। ଏପରିକି ସଂସ୍କୃତି ବିଭାଗ ନିର୍ଦେଶକ ଏକାଥରେ ୩ଟି କାର୍ଯ୍ୟ ସମ୍ଭାଳୁଥିବାରୁ ସମସ୍ୟା ଉପୁଜିଛି। ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅଧ୍ୟାପକଙ୍କୁ ବିଭିନ୍ନ ସଂସ୍ଥାରେ ଥଇଥାନ କରାଯାଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ମହାବିଦ୍ୟାଳୟର ସ୍ଥାୟୀ ମୁରବୀ ରହୁ ନ ଥିବାରୁ ଯେଉଁମାନେ ରହୁଛନ୍ତି ସେମାନେ କ୍ୟାମ୍ପସ ପ୍ରତି ଏତେଟା ଗୁରୁତ୍ୱ ଦେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe