ଉତ୍କଳ ବିଶ୍ୱବିଦ୍ୟାଳୟର ‘ରୁସା’ ସଂଯୋଜକ ପଦରୁ ହଟିଲେ ହିମାଂଶୁ ଶେଖର ରାଉତ

Advertisment

ମୁଣ୍ଡ ନୁଆଁଇଲେ କୁଳପତି, ଡ. ନମିତା ଦାଶ ନୂଆ ସଂଯୋଜକ

ମୁଣ୍ଡ ନୁଆଁଇଲେ କୁଳପତି, ଡ. ନମିତା ଦାଶ ନୂଆ ସଂଯୋଜକ

ଉତ୍କଳ ବିଶ୍ୱବିଦ୍ୟାଳୟର ‘ରୁସା’ ସଂଯୋଜକ ପଦରୁ ହଟିଲେ ହିମାଂଶୁ ଶେଖର ରାଉତ

File Photo

ଭୁବନେଶ୍ବର : ଶେଷରେ ହଟିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ସଂଯୋଜକ ଡ. ହିମାଂଶୁ ଶେଖର ରାଉତ। ଦୀର୍ଘଦିନ ହେଲା ଶ୍ରୀ ରାଉତଙ୍କୁ ଘଣ୍ଟ ଘୋଡ଼ାଇ ଆସୁଥିବା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି। ଗତକାଲି ଶ୍ରୀ ରାଉତଙ୍କୁ ରୁସା ସଂଯୋଜକ ପଦରୁ ହଟାଇ ଦିଆଯାଇଛି। ଆଉ ତାଙ୍କ ସ୍ଥାନରେ ପୁଣି ଜଣେ ମହିଳା ପ୍ରାଧ୍ୟାପିକାଙ୍କୁ ନିଯୁକ୍ତି ଦେଇଛନ୍ତି କୁଳପତି ପ୍ରଫେସର ପଟ୍ଟନାୟକ। ଗଣିତ ବିଭାଗର ଡ. ନମିତା ଦାଶ ରୁସା ସଂଯୋଜକ ଭାବେ ନିଯୁକ୍ତି ହେବା ସହ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି।

ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା‌ ଅଭିଯାନ (ରୁସା) ପାଣ୍ଠିରୁ ବିଶ୍ବବିଦ୍ୟାଳୟକୁ ଆସୁଥିବା କୋଟି କୋଟି ଟଙ୍କା ହେରଫେର ହେଉଥିବା ଅଭିଯୋଗ କରି ଡ. ରାଉତଙ୍କୁ ରୁଷା ସଂଯୋଜକ ପଦରୁ ହଟାଇବା ପାଇଁ ଦୁଇ ମାସ ହେଲା ଛାତ୍ରଛାତ୍ରୀ ଦାବି କରି ଆସୁଥିଲେ। କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭିନ୍ନ ସମୟରେ ଭଙ୍ଗାରୁଜା ବି କରିଥିଲେ। ତଥାପି କୁଳପତି ପ୍ରଫେସର ପଟ୍ଟନାୟକ ମୁଣ୍ଡ ନୁଆଁଇ ନ ଥିଲେ। ବରଂ ଛାତ୍ରଛାତ୍ରୀଙ୍କ ମୁକାବିଲା କରିବା ସହ ଡ. ରାଉତଙ୍କୁ ସୁରକ୍ଷା ଦେଉଥିଲେ। ଏମିତିକି ଡ. ରାଉତଙ୍କୁ ସୁରକ୍ଷା ଦେବାକୁ ଯାଇ କୁଳପତି ପ୍ରଫେସର ପଟ୍ଟନାୟକ ଆନ୍ଦୋଳନର ନେତୃତ୍ବ ନେଉଥିବା ଛାତ୍ରନେତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। କୁଳପତି ପୁଲିସର ଦ୍ବାରସ୍ଥ ହେବା ପରେ ଗୋଟିଏ ଛାତ୍ରଗୋଷ୍ଠୀ ନରମି ଯାଇଥିଲେ। ହେଲେ ଆଉ ଗୋଟିଏ ଗୋଷ୍ଠୀ ପଛଘୁଞ୍ଚା ଦେଇ ନ ଥିଲେ। ବରଂ ଡ. ରାଉତଙ୍କୁ ଘଣ୍ଟ ଘୋଡ଼ାଉଥିବାରୁ କୁଳପତିଙ୍କ ନାମରେ ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରିଥିଲେ। ପରିଣାମ ସ୍ବରୂପ କୁଳପତି ବାଧ୍ୟ ହୋଇ ଶ୍ରୀ ରାଉତଙ୍କୁ ପଦରୁ ହଟାଇଛନ୍ତି।

ଡ. ରାଉତ ରୁସା ସଂଯୋଜକ ପଦରୁ ହଟିଥିଲେ ମଧ୍ୟ ତାଙ୍କ ନିଯୁକ୍ତିକୁ ନେଇ ଏବେ ବି ବିବାଦ ଲାଗି ରହିଛି। ବିଶ୍ବବିଦ୍ୟାଳୟରୁ ତାଙ୍କୁ ବହିଷ୍କାର ଦାବି ହୋଇଛି। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସାର୍ଟିଫିକେଟ୍‌ ଜାଲିଆତି କରି ଶ୍ରୀ ରାଉତ ନିଯୁକ୍ତି ପାଇଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ସମୟରେ ତଦନ୍ତ କରାଯାଇଛି। ରିପୋର୍ଟ ଦେବାକୁ କୁଳପତିଙ୍କୁ କୁହାଯାଇଛି। ହେଲେ କୁଳପତି ପ୍ରଫେସର ପଟ୍ଟନାୟକ ସବୁବେଳେ ଚୁପ୍‌ ରହିଛନ୍ତି। ଏନେଇ ଆଗାମୀ ଦିନରେ କୁଳାଧିପତି ତଥା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ୫-ଟି ସଚିବଙ୍କ ନିକଟରେ ଅଭିଯୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe