ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅପାରଗତା-୬ : ଗବେଷଣା ଚେୟାର ପ୍ରହସନ

Advertisment

ବକ୍ସି ଜଗବନ୍ଧୁ ଚେୟାର କେବେ?

ବକ୍ସି ଜଗବନ୍ଧୁ ଚେୟାର କେବେ?

ସେଲ୍‌ଫ ଫାଇନାନ୍ସିଂ କୋର୍ସରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସର୍ବାଧିକ କ୍ୟାମ୍ପସ ନିଯୁକ୍ତି

timesofindia.indiatimes.com

ଭୁବନେଶ୍ବର : ଗବେଷଣା ପାଇଁ ରାଜ୍ୟ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ୮ରୁ ଅଧିକ ଚେୟାର ପ୍ରତିଷ୍ଠା ହୋଇଥିଲା। ବିଶ୍ବବିଦ୍ୟାଳୟର ୭୫ ବର୍ଷ ଇତିହାସ ମଧ୍ୟରେ ବିଭିନ୍ନ ସମୟରେ ଚେୟାରଗୁଡ଼ିକ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେଗୁଡ଼ିକର ଏବେ ସତ୍ତା ନାହିଁ। ଚେୟାରଗୁଡ଼ିକ କୁଆଡ଼େ ଗଲା? ଏ ବାବଦରେ ମିଳିଥିବା ଅର୍ଥ କ’ଣ ହେଲା? ବିଶ୍ବବିଦ୍ୟାଳୟ ନିକଟରେ ଅର୍ଥ ଅଛି କି ନାହିଁ? ସେନେଇ କାହା ପାଖରେ ଉତ୍ତର ବି ନାହିଁ।

ଚେୟାରଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି ୨୦୧୮ରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଏମିତିକି ଚେୟାରଗୁଡ଼ିକ ଖୋଜିବା ପାଇଁ ଦୁଇ ଜଣ ବରିଷ୍ଠ ପ୍ରଫେସରଙ୍କ ନେତୃତ୍ବରେ କମିଟି ଗଠନ କରିଥିଲେ। ତେବେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ ବି ଚେୟାର ଫେରିପାରି ନାହିଁ କି ପୁନରୁଦ୍ଧାର ହୋଇନି। ବରଂ ୨୦୧୮ ଡି‌ସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠା ହୋଇଥିବା ବକ୍ସି ଜଗବନ୍ଧୁ ଗବେଷଣା ଚେୟାରର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ୧୩ ମାସ ବିତିଯାଇଥିଲେ ମଧ୍ୟ ଚେୟାର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ପ୍ରଫେସର ନିଯୁକ୍ତ ହୋଇନାହାନ୍ତି କି ଗବେଷଣା ଆରମ୍ଭ ହୋଇନି। ଯେଉଁଥିରୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ଅପାରଗତା ଜଳ ଜଳ ହୋଇ ଦିଶୁଛି।

ସବୁଠାରୁ ବଡ଼ କଥା ହେଉଛି ଯେ ୨୦୧୮ରେ ‌ସେତେବେଳର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ ୭ଟି ଗବେଷଣା ଚେୟାର ଥିଲା। ସେଗୁଡ଼ିକର ପୁନରୁଦ୍ଧାର ଲାଗି କୁଳପତିଙ୍କୁ କୁହାଯାଇଛି। ତେବେ ମନ୍ତ୍ରୀଙ୍କ କଥା କୁଳପତି ପ୍ରଫେସର ପଟ୍ଟନାୟକ କେତେଦୂର କାର୍ଯ୍ୟକାରୀ କରିଛନ୍ତି ତାହା ଏବେ ଦେଖିବାକୁ ମିଳିଛି। ୨୦୧୯ ମସିହା ଯାଇ ୨୦୨୦ ଫେବ୍ରୁଆରି ମାସ ହୋଇଥିଲେ ମଧ୍ୟ ଗୋଟିଏ ବି ଚେୟାରର ପୁନରୁଦ୍ଧାର ହୋଇପାରି ନାହିଁ। ଯେତେବେଳେ କି ଆଉ ୪ ମାସ ପରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେବ।

ମିଳିଥିବା ତଥ୍ୟ ଅନୁଯାୟୀ ୭୦ ଦଶକରେ ପଦାର୍ଥ ବିଜ୍ଞାନ ବିଭାଗରେ ମୟୂରଭଞ୍ଜ ଚେୟାର୍, ୧୯୮୦ରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ପରିଜା ଚେୟାର, ୧୯୯୦ରୁ ୯୫ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ନୃତତ୍ତ୍ବ ବିଜ୍ଞାନ ବିଭାଗରେ ହାଲଡେନ୍‌ ଚେୟାର ପ୍ରତିଷ୍ଠା ହୋଇଥିଲା। ସେହିପରି ୮୦ ଦଶକରେ ଓଡ଼ିଆ ବିଭାଗରେ ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ଚେୟାର ଓ ଆର୍ତ୍ତବଲ୍ଲଭ ଚେୟାର ବନ୍ଦ ହୋଇଯାଇଛି। ଭୂତତ୍ତ୍ୱ ବିଭାଗରେ ୧୯୮୦ରେ ପ୍ରତିଷ୍ଠା ହୋଇଥିବା ଟାଟା ଚେୟାର, ଅର୍ଥନୀତି ବିଭାଗର ଆରବିଆଇ ଓ ଏସ୍‌ବିଆଇ ଚେୟାର ବନ୍ଦ ହୋଇଯାଇଛି। ଏହି ୮ଟି ଚେୟାର ବ୍ୟତୀତ ଆଉ କିଛି ଚେୟାର ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଖୋଲାଯାଇ ନାହିଁ। ପ୍ରତି ଚେୟାର ପାଇଁ ମିଳିଥିବା ଟଙ୍କା ସମ୍ପୃକ୍ତ ବିଭାଗ ଅଧୀନରେ ରହିବା କଥା। ହେଲେ ଏବେ ବିଭାଗଗୁଡ଼ିକ ପାଖରେ ତାହାର ହିସାବ ନାହିଁ।

ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠାନ ପାଇଁ ତିନି ଦଶନ୍ଧି ତଳେ ଯୋଜନା ହୋଇଥିଲା। ଏଥିପାଇଁ ୨ ଲକ୍ଷ ଟଙ୍କାର ଏକ ଚେକ୍ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦାଖଲ କରାଯାଇଥିଲା। ମାତ୍ର ତାହା ହୋଇପାରି ନାହିଁ। ‌ଏନେଇ ଦେଢ଼ ବର୍ଷ ତଳେ ଏକ ସଙ୍ଗଠନ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯାଇ ନାହିଁ। ତେଣେ କୁଳପତି ପ୍ରଫେସର ପଟ୍ଟନାୟକ ନିଜ ପ୍ରତିଶ୍ରୁତିରୁ ଓହରୁ ନାହାନ୍ତି। ଗୋପବନ୍ଧୁ ଚେୟାର ପ୍ରତିଷ୍ଠା ହେବ ବୋଲି ଏବେ ବି ସବୁ ସଭା ସମିତିରେ ଦୃଢ଼କ୍ତି ପ୍ରକାଶ କରୁଛନ୍ତି। ତେବେ କେବେ ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ଚେୟାର ପ୍ରତିଷ୍ଠା ହେବ ‌‌ତାହାକୁ ନେଇ ପ୍ରଶ୍ନ ଉଠିଛି।

ବକ୍ସି ଜଗବନ୍ଧୁ ଚେୟାର କେବେ?
୨୦୧୮ ମାର୍ଚ୍ଚ ୧୬ରେ ସେତେବେଳର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନା‌ୟକଙ୍କୁ ଚିଠି ଲେଖି କହିଥିଲେ ଯେ ଐତିହାସିକ ଦୃଷ୍ଟିକୋଣରୁ ପାଇକ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହାକୁ ସ୍ମରଣୀୟ କରିବା ଲାଗି ୨୦୧୭ ମାର୍ଚ୍ଚ ମାସରୁ ୨୦୧୮ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏଠାରେ ପାଇକ ବିଦ୍ରୋହ ଉପରେ ଅଧିକ ଗବେଷଣା ପାଇଁ ଏକ ଚେୟାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥି‌ଲେ। ପାଇକ ବିଦ୍ରୋହର ୨୦୦ ବର୍ଷ ଅବସରରେ ଏହି ମହାନ ଐତିହାସିକ ଘଟଣାକୁ ଏହା ଉଚିତ ସମ୍ମାନ ହେବ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ। ଏହି ଚେୟାର ଖୋଲିବାକୁ ବିଧିବଦ୍ଧ ପ୍ରସ୍ତାବ ଯିବା ପରେ ୨୦୧୮ ଡି‌ସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଗବେଷଣା ଚେୟାର ପ୍ରତିଷ୍ଠା କରିଥିଲେ। ପାଖାପାଖି ୫କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହୋଇଥିବା ଏହି ଚେୟାର କାର୍ଯ୍ୟ ଆଗେଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe