ଚର୍ଚ୍ଚାରେ ଉତ୍କଳ ବିଶ୍ବବିଦ୍ୟାଳୟ : ନକଲି ଏନ୍‌ଓସିରେ ପିଏଚ୍‌ଡି ନାମଲେଖା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

Advertisment
ସମ୍ମାନ ରଖିଲା ଉତ୍କଳ: ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇଲା

ଭୁବନେଶ୍ୱର : ନକଲି ଏନ୍‌ଓସି ବଳରେ ହୋଇଛି ପିଏଚ୍‌ଡି ନାମଲେଖା। ବିଭିନ୍ନ ଅନୁଷ୍ଠାନ ନାମରେ ପ୍ରସ୍ତୁତ ହୋଇଛି ନକଲି ପ୍ରମାଣପତ୍ର। କର୍ତ୍ତୃପକ୍ଷଙ୍କ ଦସ୍ତଖତ ବି ଜାଲିଆତି ହୋଇଛି। ଏଭଳି ଏକ ଅଭିଯୋଗ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଉତ୍କଳ ବିଶ୍ବବିଦ୍ୟାଳୟ। ଅଭିଯୋଗ ପାଇବା ପରେ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ତିନିଜଣ ଛାତ୍ରଛାତ୍ରୀଙ୍କ ନାମରେ ଅଭିଯୋଗ ହୋଇଥିଲେ ମଧ୍ୟ ଆହୁରି କେତେକ ଜାଲିଆତି ହୋଇଥିବା ଆଶଙ୍କା କରାଯାଉଛି। କେବଳ ଛାତ୍ରଛା‌ତ୍ରୀ ନାମ ଲେଖାଇବା ପାଇଁ ଏହି ଜାଲିଆତି କରିନାହାନ୍ତି ବରଂ ବିଶ୍ବବିଦ୍ୟାଳୟର ଏଥିରେ ହାତ ଅଛି ବୋଲି ଅଭିଯୋଗ ହୋଇଛି। ନାମ ଲେଖାଇବାର ଅଭୟବାଣୀ ଦେଇ ଏହି ଜାଲିଆତି ବଳରେ ଛାତ୍ରଛାତ୍ରୀଙ୍କଠାରୁ ‌ମୋଟା ଅଙ୍କରେ ଅର୍ଥ ସଂଗ୍ରହ କରାଯାଇଥିବା ଅଭିଯୋଗ ରହିଛି। ଆଜି ନୁହେଁ, ବରଂ ବର୍ଷ ବର୍ଷ ଧରି ଏଭଳି କାରବାର ଚାଲିଥିଲା, ଏବେ ଅଭିଯୋଗ ଆସିବାରୁ ଘଟଣା ପଦାକୁ ଆସିଛି ବୋଲି ଚର୍ଚ୍ଚା ହେଉଛି। ଉପଯୁକ୍ତ ତଦନ୍ତ ହେଲେ ଏହି କାରବାରର ମୂଳ ଧରାପଡ଼ିବା ସହ ଜାଲିଆତି ଉପରୁ ପରଦା ହଟିବ ବୋଲି ଅଭିଯୋଗକାରୀ କହିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟରେ ୨୭ଟି ନିୟମିତ ବିଭାଗ ରହିଛି। ଏହି ସବୁ ବିଭାଗରେ ଛାତ୍ରଛାତ୍ରୀ ପିଏଚଡି ପାଇଁ ନାମ ଲେଖାଇଥାନ୍ତି। ମାଷ୍ଟର ଡିଗ୍ରି ବା ଏମ୍‌.ଫିଲ୍‌ ପରେ ଏହି ପିଏଚ୍‌ଡି ଅଧ୍ୟୟନର ସୁଯୋଗ ମିଳିଥାଏ। ପ୍ରତିବର୍ଷ ବିଶ୍ବବିଦ୍ୟାଳୟରେ ହାରାହାରି ୨୫୦ରୁ ୩୦୦ ଛାତ୍ରଛାତ୍ରୀ ଏହି ପିଏଚ୍‌ଡିରେ ନାମ ଲେଖାଇଥାନ୍ତି। ଅନେକ ଛାତ୍ରଛାତ୍ରୀ ଅନ୍ୟ ଜାଗାରେ ଚାକିରି କରୁଥିଲେ ମଧ୍ୟ ଏଥିରେ ଅଧ୍ୟୟନ କରୁଥାନ୍ତି। ତେବେ ଏହି ପିଏଚ୍‌ଡି କରିବାକୁ ହେଲେ ଚାକିରି କରୁଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଅନୁ‌ଷ୍ଠାନରୁ ଏକ ଏନ୍‌ଓସି(ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌) ବିଶ୍ବବିଦ୍ୟାଳୟରେ ଦାଖଲ କରିବାକୁ ପଡ଼ିଥାଏ ଯେ, ସମ୍ପୃକ୍ତ ଛାତ୍ର ବା ଛାତ୍ରୀ ପିଏଚ୍‌ଡି ଅଧ୍ୟୟନ କଲେ ଆମ(ଚାକିରି କରୁଥିବା ଅନୁଷ୍ଠାନର କୌଣସି ସମସ୍ୟା ନାହିଁ। ଏହାଛଡ଼ା ଆଉ ଏକ ବ୍ୟବସ୍ଥା ରହିଛି। ତାହା ହେଲା, ଏହି ଅଧ୍ୟୟନ କରିବା ପାଇଁ ସମ୍ପୃକ୍ତ ଅନୁଷ୍ଠାନ ଛୁଟି ମଞ୍ଜୁର କରିଥାଏ। ଏହି ଦୁଇଟି କାଗଜପତ୍ରରୁ ଯେ କୌଣସି ଗୋଟିଏ ପିଏଚ୍‌ଡି ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟରେ ଦାଖଲ କରିବାକୁ ପଡ଼ିଥାଏ। କିନ୍ତୁ କେତେକ ଛାତ୍ରଛାତ୍ରୀ ସମ୍ପୃକ୍ତ ଅନୁଷ୍ଠାନରୁ ଏହି ପ୍ରମାଣପତ୍ର ସଂଗ୍ରହ ନ କରି ନିଜ ହାତରେ ଅନୁ‌ଷ୍ଠାନ ନାମରେ ପ୍ରସ୍ତୁତ କରି ଦାଖଲ କରିଥିବା ଅଭିଯୋଗ ହୋଇଛି।ରାଜ୍ୟ ବାହାରୁ ମଧ୍ୟ କେତେକ ଛାତ୍ରଛାତ୍ରୀ ଏହି ତାଲିକାରେ ରହିଛନ୍ତି।

ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ କହିଛନ୍ତି, ଏଭଳି ଅଭିଯୋଗ ଆମର ହସ୍ତଗତ ହୋଇଛି। ଛାତ୍ରଛାତ୍ରୀ ଏ ବାବଦରେ ଘୋଷଣାନାମା ଦାଖଲ କରିଛନ୍ତି କି ଯାହା ତଥ୍ୟ ଦେଇଛନ୍ତି ତାହା ସତ୍ୟ, ମିଥ୍ୟା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅନ୍ୟପଟେ ଗୋଟି ଗୋଟି କରି ଛାତ୍ରଛାତ୍ରୀଙ୍କ ଏନ୍‌ଓସି ଚେକ୍‌ କରିବା ମଧ୍ୟ ସମ୍ଭବ ନୁହେଁ ଓ ନିୟମ ମଧ୍ୟ ନାହିଁ। ଏଣୁ କିଏ ନକଲି ଦେଲା, କିଏ ଅସଲି ଦେଲା ତାହା ଜାଣି ହୁଏ ନାହିଁ। ଅଭିଯୋଗ ଆସିଲେ ହିଁ ତଦନ୍ତ ହୁଏ। ଏଣୁ ଘଟଣାର ଅନୁସନ୍ଧାନ କରାଯାଉଛି। ସମ୍ପୃକ୍ତ ଅନୁଷ୍ଠାନମାନଙ୍କରୁ ଆମେ ଏନ୍‌ଓସିର ମୂଳ କାଗଜ ଖୋଜିବୁ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe