ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ : ବିଶ୍ୱସ୍ତରୀୟ ଅଭିମୁ‌ଖେ ଉତ୍କଳ

Advertisment
ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ : ବିଶ୍ୱସ୍ତରୀୟ ଅଭିମୁ‌ଖେ ଉତ୍କଳ

ଗ୍ରାମୀଣ କ୍ୟାମ୍ପସରେ ଖୋଲିବ ୪ଟି ନୂଆ ପାଠ୍ୟକ୍ରମ
ବିଦେଶ ବିଶ୍ୱବିଦ୍ୟାଳୟ ସହ ରାଜିନାମା ହେବ

ଭୁବନେଶ୍ୱର : ୧୯୪୩ ନଭେମ୍ବର ୨୭। ଓଡ଼ିଶା ମାଟିରେ ଗଢ଼ି ଉଠିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ। ଅନେକ ବାଧାବିଘ୍ନ, ଘାତ ପ୍ରତିଘାତ, ଅପବାଦ ମଧ୍ୟରେ ୭ ଦଶନ୍ଧିରୁ ଅଧିକ ସମୟ ଧରି ସଫଳତା ହାସଲ କରି ଚାଲିଛି। ପ୍ଲାଟିନମ୍‌ ଜୁବିଲିରେ ରାଷ୍ଟ୍ରପତି ନାମନାଥ କୋବିନ୍ଦଙ୍କ ଯୋଗଦାନ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି କରିଛି। ୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ପାଇବା ପରେ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତନ, କ୍ୟାମ୍ପସର ସମ୍ପ୍ରସାରଣ, ବିଶ୍ବସ୍ତରୀୟ ଗବେଷଣା ପରି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗବେଷଣା ସାଙ୍ଗକୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ୭୫ ବର୍ଷ ଧରି ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ଗଢ଼ୁଥିବା ଏହି ମଣିଷ ତିଆରି କାରଖାନା ଏବେ ନିଜ ପାଇଁ ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ। ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ହାସଲ ଦିଗରେ ଅଗ୍ରସର ହେଉଥିବା ଏହି ଶିକ୍ଷାନୁଷ୍ଠାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦ ମସିହା ପାଇଁ ପ୍ରକାଶିତ ଏନ୍‌ଆଇଆରଏଫ୍‌ (ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରୢାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ)ର ବିଶ୍ବବିଦ୍ୟାଳୟ ବର୍ଗରେ ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇଛି।

୨୦୧୮ରେ ଦେଶର କାଟାଗୋରି-ୱାନ୍‌ ବିଶ୍ବବିଦ୍ୟାଳୟ ସହିତ ଗ୍ରେଡେଡ୍‌ ଅଟୋନମି ପାଇଛି। ରୁସା-୧ ଓ ରୁସା-୨ରେ ପ୍ରଚୁର ଅର୍ଥ ହାସଲ କରି କ୍ୟାମ୍ପସ ଭିତ୍ତିଭୂମି ବିକାଶ ଦିଗରେ ଆଉ ପାଦେ ଆଗକୁ ବଢ଼ିଛି ବୋଲି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଉତ୍ସବରେ ଅଧ୍ୟକ୍ଷତା କରି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଲେ, ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ଅଫିସ୍‌ ଜରିଆରେ ବିଭିନ୍ନ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ୱାକ୍ଷର ହେବ। ଚଣ୍ଡିଖୋଲସ୍ଥିତ ଗ୍ରାମୀଣ କ୍ୟାମ୍ପସ‌୍‌ରେ ୪ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ପ୍ରଥମଥର ପାଇଁ ଏଚ୍‌ଆର୍‌ଡିସିର ଅନଲାଇନ୍‌ ପାଠ୍ୟକ୍ରମ ଆରମ୍ଭ ହେବା ସହ ୧୬୭ଜଣ ଛାତ୍ରଛାତ୍ରୀ ୟୁଜିସି-ନେଟ୍‌ ହାସଲ କରିଥିବା ସେ କହିଛନ୍ତି। କୁଳସଚିବ ଅଭୟ କୁମାର ନାୟକ ବିଶ୍ୱବିଦ୍ୟାଳୟ ରିପୋର୍ଟ ଉପସ୍ଥାପନ କରି କହିଲେ, ଦିଲ୍ଲୀ ଓ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ପରି ଉତ୍କଳରେ ଜାତୀୟ, ଅନ୍ତର୍ଜାତୀୟସ୍ତରର ଆଲୋଚନାଚକ୍ର ହୋଇଛି। ଯେଉଁଥିରେ ଦେଶ, ବିଦେଶର ପ୍ରଫେସର୍‌, ବିଶେଷଜ୍ଞ, ଗବେଷକ ସାମିଲ ହୋଇ ବକ୍ତବ୍ୟ ରଖିଛନ୍ତି। ଆଗାମୀ ଦିନରେ ବାହାର ଦେଶ ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ବେଷଣ ଲାଗି ବ୍ୟାପକ ପ୍ରତିଯୋଗିତା କରିବାକୁ ଲକ୍ଷ୍ୟ ରଖାଯାଇଛି।

ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଲେ, ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ ରଖିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ୨୦୧୯ରୁ ଆଜି ପର୍ଯ୍ୟନ୍ତ କ୍ୟାମ୍ପସରେ ବ୍ୟାପକ ବୃକ୍ଷରୋପଣ ସହ ପରିଜା ପାଠଗାର ସମ୍ମୁଖ ରାସ୍ତାକୁ ବାହନମୁକ୍ତ ଅଞ୍ଚଳ କରିବାକୁ ନିଷ୍ପତ୍ତି ହୋଇଛି। ‘ଅହିଂସାସ୍ଥଳ’ର ବିକାଶ ସହ ବିଭିନ୍ନ ସେଣ୍ଟର୍‌ ଅଫ୍‌ ଏକ୍ସିଲେନ୍ସରେ ନୂତନ ଗବେଷଣା ଚଳିତ ଶିକ୍ଷାବର୍ଷରେ କରିବାକୁ ସ୍ଥିର ହୋଇଛି। ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଇଣ୍ଟରନେଟ୍‌ ଓ ୱାଇଫାଇଯୁକ୍ତ ସ୍ବତନ୍ତ୍ର ଗବେଷଣା କରିଡର୍‌ର ନବୀକରଣ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଏକ ସ୍ମରଣିକା ଓ ‘ମିଡିଆରେ ଉତ୍କଳ’ ଶୀର୍ଷକ ଏକ ବହି ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ବିଶ୍ବବିଦ୍ୟାଳୟ ଛାତ୍ର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ବଡ଼ମାଳୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe