ଆଜିଠୁ ଜୋର୍‌ଦାର ହେବ ଟିକାଦାନ ଅଭିଯାନ

Advertisment
ଆଜିଠୁ ଜୋର୍‌ଦାର ହେବ ଟିକାଦାନ ଅଭିଯାନ

ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୦ଜଣଙ୍କୁ ଟିକା
୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ସକାଳ ୮ଟାରୁ ୧ଟା
୪୫ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ଅପରାହ୍ନ ୩ଟାରୁ ୬ଟା

ଭୁବନେଶ୍ବର : ଆଜିଠୁ ରାଜଧାନୀରେ ଟିକାଦାନ ଅଭି‌ଯାନ ଜୋରଦାର୍ ହେବ। ୧୮ରୁ ୪୪ବର୍ଷ ବୟସ୍କ ଲୋକଙ୍କୁ ଆଜିଠାରୁ ଟିକା ଦେବାକୁ ଥିବାରୁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଭିଡ଼ ଜମିବ। ଶନିବାର ଆଇଆର୍‌ସି ଭିଲେଜସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା‌ମୂଳକ ଭାବେ ୫୦ଜଣଙ୍କୁ ଟିକା ଦିଆଯାଇଥିବାବେଳେ ସୋମବାରଠାରୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ତୃତୀୟ ପର୍ଯ୍ୟାୟ ଟିକାଦାନ ଅଭିଯାନ ଆରମ୍ଭ କରିବାକୁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ, ସେଣ୍ଟ୍ରାଲ ରେଲୱେ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ମୋଟ୍ ୨୬ଟି ସ୍ଥାନରେ ଟିକାଦାନ ହେବ। ଏଥିରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯିବ। ୧୮ରୁ ୪୪ବର୍ଷର ବୟସ୍କଙ୍କ ପାଇଁ ଯେଉଁମାନେ କୋୱିନ୍ ଆପ୍‌ରେ ନାମ ପଞ୍ଜୀକରଣ କରିଛନ୍ତି ଏବଂ ଟିକା ନେବାକୁ ସ୍ଲଟ୍ ପାଇଛନ୍ତି ସେମାନଙ୍କୁ ଟିକା ନେବାର ସୁଯୋଗ ମିଳିବ। ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୦ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଯେଉଁମାନେ ନାମ ପଞ୍ଜୀକରଣ କରିଛନ୍ତି କେବଳ ସେଠାକୁ ହିଁ ଯିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଟିକା ନେବାକୁ ଆଧାର କାର୍ଡ ଓ ମୋବାଇଲ୍‌ ନମ୍ବର ବାଧ୍ୟତାମୂଳକ କରାଯାଇଛି। ସେହିପରି ଲକ୍‌ଡାଉନ୍‌ରେ ବି ଟିକାଦାନ ଜାରି ରହିବ। ତେଣୁ କେହି ବ୍ୟସ୍ତ ନହୋଇ ନିଜ ପାଳି ପଡ଼ିଲେ ଟିକା ନେବାକୁ ଆସନ୍ତୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କିପରି ହୋଇଛି ତାହା ତଦାରଖ ପାଇଁ ଆଜି ବିଏମ୍‌ସି କମିସନରର ପ୍ରେମଚନ୍ଦ୍ର ଚୌଧରୀ ଏବଂ କୋଭିଡ ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe