ଏମ୍‌ସରେ ସରିଗଲା ଟିକା, ବନ୍ଦ ରହିଲା ଟିକାକରଣ

ଟିକା ଯୋଗାଣ ବାଧାପ୍ରାପ୍ତ, ୪ଦିନରେ ୭ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି

ଏମ୍‌ସରେ ସରିଗଲା ଟିକା, ବନ୍ଦ ରହିଲା ଟିକାକରଣ

ଭୁବନେଶ୍ବର : ୪ ଦିନ ପରେ ଏମ୍‌ସରେ କରୋନା ଟିକାକରଣ ସାମୟିକ ଭାବେ ବନ୍ଦ ରହିଛି। ପ୍ରଥମ ପର୍ଯ୍ୟାୟରେ ଏମ୍‌ସକୁ ଯେତିକି ଟିକା ଯାଇଥିଲା ତାହା ସରିଯିବା ପରେ ଏହାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବା ଲାଗି ଏମ୍‌ସ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବରରେ କେବଳ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ ଟିକା ଦିଆଯାଉଛି। ତେଣୁ ଆବଶ୍ୟକ ସଂଖ୍ୟକ ଟିକା ଆସିବା ପରେ ହିଁ ଟିକାକରଣ କରାଯିବ ବୋଲି ଏମ୍‌ସ ସୂତ୍ରରୁ ସୂଚନା ମିଳିଛି।

ଗତ ୧୬ତାରିଖରେ ରାଜଧାନୀ ସମେତ ଓଡ଼ିଶାରେ ଟିକାକରଣ ଆରମ୍ଭ ହୋଇଥିଲା। ଏମ୍‌ସକୁ ସମୁଦାୟ ୭ଶହ ଡୋଜ୍‌ର ଟିକା ଦିଆଯାଇଥିଲା। ଗତ ୪ଦିନରେ ଏହି ଡୋଜ୍ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି। ଏହାପରେ ଡୋଜ୍ ଶେଷ ହୋଇ ଯାଇଥିଲା। ଏଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଟିକା ଯୋଗାଣ ହୋଇ ନ ଥିବାରୁ ଏହାକୁ ବନ୍ଦ ରଖିବା ନିଷ୍ପତ୍ତି ନେଇଛନ୍ତି ଏମ୍‌ସ କର୍ତୃପକ୍ଷ।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍‌-୪, ଏମ୍‌ସ, ବିଏମ୍‌ସି ହସ୍ପିଟାଲ, ସମ୍ ଓ କିମ୍‌ସରେ ଟିକାକରଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୩ଲକ୍ଷ ୮ହଜାର ଡୋଜ୍‌ର ‘କୋଭିସିଲ୍ଡ’ ଓ ୨୦ହଜାର ଡୋଜ୍‌ର ‘କୋଭାକ୍ସିନ୍’ ଆସିଥିଲା। ଗତ ୪ଦିନରେ ଭୁବନେଶ୍ବରରେ ୫୮୪୮ଜଣଙ୍କୁ ଟିକା ଦିଆଯାଇଛି। ଏମ୍‌ସ କେତେ ସଂଖ୍ୟକ ଡୋଜ୍‌ ମାଗିଥିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ମାତ୍ର ୭ଶହ ଡୋଜ୍ କାହିଁକି ଦିଆଗଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ‘କୋଭାକ୍ସିନ୍’ର ଅନ୍ୟ ଡୋଜ୍ କେବେ ଓଡ଼ିଶା ଆସିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ରାଜଧାନୀରେ ଟିକାକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ। ଅଧିକାଂଶ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ମେସେଜ୍ ଯାଇଥିଲେ ହେଁ ସେମାନେ ଏଥିପାଇଁ ମନ ବଳାଉ ନ ଥିବା ‌ନିଜ ନାମ ଗୋପନ ରଖିବା ସର୍ତ୍ତରେ କହୁଛନ୍ତି। ଏଭଳି ପରିସ୍ଥିତିରେ ଗୋଟିଏ କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଯିବାରୁ ଏହା ଟିକାକରଣ ଅଭିଯାନ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe