ଭାଲେଣ୍ଟାଇନ୍‌ ସପ୍ତାହ: ଗୋଲାପ‌ରେ ମନ ଗଲା ଏପାରିରୁ ସେପାରି

Advertisment
ଭାଲେଣ୍ଟାଇନ୍‌  ସପ୍ତାହ: ଗୋଲାପ‌ରେ ମନ ଗଲା ଏପାରିରୁ ସେପାରି

Hindustan Times

ଖଣ୍ଡଗିରି: ମନ୍ଦ ମଳୟ ଧରି ଫଗୁଣ ଆସିଛି। ସବୁଆଡ଼େ ବସନ୍ତ ବୁହାଇ ଦେଇଛି ପ୍ରେମର ଫଲ୍‌ଗୁ। ପ୍ରେମମୟ ହୋଇଉଠିଛି ଦୁନିଆ। ତେଣୁ ଏହି ଅବସରରେ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍‌ ସପ୍ତାହ। ପ୍ରେମ ସପ୍ତାହର ପ୍ରଥମ ଦିନରେ ଆଜି ପ୍ରେମୀଯୁଗଳ ମନ ଦିଆନିଆ ହୋଇଛନ୍ତି। ମାଧ୍ୟମ ସାଜିଛି ‌ଗୋଲାପ ଫୁଲ। ଲାଲ୍‌ ଟୁକୁଟୁକୁ ଗୋଲାପ କଢ଼ ବହି ନେଇଛି ପ୍ରେମୀଯୁଗଳଙ୍କ ମନକୁ ଏ ପାରିରୁ ସେ ପାରି। ମନ ଦିଆନିଆରେ ପଡ଼ିଛି ପ୍ରେମବନ୍ଧନର ମୂଳଦୁଆ। ଏଣିକି ଏଇଠୁ ଆରମ୍ଭ ହେବ ପ୍ରେମ ନିଳୟ ନିର୍ମାଣ।

ଆଜି ଭାଲେଣ୍ଟାଇନ୍‌ ସପ୍ତାହର ପ୍ରଥମ ଦିନ ଥିଲା ରୋଜ୍ ଡେ’। ତେଣୁ ଆଜି ରାଜଧାନୀର ପରିବେଶ ଥିଲା ବେଶ୍ ରୋମାଣ୍ଟିକ। ପାର୍କ, ରେସ୍ତୋରାଁ, ହୋଟେଲ ସବୁଠି ପ୍ରେମୀଯୁଗଳଙ୍କ ମିଳନ ଦେଖିବାକୁ ମିଳିଥିଲା। ପାର୍କରେ ସେମାନେ ହାତ ଧରାଧରି ହୋଇ ବୁଲୁଥିବା ବେଳେ ହୋଟେଲ, ରେସ୍ତୋରାଁରେ ‌ବସି ମନ କଥା କୁହାକୁହି ହେଉଥିବା ଦେଖିବାକୁ ମିଳିଥିଲା। ଆଜି ଆଇଜି ପାର୍କଠାରୁ ଆରମ୍ଭ କରି ଫରେଷ୍ଟ ପାର୍କ, ଗାନ୍ଧୀ ପାର୍କ, ମଧୁସୂଦନ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ମୁଖାର୍ଜୀ ପାର୍କ ସବୁଠି ପ୍ରେମୀଯୁଗଳଙ୍କ ଭିଡ଼ ଜମିଥିଲା। ଏକାମ୍ର କାନନ ଓ ଜୟଦେବ ବାଟିକାର ଶାନ୍ତ ନିରୋଳା ପରିବେଶରେ ପ୍ରେମୀଯୁଗଳ ନିଜକୁ ହଜେଇଥିଲେ। ସେହିଭଳି ଶିଖରଚଣ୍ଡୀ ପାହାଡ଼, ଧଉଳିଗିରି ଓ ନନ୍ଦନକାନନ ବଟ୍‌ନିକାଲ୍‌ ଗାର୍ଡେନ୍‌ ଭଳି ସ୍ଥାନରେ ପ୍ରେମୀଯୁଗଳଙ୍କ ମସ୍ତି କିଛି କମ୍‌ ନଥିଲା।

ଚନ୍ଦ୍ରଶେଖରପୁର ଅଞ୍ଚଳ‌ରେ ଦୁଇଶହ ଫୁଟିଆ ରାସ୍ତା ତ ଆଜି ଅପରାହ୍‌ଣରେ ପାଲଟିଯାଇଥିଲା ପ୍ରେମ ବଜାର। ସେହିଭଳି ପୁରୁଣା ଭୁବନେଶ୍ବରର ବିଭିନ୍ନ ମନ୍ଦିର ପରିସର ବି ପ୍ରେମୀଯୁଗଳଙ୍କ ଆଡ଼ା ପାଲଟିଥିଲା। ଦେବଦର୍ଶନ ଦ୍ବାରା ପ୍ରେମ ଅଧିକ ଦୃଢ଼ୀଭୂତ ହେବା ଆଶାରେ ପ୍ରେମୀଯୁଗଳ ମନ୍ଦିର ବୁଲିଥିଲେ। ସବୁଠି ପ୍ରେମୀଯୁଗଳମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ମନ ଦିଆନିଆର ପ୍ରଥମ ଉତ୍ସବ ପାଳିଥିଲେ। ଏହି ଅବସରରେ ଆଜି ଫୁଲ ଦୋକାନୀମାନେ ଯେମିତି ଭଲ ବେପାର କରିଥିଲେ, ହୋଟେଲ ଓ ରେସ୍ତୋ‌ରାଁରେ ବି ସେମିତି ବେପାର ଜମିଥିଲା।

ସୋସିଆଲ ମିଡିଆରେ ନିଆରା ରୋଜ୍‌ ଡେ’

ଆଜି ସୋସିଆଲ୍‌ ମିଡିଆରେ ଛାଇ ଯାଇଥିଲା ରୋଜ୍‌ ଡେ’ ବାର୍ତ୍ତା। ଭେଟାଭେଟିର ସୁଯୋଗ ପାଇ ନଥିବା ପ୍ରେମିକ ପ୍ରେମିକାମାନେ ଗୋଲାପ ଫୁଲ ଫଟୋ ସହ କବିତା ପୋଷ୍ଟ କରିଥିଲେ। ଅନେକ ଦମ୍ପତି ଗୋଲାପ ଦିଆନିଆର ଫଟୋ ପୋଷ୍ଟ କରି ଲାଇକ୍‌, କମେଣ୍ଟ ସାଉଁଟିଥିଲେ। ସେହିଭଳି ଏକତରଫା ପ୍ରେମ କରୁଥିବା ଯୁବକ ଯୁବତୀମାନେ ବଡ଼ ବିଚିତ୍ର ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏସବୁ ଭିତରେ କିଛି ଯୁବକ ଆଜି ଦିନରେ ନିଜ ବାପାମା’ଙ୍କ ଉଦ୍ଦେଶ୍ୟରେ ସମର୍ପି ଦେଇଥିବା ଦେଖିବାକୁ ମିଳିଥିଲା। ବାପାମା’ଙ୍କ ପାଇଁ ପ୍ରେମର ବାର୍ତ୍ତା ପୋଷ୍ଟ କରି ସେମାନେ ଅଧିକ ଲାଇକ୍‌ ପାଇଥିବା ଦେଖିବାକୁ ମିଳିଥିଲା।

ହୋଟେଲ୍‌ ଓ ରେସ୍ତୋରାଁରେ ସ୍ବତନ୍ତ୍ର ପ୍ରସ୍ତୁତି

publive-image Hotelogix

ମେ’ ଫେୟାର୍‌, ସ୍ବସ୍ତି ପ୍ରିମିୟମ୍ ଭଳି ପଞ୍ଚତାରକା ହୋଟେଲଠାରୁ ଆରମ୍ଭ କରି ସମସ୍ତ ଦାମୀ ରେସ୍ତୋରାଁ ଓ ମଲ୍‌ରେ ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ସେଠାରେ ପ୍ରେମୀଯୁଗଳଙ୍କ ପାଇଁ ଡେକୋରେଟିଭ୍‌ ଡାଇନିଂ ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ହୋଟେଲ୍‌ ପୁଷ୍ପକର ମ୍ୟାନେଜର ଅବିନାଶଙ୍କ କହିବା କଥା ଚଳିତ ବର୍ଷ ଫାଇନ୍ ଡାଇନିଂ ଗୋଲ୍ଡେନ ବାର୍ଡ ପକ୍ଷରୁ ଭାଲେଣ୍ଟାଇନ ଡେ’ ବା ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ କ୍ୟା‌ଣ୍ଡେଲ୍‌ ଲାଇଟ୍‌ ଡିନର୍‌ ସହ କମ୍ପ୍ଲିମେଣ୍ଟାରି ମକ୍‌ଟେଲ୍‌ ବ୍ୟବସ୍ଥା ରହିଛି।

କଲକତି ଗୋଲାପକୁ ବଳିଗଲା ବେଙ୍ଗାଲୁରୁ କଢ଼

ଏଥର ଗୋଲାପ ଫୁଲ ବେପାର ବେଶ୍ ଭଲ ହୋଇଛି ବୋଲି କୁହାଯାଉଛି। କୋଲକାତା ଗୋଲାପ ଗୋଟାକୁ ୧୫ରୁ ୨୦ ଟଙ୍କା ପଡ଼ୁଥିବା ବେଳେ ବେଙ୍ଗାଲୁରୁ ଓ ନାସିକ ଗୋଲାପ ଗୋଟାକୁ ପଡ଼ୁଥିଲା ୩୦ରୁ ୪୦ ଟଙ୍କା। ତେବେ ଫୁଲ ଦୋକାନୀ ନିରଜ କୁମାର ଜେନାଙ୍କ କହିବା କଥା ଆଜି ବେଙ୍ଗାଲୁରୁ କଢ଼ର ଚାହିଦା ବେଶି ଥିଲା। କଲକତି ନାଲି ଗୋଲାପଠାରୁ ବେଙ୍ଗାଲୁରୁ ନାଲି ଗୋଲାପର ଗାଢ଼ତା ବେଶି ଥିବାରୁ ତା’ର ଚାହିଦା ଥିଲା ଅଧିକ। ପ୍ରେମକୁ ଅଧିକ ଗାଢ଼ କରିବାକୁ ପ୍ରେମୀଯୁଗଳମାନେ ଏହି କଢ଼ ବେଶି କିଣିଥିବା ଦେଖିବାକୁ ମିଳିଛି।

ବଜାରରେ ଜମିଛି ଭାଲେଣ୍ଟାଇନ୍‌ ଗିଫ୍‌ଟ

publive-image The Harvard Crimson

ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ବଜାରକୁ ଆସିଛି ଭଳିକି ଭଳି ଗିଫ୍‌ଟ ଆଇଟମ୍‌। ଏଥର ଭାଲେଣ୍ଟାଇନ୍‌ କାର୍ଡ ସହ ରହିଛି ଚକଲେଟ୍‌। ଏହାର ଦର ୧୫୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ସେହିଭଳି ଲଭ୍‌ ବକ୍ସ ୧୦୦ରୁ ୩୦୦ ଟଙ୍କା ପଡ଼ୁଛି। ଉଡେନ୍‌ ଏନ୍‌ଗ୍ରେଭ ଫଟୋ ଫ୍ରେମ୍ ୫୦୦ରୁ ହଜାରେ ଟଙ୍କା ପଡ଼ୁଛି। ତେବେ କପଲ୍‌ ଟି-ସାର୍ଟ, ଲଭ୍‌ ଷ୍ଟୋନ୍‌ ଓ ଏଲ୍‌ଇଡି ଫଟୋ ଫ୍ରେମ୍‌ ବି ବେଶି ବିକ୍ରି ହେବ ବୋଲି ଗିଫ୍‌ଟ ବ୍ୟବସାୟୀମାନେ ଆଶା କରିଛନ୍ତି। ଚଳିତବର୍ଷ ଏନ୍‌ଗ୍ରେଭ ଫଟୋ ଫ୍ରେମ୍‌ ଓ ମ୍ୟାଗ୍‌ନେଟିକ୍‌ ଲଭ୍‌ ଫ୍ରେମ୍‌ର ଚାହିଦା ଅଧିକ ରହିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe