ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ, ଭ୍ୟାନ୍‌ ଏମର୍ଜେନ୍‌ସି ଗେଟ୍‌ରୁ ଡେଇଁ ପଡ଼ିଲା

ପୁଲିସ ହେପାଜତରୁ ବିଚାରାଧୀନ କଏଦୀ ଚମ୍ପଟ, ଭ୍ୟାନ୍‌ ଏମର୍ଜେନ୍‌ସି ଗେଟ୍‌ରୁ ଡେଇଁ ପଡ଼ିଲା

ଭୁବନେଶ୍ବର: ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର ହୋଇ ଫେରୁଥିବା ଜଣେ ବିଚାରାଧୀନ କଏଦୀ ପୁଲିସ ହେପାଜତରୁ ଫେରାର୍ ହୋଇଯାଇଛି। ବାଣୀବିହାର ଟ୍ରାଫିକ୍‌ ଛକ ନିକଟରେ ପୁଲିସ ଭ୍ୟାନ୍‌ର ଗତି ଧୀର ହୋଇଯିବାରୁ ଅଭିଯୁକ୍ତଜଣଙ୍କ ଏମର୍ଜେନ୍ସି ଫାଟକ ଦେଇ ତଳକୁ ଡେଇଁ ପଡ଼ି ଦଉଡ଼ିଥିଲା। ସେ ହେଲା, ବାପୁଜୀନଗର କେଦାରପଲ୍ଲୀର ଚନ୍ଦନ ନାଏକ। ଏସ୍କର୍ଟ ପୁଲିସ୍‌ ତାକୁ କିଛି ବାଟ ଗୋଡ଼ାଇଥିଲେ ମଧ୍ୟ ଚନ୍ଦନ କେଉଁଆଡ଼େ ଫେରାର୍‌ ହୋଇଯାଇଥିଲା। ଏହି ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି। କିଏ ଏସ୍କର୍ଟରେ ଥିଲେ, କେଉଁ ପରିସ୍ଥିତିରେ ଅଭିଯୁକ୍ତ ଫେରାର୍‌ ହେଲା, ସେ ନେଇ ଡିସିପି ଅନୁପ କୁମାର ସାହୁ ସହିଦନଗର ଥାନା ଇନ୍‌ସ୍‌ପେକ୍ଟରଙ୍କୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି। ତେବେ ପୁଲିସ ଭ୍ୟାନ୍‌ରେ କିଭଳି ଇମର୍ଜେନ୍‌ସି ଗେଟ୍‌ ଖୋଲା ଥିଲା? ପାଖରେ ବସିଥିବା ପୁଲିସ କେମିତି ଜାଣିପାରିଲେ ନାହିଁ? ସେହି ସମୟରେ ପୁଲିସ ଆଉ କେଉଁ କାମରେ ଲିପ୍ତ ଥିଲେ? ଏଭଳି ଅନେକ ପ୍ରଶ୍ନ ଏସ୍କର୍ଟ ପୁଲିସଙ୍କୁ ବିବାଦକୁ ଟାଣିଛି। ଫେରାର୍‌ କରାଇବା ପଛରେ ଏସ୍କର୍ଟରେ ଥିବା ପୁଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଅପରପକ୍ଷେ ଏହି ଅବହେଳା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି।

ସୂଚନା ମୁତାବକ, କ୍ୟାପିଟାଲ ଥାନା ଅଧୀନରେ ଘଟିଥିବା ଏକ ଅପରାଧରେ ଜଡ଼ିତ ଚନ୍ଦନକୁ ପୂର୍ବରୁ କୋର୍ଟଚାଲାଣ କରାଯାଇଥିଲା। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଚନ୍ଦନ ଜଣେ ଅଭ୍ୟାସଗତ ଅପରାଧୀ (ଦଫା ୧୧୦) ହୋଇଥିବାରୁ ଅତିରିକ୍ତ ଡିସିପିଙ୍କ କୋର୍ଟରେ ଶୁଣାଣି ପାଇଁ ଆଜି ତାକୁ ବାଣୀବିହାର ଛକ ନିକଟ ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ଶେଷ ହେବା ପରେ ପୁଲିସ ଭ୍ୟାନ୍‌ରେ ଝାରପଡ଼ା ଜେଲ୍‌ ଫେରୁଥିବା ବାଟରେ ସେ ଏଭଳି କାଣ୍ଡ ଭିଆଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe