ବାଣୀବିହାର ବାକି ହଷ୍ଟେଲରେ ଚଢ଼ଉ ହେଲାନି

Advertisment

କର୍ତୃପକ୍ଷଙ୍କ ଛତ୍ରଛାୟା ତଳେ ଅଣଛାତ୍ର, ୧୫ ଦିନ ପର୍ଯ୍ୟନ୍ତ ଚଢ଼ଉ ହୋଇପାରିବନି, ଖୋଲିଲା ପ୍ରବେଶ ପଥର ଆଉ ଏକ ଗେଟ୍‌

କର୍ତୃପକ୍ଷଙ୍କ ଛତ୍ରଛାୟା ତଳେ ଅଣଛାତ୍ର, ୧୫ ଦିନ ପର୍ଯ୍ୟନ୍ତ ଚଢ଼ଉ ହୋଇପାରିବନି, ଖୋଲିଲା ପ୍ରବେଶ ପଥର ଆଉ ଏକ ଗେଟ୍‌

ବାଣୀବିହାର ବାକି ହଷ୍ଟେଲରେ ଚଢ଼ଉ ହେଲାନି

ଭୁବନେଶ୍ବର : ଚଢ଼ଉରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ହଟିଲେ ଗୋଟିଏ ଅଣଛାତ୍ର ‌ଗୋଷ୍ଠୀ। ଆହୁରି ଏକାଧିକ ଅଣଛାତ୍ର ଗୋଷ୍ଠୀ ଏବେ ବି ହଷ୍ଟେଲଗୁଡ଼ିକରେ ଆଡ଼ା ଜମାଇ ବସିଛନ୍ତି। ହଷ୍ଟେଲ ନମ୍ବର ୨, ୩ ଓ ୪ରେ ଏମାନଙ୍କ ପ୍ରାଦୁର୍ଭାବ ଜାରି ରହିଛି। ୩୦ରୁ ୩୫ଟି ରୁମ୍‌ରେ ଛାତ୍ରଙ୍କ ସହ ଅଣଛାତ୍ରମାନେ ରହୁଥିବା ଜଣାପଡ଼ିଛି। ସେମାନଙ୍କୁ ହଟାଇବା ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି। କର୍ତୃପକ୍ଷ ଏକପ୍ରକାର ଚୁପ୍‌ ବସିଛନ୍ତି। କେବଳ ନୋଟିସ୍‌ ଜାରି ଓ ହଷ୍ଟେଲରୁ ବାହାରି ଯିବାକୁ ଅଣଛାତ୍ରଙ୍କୁ ତାଗିଦ୍‌ କରୁଛନ୍ତି। ହେଲେ ଚଢ଼ଉର ନାଁ ଗନ୍ଧ ନାହିଁ। କେବେ ହେବ ସେନେଇ ବି କୌଣସି ପଦକ୍ଷେପ ନେଉ ନଥିବାରୁ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଚଢ଼ଉ ହେବାର ସମ୍ଭାବନା କ୍ଷୀଣ। ମାର୍ଚ୍ଚ ୨୫ରେ ୨୦୧୬-୧୭ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ ଲାଗି ଉତ୍ସବ ହେବ। ୨୯ରେ ସମାବର୍ତନ ଉତ୍ସବ। ତେଣୁ ଏହି ସମୟ ଭିତରେ ହଷ୍ଟେଲଗୁଡ଼ିକ ଉପରେ ଚଢ଼ଉ କରିବା ଦିଗରେ ପଦକ୍ଷେପ ନେଇପାରିବେନି। ଏମିତି ବି ଚଳିତ ସପ୍ତାହରେ ଲଗାତାର ଭାବେ ତିନି ଦିନ ଛୁଟି ରହିବ। ତେଣୁ ଛାତ୍ରମାନେ ହଷ୍ଟେଲ ଛାଡ଼ି ପଳାଇବେ। ଅଣଛାତ୍ର ବି ଚାଲିଯିବେ। ତେଣୁ ଚଢ଼ଉ କଲେ ବି କିଛି ଫଳ ମିଳିବନି। ଏପ୍ରିଲରେ ବିଭିନ୍ନ ପାଠ୍ୟକ୍ରମର ପରୀକ୍ଷା ଆରମ୍ଭ ହେବ। ଫଳରେ କର୍ତୃପକ୍ଷ କେବେ ଚଢ଼ଉ କରିବେ ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଦୀର୍ଘ ୩ ବର୍ଷ ପରେ ଖୋଲିଛି ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ପ୍ରବେଶ ପଥର ଆଉ ଏକ ଫାଟକ। ଛାତ୍ର ସଂସଦ ନିର୍ବାଚନ ‌ସମୟରେ ଛାତ୍ର-ଅଣଛାତ୍ର ହାତାହାତି ହେବା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପୁଲିସ ଅଧିକାରୀଙ୍କ ପରାମର୍ଶକ୍ରମେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମୁଖ୍ୟ ପ୍ରବେଶ ପଥର ବାମ ପାର୍ଶ୍ବ ଫାଟକକୁ ବନ୍ଦ କରି ଦେଇଥିଲେ। କୌଣସି ବଡ଼ ଉତ୍ସବ କିମ୍ବା କାର୍ଯ୍ୟକ୍ରମ ବେଳେ କେବଳ ଏହି ଫାଟକ ଖୋଲୁଥିଲା। ନ ହେଲେ କେବଳ ଡାହାଣ ପାର୍ଶ୍ବ ଫାଟକ ଖୋଲା ରଖାଯାଇଥିଲା। ସେହି ରାସ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ, ପ୍ରଫେସର, କର୍ମଚାରୀ ପ୍ରମୁଖ ଭିତରକୁ ପ୍ରବେଶ କରୁଥିଲେ ଓ ବାହାରୁଥିଲେ। ଏବେ କିନ୍ତୁ ସ୍ଥିତିରେ କିଛିଟା ସୁଧାର ଆସିଛି। ଗତ କିଛି ମାସ ଧରି କ୍ୟାମ୍ପସ ଶାନ୍ତ ରହିଛି। ଅଧାରୁ ଅଧିକ ଅଣଛାତ୍ରଙ୍କୁ କ୍ୟାମ୍ପସରୁ ତଡ଼ାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମୁଖ୍ୟ ପ୍ରବେଶ ପଥର ବାମ ପାର୍ଶ୍ବ ଫାଟକ ଖୋଲିଛନ୍ତି। ଏବେ ଗାଡ଼ି ଚାଳକମାନେ ଉଭୟ ପାର୍ଶ୍ବ ଫାଟକକୁ ବ୍ୟବହାର କରୁଛନ୍ତି।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି, ବାଣୀବିହାର କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରାଯିବ। ଏବେ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଆଗକୁ ମଧ୍ୟ ଜାରି ରହିବ। ସବୁ ହଷ୍ଟେଲ ଉପରେ ଚଢ଼ଉ କରିବାକୁ ଯୋଜନା ହୋଇଛି। ଆଗକୁ ସମାବର୍ତନ ଉତ୍ସବ ହେବାକୁ ଥିଲେ ମଧ୍ୟ ସୁବିଧା ସୁଯୋଗ ଦେଖି ପୁଲିସ ସହାୟତାରେ ଅଣଛାତ୍ରଙ୍କୁ ତଡ଼ିବା ଦିଗରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe