ବାଲିଅନ୍ତା : ଭାର୍ଗବୀ ନଦୀରେ ୩୦ ଫୁଟ୍‌ର ଘାଇ

Advertisment

ରାତି ସାରା ବନ୍ଧ ଜଗିଲେ ଗ୍ରାମବାସୀ, ଭୋଇସାହି ବାହ୍ୟଜଗତରୁ ବିଚ୍ଛିନ୍ନ

ରାତି ସାରା ବନ୍ଧ ଜଗିଲେ ଗ୍ରାମବାସୀ, ଭୋଇସାହି ବାହ୍ୟଜଗତରୁ ବିଚ୍ଛିନ୍ନ

ବାଲିଅନ୍ତା : ଭାର୍ଗବୀ ନଦୀରେ ୩୦ ଫୁଟ୍‌ର ଘାଇ

ବାଲିଅନ୍ତା : ଝିଣ୍ଟିଶାସନ ପଞ୍ଚାୟତ ଦେଇ ଯାଇଥିବା ଭାର୍ଗବୀ ନଦୀବନ୍ଧର ଦୁର୍ବଳ ସ୍ଥାନ ନବାଟିଆ ଗ୍ରାମ ବ୍ରିଜ୍‌ ନିକଟରେ ଗତରାତିରେ ୩୦ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଥିଲେ। ନିବାଟିଆ ସମେତ ଆଖପାଖ ଗାଁକୁ ବିପଦ ରହିଥିବାରୁ ବହୁ ସଂଖ୍ୟାରେ ଗ୍ରାମବାସୀ ସେଠାରେ ପହଞ୍ଚି ବାଉଁଶ ଧଡ଼ା ବାନ୍ଧିବା ସହ ବାଲିବସ୍ତା ପକାଇ ଅସ୍ଥାୟୀ ମରାମତି କରିଥିଲେ। ତେବେ ରାତିରେ ବନ୍ଧ ଭାଙ୍ଗଯିବା ଆଶଙ୍କା‌ରେ ଗ୍ରାମବାସୀମାନେ ସେହି ସ୍ଥାନକୁ ରାତି ସାରା ଜଗି ରହିଥିଲେ।

publive-image

ଖବର ପାଇ ଆଜି ପୂର୍ବାହ୍ନରେ ବିଡିଓ ଆଦିକନ୍ଦ ବେହରା, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ପୁରୁଖା ନେତା ଅଚ୍ୟୁତାନନ୍ଦ ପାତ୍ର, ବ୍ଲକ ସହକାରୀ ଯନ୍ତ୍ରୀ ମାନସ ରଂଜନ ନାୟକ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ପାଢ଼ୀ ପ୍ରମୁଖ ଘାଇ ମରାମତି ହୋଇଥିବା ସ୍ଥାନରେ ପହଞ୍ଚି ସ୍ଥିତି ପରଖିଥିଲେ। ପରେ ଉତ୍ତରା ଜଳସେଚନ ଅଧିକାରୀମାନେ ସେଠାରେ ପହଞ୍ଚି ଏହାର ସ୍ଥାୟିତ୍ବ ନେଇ ଅନୁଧ୍ୟାନ କରିଥିଲେ। ଉପରୋକ୍ତ ଅଧିକାରୀଙ୍କ ସହ ବାଲିପାଟଣା କେନାଲ ସବ୍‌ଡିଭିଜନ୍‌ ଅଧୀନ ଅଚ୍ୟୁତପୁର ସେକ୍ସନ୍‌ ସହକାରୀ ଯନ୍ତ୍ରୀ ମାନସ ରଂଜନ ସାହୁ ପ୍ରମୁଖ ଭାର୍ଗବୀ ସାଇଫନ୍‌ ଛକ ନିକଟରେ ଥିବା ଦୁର୍ବଳ ସ୍ଥାନ ବୁଲି ଦେଖିବା ସହ ମରାମତି ନେଇ ବାଲିବସ୍ତା ପକାଇବା ପାଇଁ ଆଲୋଚନା କରିଥିଲେ। ତେବେ ଭାର୍ଗବୀରେ ବନ୍ୟାଜଳ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାରୁ ନଦୀ ଉପକୂଳବର୍ତ୍ତୀ ଗ୍ରାମବାସୀଙ୍କ ମନରୁ ବନ୍ୟା ଭୟ ଟଳି ନାହିଁ।

୩ଦିନ ହେଲା ଭାର୍ଗବୀ ବନ୍ୟାରେ ବାଲିଅନ୍ତା ବ୍ଲକର ତଳିଆ ଅଞ୍ଚଳ ଝିଣ୍ଟିଶାସନ ପଞ୍ଚାୟତର ନବାଟିଆ ଓ ତେରବାଟିଆ ମୌଜାରେ ଶହ ଶହ ହେକ୍ଟର ଧାନ ଓ ପନିପରିବା ଫସଲ ଉପରେ ୧୦ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ହେଲେ ସ୍ଥାନୀୟ ଲୋକମାନେ ଘାଇ ସ୍ଥାନ ମରାମତି କରିବାରେ ସକ୍ଷମ ହୋଇଥିବାରୁ ଗାଁ ଭିତରକୁ ପାଣି ପଶି ପାରିନାହିଁ।

publive-image

ସେହିପରି ଭାର୍ଗବୀ ବନ୍ୟାଜଳରେ ବାଲିଅନ୍ତା ବ୍ଲକର ପୁରୋହିତପୁର ପଞ୍ଚାୟତର ନବାଟି ଭୋଇସାହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଠାରେ ରହୁଥିବା ୨୨ଟି ଦଳିତ ପରିବାରର ୧୫୦ଜଣ ସଦସ୍ୟ ଗାଁ ସ୍କୁଲରେ ଆଶ୍ରୟ ନେଇଛନ୍ତି। ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ଶତପଥୀ ଓ ୱାର୍ଡ ସଭ୍ୟ ତ୍ରିନାଥ ଭୋଇ କହିଛନ୍ତି। ନବାଟି ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଥିବା ବେଳେ ଘର ଭିତରେ ପାଣି ପଶି ଯିବାରୁ ୧୨ଟି କଚ୍ଚାଘର ମାଟି କାନ୍ଥ ବତୁରି ଭାଙ୍ଗିଯାଇଛି। ଏଥିସହ ପୁରୋହିତପୁର ଗ୍ରାମ ସମେତ ପଞ୍ଚାୟତର ବାରିଜଙ୍ଗ ଗ୍ରାମ ମଧ୍ୟ ପ୍ରଭାବିତ ହୋଇଛି।

ଶେଷ ରିପୋର୍ଟ ଲେଖା ହେବା ବେଳକୁ କୁଶଭଦ୍ରା ନଦୀର ମହାତ୍ମା ସେତୁ ନିକଟରେ ୧୩ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ବଇଁଚୁଆ କାଜ ନିକଟରେ ଜଳସ୍ତର ୧୭ଫୁଟ୍‌ ଥିବା ବେଳେ ବିପଦ ସଙ୍କେତ ଟପିବାକୁ ଆଉ ୧ଫୁଟ୍‌ ବାକି ରହିଥିଲା। ରାତିରେ ଯଦି ଜଳସ୍ତର ଆହୁରି ବୃଦ୍ଧି ପାଏ, ଅଞ୍ଚଳରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe