ଭୁବନେଶ୍ୱର: ଆଜିକାଲିର ବଜାରକୁ ରାସାୟନିକ ଦ୍ରବ୍ୟ ମିଶ୍ରିତ ଯେଉଁ ତେଲ ଆସୁଛି ତାହାକୁ ସମସ୍ତେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବ୍ୟସ୍ତବହୁଳ ସମୟରେ କାହାରି ପାଖରେ ଘରୋଇ ଉପାୟରେ କୌଣସି ବିଶୁଦ୍ଧ ତେଲ ତିଆରି କରି ବ୍ୟବହାର କରିବା ପାଇଁ ସମୟ ନାହିଁ। ସେଥିପାଇଁ ରାସାୟନିକ ଦ୍ରବ୍ୟ ମିଶ୍ରିତ ତେଲକୁ ଆମେ ପ୍ରତିଦିନ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛେ । ଯାହାଫଳରେ କି ବିଭିନ୍ନ ପ୍ରକାର ରୋଗବୈରାଗ ଆମ୍ଭମାନଙ୍କୁ ମାଡ଼ି ବସୁଛି। ଏପରି କ୍ଷେତ୍ରରେ ଲୋକମାନଙ୍କ ପାଖରେ ବିଶୁଦ୍ଧ ତେଲ ପହଞ୍ଚାଇବା ପାଇଁ ରାଜଧାନୀ ଭୁବେନେଶ୍ୱରର ସତ୍ୟନଗରଠାରେ ଜଣେ ବ୍ୟବସାୟୀ ଏକ ତେଲ ଘଣା ଖୋଲିଛନ୍ତି।
ଗିରିଧାରୀ ଦାସ ନାମକ ଏହି ବ୍ୟବସାୟୀ ତେଲ ଘଣା ଖୋଲି ରାଶି ଠାରୁ ଆରମ୍ଭ କରି ନଡ଼ିଆ, ପେସି, ବାଦାମ୍, ସୋରିଷ, ସୂର୍ଯ୍ୟମୁଖୀ, ଜଡ଼ା, ନିମ୍ବ, କରଞ୍ଜ ଆଦିକୁ ପେସି ତେଲ ବାହାର କରୁଛନ୍ତି। ଆଉ ଏହି ତେଲରେ କୌଣସି ରାସାୟନିକ ଦ୍ରବ୍ୟ ମିଶ୍ରଣ କରାଯାଉ ନାହିଁ। ଏହା ପୂରାପୂରି ବିଶୁଦ୍ଧବୋଲି ଦାବି କରନ୍ତି ଗିରିଧାରି।ଏତଦ୍ ବ୍ୟତୀତ ଯଦି କୌଣସି ଗ୍ରାହକ ନଡ଼ିଆ, ରାଶି ଓ ସୋରିଷ ଆଦି ଆଣନ୍ତି ତେବେ ତାହାକୁ ସେ ଗ୍ରାହକଙ୍କ ସାମ୍ନାରେ ପେସି ସେଥିରୁ ତେଲ ବାହାର କରି ଦେବାର ସୁବିଧା ବି ରଖିଛନ୍ତି।
/sambad/media/post_attachments/wp-content/uploads/2020/02/spic-1.jpg)
ତେବେ ଏହି ବିଶୁଦ୍ଧ ତେଲ ବ୍ୟବସାୟ କିପରି ଆରମ୍ଭ କଲେ ବୋଲି ପ୍ରଶ୍ନର ଉତ୍ତରରେ ଗିରିଧାରୀ ଦାସ କହନ୍ତି, ପୂର୍ବରୁ ଯେଉଁ ବ୍ୟବସାୟ କରୁଥିଲେ ସେଥିରେ ତାଙ୍କୁ ସନ୍ତୋଷ ମିଳୁ ନ ଥିଲା। ତେଣୁ ତାହାକୁ ଛାଡ଼ି ଲୋକମାନଙ୍କ ପାଖରେ କେମିତି ଭଲ ଜିନିଷ ପହଞ୍ଚାଇ ହେବ ସେ ନେଇ ଚିନ୍ତା କରି ଏହି ଘଣା ତେଲର ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରତିଦିନ ଘରେ ଖାଦ୍ୟ ପ୍ରସ୍ତୁତି ସମୟରେ ତେଲର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଆଜିକାଲି ଲୋକମାନେ ଯେଉଁ ତେଲ ଖାଉଛନ୍ତି ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଶ୍ରିତ ହୋଇ ଆସୁଛି। ତେଣୁ ସେ ସେମାନଙ୍କ ପାଖରେ କିଭଳି ଭାବେ ବିଶୁଦ୍ଧ ତେଲ ପହଞ୍ଚାଇ ପାରିବେ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି। ଏହି ଘଣା ତେଲ ପ୍ରସ୍ତୁତି ପାଇଁ ସେ କୌଣସି ପ୍ରଶିକ୍ଷଣ ବି ନେଇ ନାହାନ୍ତି ବୋଲି କହିଛନ୍ତି ଗିରିଧାରୀ।
/sambad/media/post_attachments/wp-content/uploads/2020/02/spic-2.jpg)
ଗିରିଧାରୀ କହନ୍ତି, ତାଙ୍କ ଦୋକାନରେ ମିଳୁଥିବା ତେଲକୁ ଗ୍ରାହକ ରୋଷେଇ ସହିତ କେଶ, ଚର୍ମ ପାଇଁ ବି ବ୍ୟବହାର କରିପାରିବେ। ଏପରି କି ନଡ଼ିଆରୁ ପ୍ରସ୍ତୁତ ହେଉଥିବା ବିଶୁଦ୍ଧ ନଡ଼ିଆ ତେଲକୁ ପୋଡ଼ାଜଳାସ୍ଥାନରେ ବି ଲଗାଇବା ସହିତ ଯଦି କୌଣସି ଘା’ ଶୁଖୁ ନାହିଁ ସେଥିରେ ଲଗାଇ ଉପଶମ ପାଇପାରିବେ। ଲୋକମାନଙ୍କର ବି ଏଭଳି ବିଶୁଦ୍ଧ ତେଲ ଉପରେ ବେଶ ଚାହିଦା ବି ରହିଛି। କିନ୍ତୁ ଖୁବ୍ ଅଳ୍ପ ମାତ୍ରାରେ ଏଭଳି ଦୋକାନ ଥିବାରୁ ସେମାନେ ରାସାୟନିକ ଦ୍ରବ୍ୟ ଯୁକ୍ତ ତେଲ ଖାଇବାକୁ ବାଧ୍ୟ ହେଉଛନ୍ତି।
ଭୁବନେଶ୍ୱରରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କ ପାଖରେ ଏହି ବିଶୁଦ୍ଧ ତେଲ ପହଞ୍ଚାଇବାକୁ ହେଲେ ଅତିକମ୍ରେ ବିଭିନ୍ନ ସ୍ଥାନରେ ଏଭଳି ୧୦୦ଟି ଦୋକାନ ଖୋଲିଲେ ଯାଇ ତାହା ପୂରଣ ହୋଇପାରିବ। ତେଣୁ ଏହି ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଯେଉଁମାନେ ସହଯୋଗ କରିପାରିବେ ସେମାନଙ୍କୁ ଗିରିଧାରୀ ସମର୍ଥନ କରିବା ସହିତ ସମାଜରେ ଯେଉଁ ପିଲାମାନେ ବେକାର ହୋଇ ବୁଲୁଛନ୍ତି ସେମାନଙ୍କୁ ମଧ୍ୟ ତାଙ୍କର ଏହି ବ୍ୟବସାୟରେ ନିୟୋଜିତ କରିବାର ସୁବିଧା ବି ରଖିଥିବା ଗିରିଧାରୀ କହିଛନ୍ତି।
Follow Us