ପରିବା ଦର ଆକାଶଛୁଆଁ : ହବିଷ ପାଣିଚିଆ

Advertisment
ପରିବା ଦର ଆକାଶଛୁଆଁ : ହବିଷ ପାଣିଚିଆ

ଭୁବନେଶ୍ବର : ପିଆଜ କିଲୋ ୫୦ ଟପିଥିଲା। ଏବେ ୬୦ ଟପି ଗଲାଣି। କେଉଁଠି ୬୦ରେ ବିକ୍ରି ହେଉଛି ତ ଆଉ କେଉଁ ବଜାରରେ ୬୫ରେ ପହଞ୍ଚିଲାଣି। ବେପାରୀଙ୍କ ମୁହଁରୁ ଯେ‌ତିକି ବାହାରୁଛି ଖାଉଟିଙ୍କଠାରୁ ସେତିକି ନେଉଛନ୍ତି। ଆଗ ପଛ କିଛି ବି ବିଚାର କରୁନାହାନ୍ତି। ପିଆଜ ପଛକୁ ଆଳୁ ଦର ବି ବଢ଼ିଚାଲିଛି। ସପ୍ତାହକ ତଳେ ଆଳୁ କିଲୋ ପିଛା ୧୮ରୁ ୨୦ ଟଙ୍କା ଥିଲା। ଏବେ ତାହା ବି ୨୫ ଡେଇଁଲାଣି।

ଆଜିଠାରୁ ପଞ୍ଚୁକ ଆରମ୍ଭ ହୋଇଥିବା ବେଳେ ପରିବା ବଜାରରେ ଲାଗିଛି ନିଆଁ। ସବୁଜ ପନି ପରିବାରେ ହାତ ମାରିବାକୁ ଡରୁଛନ୍ତି ଖାଉଟି। ସବୁ ପରିବା ଏବେ ୪୦ ଡେଇଁ ଯାଇଛି। ଫୁଲକୋବି ଦର ନ କହିବା ଭଲ। ଗୋଟା ପିଛା ମୂଲ୍ୟ ଆଜି ୫୦ରୁ ୭୦ଟଙ୍କାରେ ବିକ୍ରି ହୋଇଛି।

ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ବାରା ଗତ ମାସରେ ଚାଷୀମାନେ କ୍ଷତି ସହିଥିଲେ। ଏବେ ପୁଣିଥରେ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ହେବା ଯୋଗୁଁ ପରିବା ଚାଷ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଆଜି ଦିନ ସାରା ବର୍ଷା ଲାଗି ରହିବା ହେତୁ ପରିବା ଚାଷ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଚାଷୀଙ୍କ ପରିବା ଜମିରେ ପାଣି ଜମି ରହିଛି। ତେଣୁ ପରିବା ଦର ଆହୁରି ବଢ଼ିବା ନେଇ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଆଜିଠାରୁ ପଞ୍ଚୁକ ଆରମ୍ଭ ହୋଇଥିବାରୁ ପରିବା ଦର ଚଢ଼ା‌ ରହିଛି। ଦୁଇ ଦିନ ଭିତରେ ଟମାଟୋ, ବାଇଗଣ, କାଙ୍କଡ଼, ଶାଗ, କଲରା, କାକୁଡ଼ି, କଞ୍ଚା କଦଳୀ, ବିନ୍‌, ଝୁଡ଼ଙ୍ଗ ଭଳି ଅତ୍ୟାବଶ୍ୟକ ପରିବା ଦର ବଢ଼ିଛି। ଅମୃତଭଣ୍ଡାର କିଲୋ ପିଛା ମୂଲ୍ୟ ୩୦ ଟଙ୍କା‌ରେ ପହଞ୍ଚିଥିବା ବେଳେ କାଙ୍କଡ଼ ୫୦ ଟଙ୍କା, ଖମ୍ବ ଆଳୁ ୫୦ଟଙ୍କା, ଜହ୍ନି ୫୫ ଟଙ୍କା, କୋଶିଳା ଶାଗ ବିଡ଼ା ୧୦ଟଙ୍କା, କନ୍ଦମୂଳ ୪୦ ଟଙ୍କା, ଗାଜର ୫୫ଟଙ୍କା, ବିଟ୍‌ ୫୦ ଟଙ୍କା, ବିନ୍‌ ୬୦ରୁ ୮୦ ଟଙ୍କା, ଝୁଡ଼ଙ୍ଗ କିଲୋ ପିଛା ୬୦ ଟଙ୍କା ପର୍ଯ୍ୟନ୍ତ ରହିଛି। କଞ୍ଚା କଦଳୀ ଡଜନ୍‌ ଆଜି ୧୨୦ଟଙ୍କା ଲେଖାଏଁ ବିକ୍ରି ହେଉଥିଲା। ଏଭଳି ଅହେତୁକ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ମଧ୍ୟବିତ୍ତ ଓ ଗରିବଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ଦର ଅଧିକ ଥିବାରୁ ବ୍ୟବସାୟୀଙ୍କ ବେପାର ମଧ୍ୟ ମାନ୍ଦା ରହୁଛି। ଯାହାକୁ ନେଇ ବ୍ୟବସାୟୀ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି।

ହବିଷ୍ୟାଳିଙ୍କ ଡାଲମାକୁ ମଧ୍ୟ ପାଣିଚିଆ କରିଛି ପରିବା ଦର। ପନିପରିବାର ଦର ବୃଦ୍ଧି ହବିଷ ଡାଲମା ଉପରେ ମାଡ଼ ସଦୃଶ ହୋଇଛି। କାର୍ତ୍ତିକ ମାସରେ ଅଧିକାଂଶ ଲୋକ ଆମିଷ ଖାଉ ନଥିବାରୁ ନିରାମିଷ ତରକାରି ଓ ହବିଷ ପାଇଁ ଲୋକ ପନିପରିବା ଉପରେ ନିର୍ଭର କରି ଆସୁଛନ୍ତି। ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe