‌ତିଆରି ହେବ ଭେଣ୍ଡିଂ ଜୋନ୍‌: ବଳିପଡ଼ିବ ୩୦୦ ଗଛ

ଅସ୍ଥାୟୀ ଭେଣ୍ଡିଂ ଜୋନ୍ ପାଇଁ ଗଛବଳି। ପ୍ରାୟ ୩ ଶହ ଗଛ କାଟିଦେବାକୁ ହୋଇଛି ଯୋଜନା। କିମ୍‌ସ ଡାକ୍ତରଖାନା ପଛପାର୍ଶ୍ବ ପାର୍‌ଲେଜି ରୋଡ୍‌ରେ ଏଭଳି ଅଭାବନୀୟ ସ୍ଥିତି ସାଧାରଣରେ ଅସନ୍ତୋଷ ଭରି ଦେଇଛି।

sfhsfhfhf

ଭୁବନେଶ୍ବର: ଅସ୍ଥାୟୀ ଭେଣ୍ଡିଂ ଜୋନ୍ ପାଇଁ ଗଛବଳି। ପ୍ରାୟ ୩ ଶହ ଗଛ କାଟିଦେବାକୁ ହୋଇଛି ଯୋଜନା। କିମ୍‌ସ ଡାକ୍ତରଖାନା ପଛପାର୍ଶ୍ବ ପାର୍‌ଲେଜି ରୋଡ୍‌ରେ ଏଭଳି ଅଭାବନୀୟ ସ୍ଥିତି ସାଧାରଣରେ ଅସନ୍ତୋଷ ଭରି ଦେଇଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗତକାଲିଠାରୁ ଏହି ଗଛ କଟା ଅଭିଯାନ ଆରମ୍ଭ ହୋଇଛି। ଅଳ୍ପବର୍ଷର ଏହି ଗଛକୁ କାଟି ଦିଆଯିବା ଦେଖି ସ୍ଥାନୀୟ ପରିବେଶପ୍ରେମୀ ଓ ଉଠା ଦୋକାନୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଦୃଢ଼ ବିରୋଧ କରିଛନ୍ତି। ଏଣୁ ଆଜି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗଛ କାଟିବାକୁ ଟିମ୍ ଯାଇଥିଲେ ବି ବିରୋଧ ଯୋଗୁ ଫେରିବାକୁ ପଡ଼ିଛି। ବିଏମ୍‌ସି ଚଳିତ ମାସରେ ୮ ନମ୍ବର ୱାର୍ଡ ଅନ୍ତର୍ଗତ କିଟ୍ ଓ କିମ୍‌ସ ଛକ ଅଞ୍ଚଳରୁ ୨୭୮ଜଣ ଉଠାଦୋକାନୀଙ୍କୁ ଉଚ୍ଛେଦ କରିଛି। ନିୟମ ଅନୁଯାୟୀ, ଏହି ଉଠା ୋକାନୀଙ୍କୁ ବିଏମ୍‌ସି ଥଇଥାନ କରିବ। କିନ୍ତୁ ଏହା ପୂର୍ବରୁ ଉଚ୍ଛେଦ ଉଠା ଦୋକାନୀଙ୍କୁ କିମ୍‌ସ ଡାକ୍ତରଖାନା ପଛପାର୍ଶ୍ବରେ ପାର୍‌‌ଲେଜି ରୋଡ୍‌ରେ ଥଇଥାନ କରାଯାଉଛି। ଯେଉଁ ଜାଗାରେ ଉଠା ଦୋକାନୀଙ୍କୁ ଥଇଥାନ କରାଯାଉଛି, ସେଠାରେ ଶାଳ, ପିଆଶାଳ, ଚାକୁଣ୍ଡା ଆଦି ଶହ ଶହ ଗଛ ରହିଛି। ଗଛଗୁଡ଼ିକ ବେଶି ବଡ଼ ବି ନୁହେଁ। କୁହାଯାଉଛି, ବନ ବିଭାଗ ଏହି ଗଛ ଲଗାଇଛି। ଗଛଗୁଡ଼ିକ ସାତ ଆଠ ବର୍ଷର ହେବ। କିନ୍ତୁ ଅସ୍ଥାୟୀ ଭାବେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଏହି ଗଛ ସବୁକୁ କାଟି ଜାଗା ଖାଲି କରାଯାଉଛି। ଜେସିବି ଜରିଆରେ ଅତି ଦୟନୀୟ ଭାବେ ଗଛକୁ ଭାଙ୍ଗି ଦିଆଯାଉଛି। ସ୍ଥାନୀୟ ଲୋକେ କହିଛନ୍ତି, ଗଛ ନ କାଟିବାକୁ ଜୋନାଲ୍ କମିସନର୍ ମନ୍ମଥ କୁମାର ନାୟକଙ୍କୁ ବହୁବାର କହିଲାଣୁ। କିନ୍ତୁ ସେ ଶୁଣିବାକୁ ନାରାଜ। 

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି, ଉଚ୍ଛେଦ ଉଠା ଦୋକାନୀଙ୍କୁ ଥଇଥାନକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଗଛ କାଟି ଥଇଥାନ ଆଦୌ ଗ୍ରହଣୀୟ ନୁହେଁ। ଗଛ ନ କାଟି କିଭଳି ଦୋକାନୀଙ୍କୁ ଥଇଥାନ କରିହେବ ସେ ଦିଗରେ ବିଏମ୍‌ସି ବିଚାର କରୁ। ଭେଣ୍ଡିଂ ଜୋନ୍ ଦାୟିତ୍ବରେ ଥିବା ବିଏମ୍‌ସି ଡେପୁଟି କମିସନର୍ ଅଜୟ ମହାନ୍ତି କହିଛନ୍ତି, ଆମେ ଅସ୍ଥାୟୀ ଭାବେ ଉଚ୍ଛେଦ ଉଠାଦୋକାନୀଙ୍କୁ ଏଠାରେ ଥଇଥାନ କରୁଛୁ। ବାକି ଗଛ କାଟିବା ସଂପର୍କରେ ଜୋନାଲ୍ ଡେପୁଟି କମିସନର୍ କହିପାରିବେ। ଜୋନାଲ୍ ଡେପୁଟି କମିସନର୍ ଶ୍ରୀ ନାୟକଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe