ଭୂତକୋଠି ପାଲଟିଛି ଭେଣ୍ଡିଂ ଜୋନ୍‌

ଜଟଣୀ ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡସ୍ଥିତ ମା’ ଦକ୍ଷିଣକାଳୀ ମାର୍କେଟ୍ ଭେଣ୍ଡିଂ ଜୋନ୍ ଭୂତକୋଠି ପାଲଟିଛି। ବ୍ୟବସାୟୀମାନଙ୍କ ଅସନ୍ତୋଷ ପାଇଁ ୪୮ଟି ଦୋକାନର ସଟର୍‌ ଆରମ୍ଭରୁ ଖୋଲିନାହିଁ।

ddagdgdg

ଜଟଣୀ: ଜଟଣୀ ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡସ୍ଥିତ ମା’ ଦକ୍ଷିଣକାଳୀ ମାର୍କେଟ୍ ଭେଣ୍ଡିଂ ଜୋନ୍ ଭୂତକୋଠି ପାଲଟିଛି। ବ୍ୟବସାୟୀମାନଙ୍କ ଅସନ୍ତୋଷ ପାଇଁ ୪୮ଟି ଦୋକାନର ସଟର୍‌ ଆରମ୍ଭରୁ ଖୋଲିନାହିଁ। ପୌରପାଳିକାଠାରୁ ଦୋକାନ ଘରଗୁଡ଼ିକ ନେବା ପରେ ବେପାରୀମାନେ ବଜାର ଖୋଲୁନାହାନ୍ତି। ମାସକୁ ମାସ ଭଡ଼ା ଗଣୁଛନ୍ତି ପଛେ ଦୋକାନ ଖୋଲିବା ନାଁ ନେଉନାହାନ୍ତି। ଅନ୍ୟପକ୍ଷରେ ସେମାନେ ପୂର୍ବ ଭଳି ରାଜପଥ କଡ଼ରେ ବସି ବେପାର କରୁଛନ୍ତି ଏବଂ ଜଟଣୀ ସହରରେ ଟ୍ରାଫିକ୍ ଜାମ୍‌ର ଅନ୍ୟତମ କାରଣ ସାଜୁଛନ୍ତି। 

ଜଟଣୀ ପୌରପାଳିକା ପକ୍ଷରୁ ହରିଭାଇନା ଛକ ବସ୍‌ଷ୍ଟାଣ୍ଡ ନିକଟରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଛି। ୫୮ଲକ୍ଷ ଟଙ୍କା ବ୍ୟୟରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଛି। ୨୦୨୧ ମସିହାରେ କାମ ଶେଷ ହେବା ପରେ ୨୦୨୨ ମାର୍ଚ୍ଚରେ ୪୮ଜଣଙ୍କୁ ଦୋକାନ ଘର ବଣ୍ଟନ କରାଯାଇଥିଲା। ଦୋକାନ ପିଛା ସିକ୍ୟୁରିଟି ବାବଦକୁ ୫୦ ହଜାର ଓ ମାସକୁ ଭଡ଼ା ବାବଦରେ ୫ଶହ ଟଙ୍କା ପାଇଁ ଧାର୍ଯ୍ୟ କରାଯାଇଥିଲା। ୪୮ଜଣ ବେପାରୀ ଅଗ୍ରିମ ସିକ୍ୟୁରିଟି ଟଙ୍କା ଦେଇ ଦୋକାନ ଘର ବୁକ୍ କରିଥିଲେ। ଏବେ ବି ସେମାନେ ପ୍ରତିମାସରେ ୫ଶହ ଟଙ୍କା ‌‌ଲେଖାଏଁ ଭଡ଼ା ଗଣୁଛନ୍ତି। କିନ୍ତୁ ଏହା ଭିତରେ ୩ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଗୋଟିଏ ବି ଦୋକାନ ଖୋଲିପାରିଲା ନାହିଁ। ଏବେ ଦୋକାନ ଘରଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଭେଣ୍ଡିଂ ଜୋନ୍ ବୁଲା ଗୋରୁଗାଈଙ୍କ ଆଶ୍ରୟସ୍ଥଳ ପାଲଟିଛ। ସନ୍ଧ୍ୟାରେ ନିଶାଡ଼ିମାନଙ୍କ ଖଟି ଜମୁଛି। କିଛି ଦୋକାନ ଘର ପରିସ୍ରାଗାର ପାଲଟିଗଲାଣି। ଦୋକାନୀମାନଙ୍କ କହିବା କଥା ବସ୍‌ଷ୍ଟାଣ୍ଡକୁ ଆଖିରେ ରଖି ସେମାନେ ଏଠାରେ ଦୋକାନ ନେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ବସଷ୍ଟାଣ୍ଡ ବନ୍ଦ ରହିଛି।

ଲୋକମାନେ ସେଠାକୁ ଆସୁନାହାନ୍ତି। ତେଣୁ ବେପାର ହେବା ଆଶଙ୍କା ରହିଛି। କେବଳ ଭବିଷ୍ୟତ ପାଇଁ ମାସକୁ ମାସ ଭଡ଼ା ଗଣୁଛୁ ବୋଲି କିଛି ଦୋକାନୀ କହିଛନ୍ତି। ବର୍ତମାନ ସେଠାରେ ଦୋକାନ ଖୋଲିଲେ, ମୂଳଧନ ବୁଡ଼ିଯିବ, ତେଣୁ ବସ୍‌ଷ୍ଟାଣ୍ଡ ପୁନଃକାର୍ଯ୍ୟକ୍ଷମ ହେବାକୁ ଅପେକ୍ଷା କରିଛୁ ବୋଲି ଆଉ କିଛି ଦୋକାନୀ କହିଛନ୍ତି। ଅନ୍ୟପଟେ ଭେଣ୍ଡିଂ ଜୋନ୍‌କୁ ଲାଗିକି ଥିବା ବସ୍‌ଷ୍ଟାଣ୍ଡ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। କିଛି ମାସ ପୂର୍ବେ ବସ୍‌ଷ୍ଟାଣ୍ଡ ସମସ୍ୟାକୁ ନେଇ ‘ସମ୍ବାଦ’ ରେ ଖବର ପ୍ରକାଶ ପାଇବା ପରେ କିଛି ବସ୍‌ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରିଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ଯଥା ପୂର୍ବଂ ତଥା ପରଂ ଭଳି। ବସ୍‌ଷ୍ଟାଣ୍ଡକୁ ଆଉ ବସ୍‌ ଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଯେଉଁଥିପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି ଯେ ଦୋକାନ ଗୃହ ସମସ୍ତଙ୍କୁ ଆଲଟ୍‌ ହୋଇ ସାରିଛି। ବିଦ୍ୟୁତ୍ ସଂଯୋଗ ପାଇଁ କିଛି ଦୋକାନୀ ଆବେଦନ କରିଥିବା ବେଳେ ଆଉ କିଛି ଦୋକାନୀ ଜାଣିଶୁଣି ଆବେଦନ କରୁନାହାନ୍ତି। ଯାହାକୁ ନେଇ କିଛି ଦିନ ପୂର୍ବେ କମିଟି ସହ ଆଲୋଚନା କରାଯାଇଛି। ସେମାନେ ମାସକୁ ମାସ ଠିକ ସମୟରେ ପଇସା ପୈଠ କରିଦେଉଛନ୍ତି। ହେଲେ କିଛି ଦୋକାନୀ ସେଠାରେ ଗୋଦାମ ଗୃହ କରିଥିବା କାରଣରୁ ଅଧିକ ସମସ୍ୟା ହେଉଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe