File Picture
ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଦୋକାନ କରିଥିବା ସ୍ଥାୟୀ ବ୍ୟବସାୟୀମାନେ କହିଥିଲେ ଯେ ନିଜ ଜମିରେ ୪୦ରୁ ଉର୍ଦ୍ଧ୍ବ ବର୍ଷ ଧରି ଦୋକାନ କରିଛନ୍ତି। ଦୋକାନ କରିଥିବା ଜମିର ପଟ୍ଟା ଥିବା ସହ ପାଉତି କାଟୁଛନ୍ତି। ହେଲେ ସେମାନଙ୍କ ଦୋକାନକୁ ଭାଙ୍ଗିବା ପାଇଁ ଚିହ୍ନ ଦିଆଯାଇଛି। ପ୍ରଶାସନ ଦୋକାନୀମାନଙ୍କୁ ଥଇଥାନ କରୁ, ତା’ ପରେ ଉଚ୍ଛେଦ କରିବ। ନଚେତ୍ ଦୋକାନୀମାନେ ଗୁଜୁରାଣ ହରାଇବା ସହ ସେମାନଙ୍କ ପରିବାର ଭୋକ ଉପାସରେ ରହିବେ। ଅପରପକ୍ଷେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଦୋକାନୀମାନଙ୍କୁ ଉଚ୍ଛେଦ କରି ସେମାନଙ୍କୁ ଭେଣ୍ଡିଂଜୋନ୍ରେ ଥଇଥାନ କରାଯାଇଛି। ସେହି ଢାଞ୍ଚାରେ ଏଠାକାର ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପରେ ଉଚ୍ଛେଦ କରାଯାଉ। ଅଯଥାରେ ଦୋକାନ ଭାଙ୍ଗିବା ବନ୍ଦ କରିବା ଓ ଉଠା ଦୋକାନୀଙ୍କୁ ଥଇଥାନର ପ୍ରତିଶ୍ରୁତି ନଦେଲେ ଉନ୍ନତିମୂଳକ କାର୍ଯ୍ୟ କରାଇଦେବୁ ନାହିଁ ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ଅନୁପ ମହାପାତ୍ର ଚେତାବନୀ ଦେଇଛନ୍ତି।
ସେବାୟତଙ୍କର ବି ବିରୋଧ
କିଛି ସେବାୟତ ବି ପ୍ରଶାସନର ଏହି ଉଚ୍ଛେଦ ଅଭିଯାନକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ଅଯଥାରେ ଲୋକଙ୍କୁ ହଇରାଣ କରାଗଲେ ଅଫିସରମାନଙ୍କୁ ଠିକଣା ସମୟରେ ବିରୋଧ କରାଯିବ। ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ପ୍ରଶାସନ ଦାୟୀ ରହିବ ମନ୍ଦିର ସେବାୟତ ଚେତାବନୀ ଦେଇଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କିଛି କହିବାକୁ ମନା କରିଥିଲେ।
୧୨ସାହିର ମୁରବି ଏକାଠି ହେଲେ
ସୋମବାର ଉଚ୍ଛେଦ ହେବା ନେଇ ପ୍ରଚାର ଗାଡ଼ି ବୁଲିବା ପରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ୧୨ସାହିର ମୁରବି ଏକାଠି ହୋଇଛନ୍ତି। ମୁରବିମାନେ କହିଛନ୍ତି ଯେ ମନଇଚ୍ଛା ଏଠି ଭଙ୍ଗାରୁଜା କେଲ ଚଳିବନି। ରାଜାରାଜୁଡ଼ା ଅମଳରୁ ଆମକୁ ଜମି ଦେଇ ଏଠାରେ ରଖା ଯାଇଛି। ଯଦି ପ୍ରଶାସନ ଲୋକଙ୍କ ଘର ଭାଙ୍ଗିବ, ତେବେ କୌଣସି ଭିଆଇପି କି ପର୍ଯ୍ୟଟକଙ୍କୁ ମନ୍ଦିରରେ ପୂରାଇ ଦେବୁନି।
Follow Us