ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ, ଡିସେମ୍ବର ୨୬ ଯାଏ ଆବେଦନ

Advertisment
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ, ଡିସେମ୍ବର ୨୬ ଯାଏ ଆବେଦନ

utkaluniversity.ac.in

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ଏକମାତ୍ର ତଥା ଦେଶର ପ୍ରଥମ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପଦବି ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ବିଶ୍ବବିଦ୍ୟାଳୟ କୁଳପତି ହେବା ପାଇଁ ଯେଉଁମାନେ ଆବେଦନ କରିବେ, ସେମାନଙ୍କ ଶିକ୍ଷାଦାନ ତଥା ପ୍ରଶାସନିକ କ୍ଷେତ୍ରରେ ଅତି କମ୍‌ରେ ୧୦ବର୍ଷର ଅଭିଜ୍ଞତା ରହିଥିବ। ନ ହେଲେ ସମାନ ପଦବିରେ ୧୦ବର୍ଷ ଧରି ଗବେଷଣା କରିଥିବେ ଅଥବା ପ୍ରଶାସନିକ ଦାୟିତ୍ବରେ ରହିଥିବେ। ବିଶ୍ବବିଦ୍ୟାଳୟ ଆଇନ ଅନୁଯାୟୀ କୁଳପତି ୩ବର୍ଷ ପାଇଁ ନିଯୁକ୍ତ ହେବେ। ୬୫ ବର୍ଷ ବୟସ ଛୁଇଁବା ପରେ କୌଣସି ପ୍ରଫେସର କୁଳପତି ପଦବିରେ ରହିପାରିବେ ନାହିଁ। ତେଣୁ ଯେଉଁମାନେ ଆବେଦନ କରିବେ, ସେମାନେ ଯେପରି ସମ୍ପୂର୍ଣ୍ଣ ଭାବେ ତିନିବର୍ଷ ଧରି କାର୍ଯ୍ୟ କରିପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ଆଶାୟୀ ପ୍ରଫେସରଙ୍କୁ ଅନୁରୋଧ କରାଯାଇଛି। ଆଶାୟୀ ପ୍ରଫେସରଙ୍କ ବିରୋଧରେ ଯଦି କୌଣସି ପ୍ରକାର ଅଭି‌ଯୋଗ ଥିବ, ତଦନ୍ତ ଚାଲିଥିବ, କୋର୍ଟ‌ରେ ମାମଲା ଥିବ, ଆବେଦନ ସମୟରେ ସେ ସଂକ୍ରାନ୍ତରେ ଜଣାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ‘uuu.ac.in’ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ୍‌ ‘odishaculture.gov.in’ରୁ ଆଶାୟୀ ପ୍ରଫେସର୍‌ମାନେ ଫର୍ମ ଡାଉନ୍‌ଲୋଡ୍‌ କରି ଆବେଦନ କରିପାରିବେ। ଡିସେମ୍ବର ୨୬ ମଧ୍ୟରେ ପାଞ୍ଚ ସେଟ୍‌ର ଆବେଦନ ଫର୍ମ ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଠିକଣା (କୁଳସଚିବଙ୍କ କାର୍ଯ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ସଂସ୍କୃତି ବିହାର, ମଦନପୁର, ଭୁବନେଶ୍ବର-୭୫୨୦୫୪, ଜିଲ୍ଲା-ଖୋର୍ଧା, ଓଡ଼ିଶା)ରେ ପଠାଇବାକୁ କୁହାଯାଇଛି। ଡାକରେ କୌଣସି ପ୍ରକାର ବିଳମ୍ବ ହେଲେ ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କୁଳସଚିବଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe