ଏକାନ୍ତବାସରେ ଥିବା ଯୁବକଙ୍କୁ ହତ୍ୟା ସନ୍ଦେହ, ମୃତ୍ୟୁ ପୂର୍ବରୁ ଜାରିକଲେ ଭିଡିଓ

Advertisment
ଏକାନ୍ତବାସରେ ଥିବା ଯୁବକଙ୍କୁ ହତ୍ୟା ସନ୍ଦେହ, ମୃତ୍ୟୁ ପୂର୍ବରୁ ଜାରିକଲେ ଭିଡିଓ

ଧର୍ମଶାଳା: ଚେନ୍ନାଇ ଫେରନ୍ତା ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଯୁବକ ଜଣକ କିଛିିଦିନ ୧୪ ଦିନ ଧରି ଏକାନ୍ତବାସରେ ଥିଲେ। ଘର ପଛପଟ ବାଡ଼ିରେ ଥିବା ପଣସଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇର ଏକ ହୋଟେଲରେ କାମକରୁଥିବା ଦେଓଦା ଗ୍ରାମର ସୁରେଶ ସାହୁ(୩୯) ମାର୍ଚ୍ଚ ୧୮ ତାରିଖରେ ଚେନ୍ନାଇରୁ ଘରକୁ ଫେରିଥିଲେ। ବାହାର ରାଜ୍ୟରୁ ଫେରିଥିବାରୁ ୨୦ ତାରିଖରେ ତାଙ୍କୁ ଏକାନ୍ତବାସରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ୧୪ ଦିନ ଏକାନ୍ତବାସରେ ରହିବା ପରେ ପଦାକୁ ଆସିଥିଲେ। ଗାଁରେ ବୁଲାବୁଲି ବି କରିଥିଲେ। ମାତ୍ର କେତେକ ଗାଁ ଲୋକ ତାଙ୍କୁ କରୋନା ଭୂତାଣୁକୁ ନେଇ ଟାହିଟାପରା କରିଥିଲେ। ଅନ୍ୟପଟେ ଉଧାର ଟଙ୍କାକୁ ନେଇ ମଧ୍ୟ କିଛି ଲୋକଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଗତ ୩ ଦିନ ତଳେ ତାଙ୍କୁ ଜ୍ବର ହୋଇଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପରୀକ୍ଷା କରାଯିବା ପରେ ଘରକୁ ପଠାଇ ଦିଆଯିବା ସହିତ ପୁନର୍ବାର ତାଙ୍କୁ ଏକାନ୍ତବାସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେ ଏଥିରେ ‌ହତୋତ୍ସାହିତ ହୋଇପଡ଼ିଥିଲେ। ସେପଟେ ତାଙ୍କଠାରୁ ଉଧାର ନେଇଥିବା ଟଙ୍କା ଫେରାଇବାକୁ ଡାକି ଗାଳିଗୁଲଜ କରାଯାଉଥିବାର ଏକ ଭିଡିଓ ସେ ମୃତ୍ୟୁ ପୂର୍ବରୁ ଜାରି କରିଛନ୍ତି।

ଆଜି ସକାଳୁ ତାଙ୍କ ମୃତଦେହ ଘରପଛ ପାଖ ପଣସଗଛରେ ଝୁଲୁଥିବା ବେଳେ ଉଦ୍ଧାର କରାଯାଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୁଲିସ ୧୬୧/୨୦ରେ ଧାରା ୧୮୮, ୨୯୬, ୨୦୭, ୩୦୨, ୩୪, ୩ଇପିଡିରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୁଲିସ ଗ୍ରାମର ୧୦ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe