ସଟ୍‌ଡାଉନ୍‌ର ସଜଳ ଚିତ୍ର: ଆମେ ମଳିମୁଣ୍ଡିଆ ମଲେ କେତେ, ଗଲେ କେତେ?

Advertisment
ସଟ୍‌ଡାଉନ୍‌ର ସଜଳ ଚିତ୍ର: ଆମେ ମଳିମୁଣ୍ଡିଆ ମଲେ କେତେ, ଗଲେ କେତେ?

ଭୁବନେଶ୍ବର : ଆମ କଥା କିଏ ବା ପଚାରେ ବାବୁ...। ଆମେ ତ ମଳିମୁଣ୍ଡିଆ, ମଲେ କେତେ ଗଲେ କେତେ...? ସକାଳୁ ଏଇଠି ବସିଛୁ ଯେ ଦିନ ଗୋଟାଏ ବାଜିଲାଣି। କିଛି ଖାଇନୁ। ଭୋକରେ ପେଟ ଜଳୁଛି। ହେଲେ କ’ଣ ବା କରିପାରିବୁ। ପାଣି ମୁନ୍ଦେ ପିଇ ଆଜି ଦିନଟା ବିତାଇବାକୁ ପଡ଼ିବ। ବ୍ୟାଗ୍‌ରେ ଗୋଟାଏ ବିସ୍କୁଟ ପଡ଼ିଛି, ଯଦି ଏବେ ତାକୁ ଖାଇଦିଏ, ଉପରବେଳାକୁ କ’ଣ କରିବି? ସବୁ ସେହି ଭଗବାନଙ୍କ ଇଚ୍ଛା, ରଖିଲେ ରଖିବେ, ମାରିଲେ ମାରିବେ...। କରୋନା ସଂକ୍ରମଣକୁ ରୋକିବା ପାଇଁ ଚଳିତବର୍ଷର ପ୍ରଥମ ସପ୍ତାହାନ୍ତ ସଟ୍‌ଡାଉନ୍‌ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ରାମମନ୍ଦିର ସାମ୍ନାରେ ଭୋକରେ ଆଉଟୁପାଉଟୁ ହେଉଥିବା ୬୫ ବର୍ଷୀୟା ବୃଦ୍ଧା ମମତା କୋହଭରା କଣ୍ଠରେ ଏମିତି ନିଜ ମନର ବେଦନା ବଖାଣିଥିଲେ। ଖାଲି ମମତା ନୁହନ୍ତି, ରାମମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ଚଳୁଥିବା ୧୦ରୁ ୧୨ଜଣ ଅସହାୟଙ୍କ ବି ଅବସ୍ଥା ପାଖାପାଖି ସମାନ ଥିଲା।

‘ସମ୍ବାଦ’ର ଏକ ଟିମ୍‌ ଶନିବାର ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ସଟ୍‌ଡାଉନ୍‌ର ସ୍ଥିତି ପରଖିବା ପାଇଁ ଏମିତି ଅନେକ ଅସହାୟଙ୍କ ଦୁଃଖକଷ୍ଟକୁ କ୍ୟାମେରାରେ କଏଦ୍‌ କରିଥିଲା। ରାମମନ୍ଦିରରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ। ଆମ ଗାଡ଼ି ରାମମନ୍ଦିର ପାଖରେ ପହଞ୍ଚୁ ପହଞ୍ଚୁ ସେଠାରେ ଭିକ୍ଷାବୃତ୍ତି କରି ଚଳୁଥିବା ଅସହାୟମାନେ ଆମକୁ କୌଣସି ସ୍ବେଚ୍ଛାସେବୀ ସଂସ୍ଥା ଭାବି ଚାରିପାଖେ ଘେରି ଯାଇଥିଲେ। ବାବୁ କ’ଣ ଆଣିଛ? ଭାତ, ଡାଲି ହେଲେ ବି ଆମର ଚଳିଯିବ ବୋଲି କହିଥିଲେ। କିନ୍ତୁ ଆମେ ଏକ ଗଣମାଧ୍ୟମ ସଂସ୍ଥାରୁ ଆସିଛୁ ବୋଲି ଜାଣିବା ପରେ ଟିକେ ଉଦାସ ହୋଇଯାଇଥିଲେ। କ୍ଷୋଭର ସହ ସେମାନଙ୍କ ମଧ୍ୟରୁ କେଇଜଣ କହିଥିଲେ, କ’ଣ ଗୋଟାଏ ଭାଇରସ୍‌ ଆସିଛି ବୋଲି ସରକାର ସବୁ କିଛି ବନ୍ଦବାନ୍ଦ କରିଦେଲେ। ହେଲେ ଆମ କଥା ଟିକେ ବି ଚିନ୍ତା କଲେନି। ଗତବର୍ଷ ବି ଏମିତି ଦିନ ଦିନ ଖାଇବାକୁ ନ ପାଇ ପଡ଼ି ରହିଲୁ। ମଝିରେ ମଝିରେ କିଛି ସ୍ବେଚ୍ଛାସେବୀ ସଂସ୍ଥା ଆସି ଆମକୁ ଖାଇବାକୁ ଦେବାରୁ ଜୀବନଟା ରହିଗଲା। କିନ୍ତୁ ଏବେ ପୁଣି ସେମିତି ଦିନ ଦେଖିବାକୁ ପଡ଼ିବ ବୋଲି ଲାଗିଲାଣି। ଶେଷରେ ସରକାରଙ୍କ ନିକଟରେ ଆମ ଦୁଃଖ ପହଞ୍ଚାଅ ବୋଲି ହାତ ଯୋଡ଼ି ଆମକୁ ଅନୁରୋଧ କରିଥିଲେ ସେମାନେ।

publive-image

ବାବୁ, କୁଛ୍‌ ଖାନା ହେ କ୍ୟା...
‌‌ଷ୍ଟେସନ୍‌ ନିକଟରେ କିଛି ମହିଳା ଛୋ‌ଟଛୋଟ ଶିଶୁଙ୍କୁ ଧରି ଧୁ’ଧୁ’ ଖରା‌ବେଳଟାରେ ରାସ୍ତା ସାରା ଘୂରି ବୁଲୁଥିଲେ। କାଁ ଭାଁ ଯେଉଁ ଗାଡ଼ି ଅଟକୁଥିଲା, ସେମାନେ ତାକୁ ଘେରିଯାଇ ଖାଇବାକୁ ମାଗୁଥିଲେ। ହିନ୍ଦୀରେ ପଚାରୁଥିଲେ ‘ବାବୁ, ‘କୁଛ୍‌ ଖାନା ହେ କ୍ୟା, ହମ୍ ଲୋଗ୍ ବହୁତ ଭୁକା ହେଁ’। ଛୋଟ ଛୋଟ ଛୁଆମାନେ ମଧ୍ୟ ଷ୍ଟେସନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ଗୋଡ଼ ଧରି ଅତି ବିକଳରେ ଖାଇବାକୁ ଗଣ୍ଡିଏ ମାଗୁଥିଲେ। ହାବଭାବରୁ ଏହି ଯାଯାବରମାନେ ଭୋକରେ ଆଉଟୁପାଉଟୁ ହେଉଥିବା ଜଣା ପଡ଼ୁଥିଲା।

publive-image

ଭୋକରେ ଆଉଟୁପାଉଟୁ ହେଲେ ନିରାଶ୍ରୟ
ଗତବର୍ଷ କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ରାଜଧାନୀରେ ନିରାଶ୍ରୟ ଭୋକିଲା ଲୋକଙ୍କ କରୁଣ ଅବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି କରୋନାର ଦ୍ବିତୀୟ ଲହର କାଳରେ ଲାଗୁ ହୋଇଥିବା ପ୍ରଥମ ସଟ୍‌ଡାଉନ୍‌ ବେଳେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଦିନ ସାରା ଭୋକିଲା ରହିଥିବା ଜଣେ ଅସହାୟ ବୃଦ୍ଧ ସନ୍ଧ୍ୟାରେ ରସୁଲଗଡ଼ ଛକରେ ପୁଲିସ କର୍ମଚାରୀଙ୍କୁ ଖାଇବାକୁ ମାଗୁଥିବା ଓ ସେମାନେ ତାଙ୍କୁ କିଛି ଦେଇ ନ ପାରିବା ଦୃଶ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କୁ ବ୍ୟଥିତ କରିଥିଲା।

ଦିନ ତମାମ ବଜାର, ହାଟ, ହୋଟେଲ, ଜଳଖିଆ ଦୋକାନ ସବୁ ବନ୍ଦ ଥିଲା ରାଜଧାନୀରେ। ସନ୍ଧ୍ୟା‌ରେ ନିରାଶ୍ରୟ ବୃଦ୍ଧ ଜଣକ ରସୁଲଗଡ଼ ଛକରେ ଠିଆ ହୋଇଥିବା ୩ ଜଣ ପୁଲିସ କର୍ମଚାରୀମାନଙ୍କୁ ଖାଇବାକୁ ମାଗିଥିଲେ। ବୃଦ୍ଧ ଜଣକ ବହୁ ସମୟ ଧରି ଆତୁର ହୋଇ ହାତ ପାତି ଠିଆ ହୋଇଥିଲେ ମଧ୍ୟ ପୁଲିସ କର୍ମଚାରୀମାନେ ମୁହଁ ବୁଲାଇ ଦେଇଥିଲେ। ଏହା ଦେଖି ଆମେ ବୃଦ୍ଧଙ୍କ ପାଖକୁ ଯାଇ ତାଙ୍କୁ କିଛି ପଇସା ଯାଚିଥିଲୁ। ମାତ୍ର କିଛି କହି ପାରୁନଥିବା ବୃଦ୍ଧ ଜଣକ ପଇସା ନେବାକୁ ମନା କରିବା ସହ କିଛି ଖାଇବାକୁ ଦେବାକୁ ଠାରିଥିଲେ। କାରଣ ସେ ଜାଣି ସାରିଥିଲେ ଯେ ପଇସା ନେଇ ସେ କେଉଁଠାରୁ କିଛି କିଣି ଖାଇପାରିବେ ନାହିଁ। ପରେ ଆମ ପାଖରେ ଥିବା ଗୋଟିଏ କେକ୍‌ ତାଙ୍କ ହାତକୁ ବଢ଼ାଇ ଦେବାରୁ ସେ ସେଇଟିକୁ ଝାମ୍ପି ନେଇ ତରତରରେ ଖାଇବା‌ ଆରମ୍ଭ କରି ଦେଇଥିଲେ।

ଗତବର୍ଷ ଏମିତି ପରିସ୍ଥିତିବେଳେ ପୁଲିସ ଖାଦ୍ୟ ବଣ୍ଟନ କରୁଥିଲା ଓ ବହୁ ସ୍ବେଚ୍ଛାସେବୀ ସଂଗଠନ ବି ବୁଲି ବୁଲି ଅସହାୟମାନଙ୍କୁ ଖାଇବାକୁ ଦେଇଥିଲେ। ଆଜି କିନ୍ତୁ ସେମିତି କିଛି ଦେଖିବାକୁ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe