ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲୁଟ୍‌ ଘଟଣା: ଲୁଟେରାଙ୍କୁ ମାରାଥନ୍‌ ଜେରା

Advertisment
ଚଣ୍ଡିଖୋଲ : ଡିକି ଭାଙ୍ଗି ସୁନାଅଳଙ୍କାର ଲୁଟ୍‌

VectorStock

ଭୁବନେଶ୍ବର: ଭିଜିଲାନ୍ସ ଡିଏସ୍‌ପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ ଘଟଣା‌ରେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କୁ ମାରାଥନ୍‌ ଜେରା ଚାଲିଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରୁ ଧରାପଡ଼ିବା ପରେ ସ୍ପେସା‌ଲ ସ୍କ୍ବାଡ୍‌ ସେମାନଙ୍କୁ ପଚରାଉଚରା ଚଳାଇଛି। ଅଭିଯୁକ୍ତମାନେ ଅନେକ ପୁରୁଣା ମାମଲାରେ ସମ୍ପୃକ୍ତ ଥିବା ପୁଲିସ୍‌ ଆଗରେ ସ୍ବୀକାର କରିଛନ୍ତି। ଗତ ରାତିରେ ମଧ୍ୟ ଡେଲାଙ୍ଗ ଅଞ୍ଚଳରେ ଏକ ବଡ଼ ଲୁଟ୍‌ କରିବା ପାଇଁ ଯୋଜନା କରିଥିବା ସେମାନେ କହିଛନ୍ତି। ତେବେ ଏହି ଗ୍ୟାଙ୍ଗ୍‌ର ଆହୁରି ଦୁଇଜଣ ସଦସ୍ୟ ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ରାତି ଅଧିଆ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ବେଳେ ଆଜି ଗୋଟିଏ ଟିମ୍‌ ଜିଲ୍ଲା ବାହାରକୁ ଯାଇଛି। ଖୁବ୍‌ଶୀଘ୍ର ଏହି ଗ୍ୟାଙ୍ଗ୍‌ର ଅନ୍ୟ ସହଯୋଗୀମାନଙ୍କୁ ଧରାଯିବ ବୋଲି ସ୍ପେସାଲ ସ୍କ୍ବାଡ୍‌ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଲୁଟ୍‌ ଘଟଣାର ଠିକ୍‌ ୩ଘଣ୍ଟା ପରେ ନୂଆପଲ୍ଲୀରେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ଲୁଟ୍‌ କରାଯାଇଥିଲା। କିଛି ଦିନ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ଥିବା ସ୍ପେସାଲ ସ୍କ୍ବାଡ୍‌ ସନ୍ଦେହ କରୁଛି। ଏଣୁ ଏହି ଦିଗରେ ମଧ୍ୟ ଉଭୟଙ୍କୁ ଅଲଗା‌ ଅଲଗା ପଚରାଉଚରା ଚାଲିଛି। ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଉଭୟଙ୍କର ଚେହେରା ମିଶୁଥିବାରୁ ପୁଲିସର ସନ୍ଦେହ ବଢ଼ିଛି। କିନ୍ତୁ ଶିକ୍ଷୟତ୍ରୀଙ୍କଠାରୁ ଲୁଟ୍‌ ହୋଇଥିବା ସାମଗ୍ରୀ କିନ୍ତୁ ଜବତ କରାଯାଇ ନାହିଁ। ଗ୍ୟାଙ୍ଗ୍‌ର ଅନ୍ୟ ଦୁଇଜଣ ଧରା ପଡ଼ିଲେ, ଏହି ଲୁଟ୍‌କୁ ନେଇ ସଂଶୟ ଦୂର ହେବ ବୋଲି କୁହାଯାଉଛି।

ଅପରପକ୍ଷେ ଗ୍ୟାଙ୍ଗ୍‌ର ଜଣେ ସହଯୋଗୀ ସହ ମାଷ୍ଟରମାଇଣ୍ଡ ମନୁଆ ଧରାପଡ଼ିଛି। ପୁଲିସ୍‌ ସୂଚନାନୁସା‌ରେ, ମନୁଆ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ରାଜପଥ ସମେତ ଭୁବନେଶ୍ବର ଓ ଖୋର୍ଦ୍ଧାରେ ମଧ୍ୟ ଅନେକ ରାହାଜାନି, ଲୁଟ୍‌ ଓ ହତ୍ୟା ଉଦ୍ୟମ ମାମଲା ରହିଛି। ଅଧିକ ପଚରାଉଚରା ଚାଲିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଧରାପଡ଼ିଥିବା ଅନ୍ୟ ଏକ ଲୁଟେରା ଗ୍ୟାଙ୍ଗ୍‌ ସୂଚାନନୁସାରେ ସ୍ପେସାଲ ସ୍କ୍ବାଡ୍‌ର ଏକ ସ୍ବତନ୍ତ୍ର ଟିମ୍‌ ମନୁଆ ଘରେ ଚଢ଼ଉ କରିଥିଲା। ହେଲେ ମନୁଆ ଡିଏସ୍‌ପିଙ୍କୁ ଲୁଟ୍‌ ହେବା ଦିନଠାରୁ ଫେରାର ଥିବା ଜଣାପଡ଼ିବାରୁ ପୁଲିସ୍‌ର ସନ୍ଦେହ ବଢ଼ିଥିଲା। ତା’ର ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଫେରାର ଥିଲେ। ଏଣୁ ସ୍କ୍ବାଡ୍‌ ଏମାନଙ୍କ ପଛରେ ପଡ଼ି ଯାଇଥିଲା। ଗତକାଲି ଅପରାହ୍‌ଣରେ ମନୁଆ ମୋବାଇଲ୍‌ ଅନ୍‌ ହେବା ଲୋକେସନ୍‌ ଟ୍ରାକ୍‌ କରି ପୁଲିସ୍‌ ତା’ ପାଖରେ ପହଞ୍ଚି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe