ଡଙ୍ଗା ଭସା ଆସିଲେ ମନେପଡ଼ନ୍ତି ବିଜୟ

Advertisment
ଡଙ୍ଗା ଭସା ଆସିଲେ ମନେପଡ଼ନ୍ତି ବିଜୟ

ଭୁବନେଶ୍ବର: କାର୍ତିକ ଆରମ୍ଭ ହେଲେ ଡଙ୍ଗା କାରିଗର ବିଜୟ ବେହେରା ଚଳଚଞ୍ଚଳ ହୋଇଉଠନ୍ତି। ସୋଲ ଓ କାଗଜରେ ଆକର୍ଷଣୀୟ ଡଙ୍ଗା ତିଆରି ପାଇଁ ତାଙ୍କ ନିକଟକୁ ଅର୍ଡର୍‌ର ସୁଅ ଛୁଟେ। ଏଥର କିନ୍ତୁ କରୋନା ତାଙ୍କ କାରିଗରୀରେ ବିରାମ ଲଗାଇଛି। ରାଜମିସ୍ତ୍ରି ଓ ମନ୍ଦିର କାରିଗର ଭାବେ କାମ କରୁଥିଲେ ହେଁ କାର୍ତିକ ପୂର୍ଣ୍ଣିମା ପୂର୍ବରୁ ଡଙ୍ଗା ତିଆରିରେ ନିଜ ହାତର ଯାଦୁ ଦେଖାନ୍ତି। ୮ ମାସ ହେଲା କାମ ନପାଇ ବସି ରହିଥିବା ବେଳେ ଡଙ୍ଗାରୁ କିଛି ଆୟ ହେବ ବୋଲି ଲକ୍ଷ୍ୟ ରଖିଥିଲେ ହେଁ ତାହା ବି ହୋଇପାରିନାହିଁ। କେଦାରଗୌରୀ ନଳାମୁହଁ ସାହିର ବିଜୟ ୨୦ ବର୍ଷରୁ ଊର୍ଧ୍ବ ହେଲା ଡଙ୍ଗା ତିଆରି କରୁଥିବା ବେଳେ ବର୍ଷକରେ ଏହି କାର୍ତିକ ପୂର୍ଣ୍ଣିମାରେ ସେ ୧୫ରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରନ୍ତି। ବିଜୟଙ୍କ କହିବା ମୁତାବକ, କଟକରୁ ‌ମଧ୍ୟ ଲୋକେ ତାଙ୍କୁ ଡଙ୍ଗା ପାଇଁ ବରାଦ ଦେଇ କିଣି ନିଅନ୍ତି। କିନ୍ତୁ ଏଥର କରୋନା କଟକଣା ଯୋଗୁଁ ସେ ବରାଦ ପାଇ ନାହାନ୍ତି। ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ପାଇଁ ବି ସେ ଏଥର ଅର୍ଡର ପାଇନାହାନ୍ତି।

ତାଙ୍କ କହିବା ମୁତାବକ, ଡଙ୍ଗା ତ ଅନେକ ତିଆରି କରନ୍ତି କିନ୍ତୁ ମତେ ପ୍ରତିବର୍ଷ କିଛି ନୂଆଧରଣର ଡଙ୍ଗା ତିଆରି କରିବାକୁ ଭଲ ଲାଗେ। ସୂକ୍ଷ୍ମ କାମ ହୋଇଥିବାରୁ ଗୋଟେ ଗୋଟେ ଡଙ୍ଗା ତିଆରି କରିବାକୁ ଦୀର୍ଘ ସମୟ ଚାଲିଯାଏ। ପରିଶ୍ରମ ମୁତାବକ ପାଉଣା ମିଳେ ନାହିଁ, କିନ୍ତୁ ଆତ୍ମସନ୍ତୋଷ ମିଳେ। ଅନୁମତି ମିଳି ନଥିବାରୁ ଡଙ୍ଗା ତିଆରି ଆରମ୍ଭ କରିନାହିଁ। ଯଦି କଦଳୀ ପାଟୁକା ଡଙ୍ଗା ଭସେଇବାକୁ ସୁଯୋଗ ମିଳେ, ସେଥି‌ରେ କାରିଗରୀ ସ୍ପର୍ଶ ଦେବା ସମ୍ଭବ ନୁହେଁ। ତେଲିଆ ମୁଣ୍ଡରେ ତେଲ ଭଳି କେବଳ ବଡ଼ବଡ଼ ମୁହଁ ସିନା ନଜରକୁ ଆସନ୍ତି କିନ୍ତୁ ବିଜୟ ଭଳି କାରିଗର ବଣମଲ୍ଲୀ ପରି ମଉଳି ଯାଆନ୍ତି। ବିଜୟ ଯେ କେବଳ ସୋଲରେ କାରିଗରୀ ଉତାରନ୍ତି ସେ କଥା ନୁହେଁ, ବରଂ ସେ ଶିଙ୍ଘ କାମରେ ମଧ୍ୟ ଜଣେ ଧୂରୀଣ କାରିଗର। ଏଥିପାଇଁ ସେ ତାଲିମ୍‌ ମଧ୍ୟ ନେଇଛନ୍ତି। ମାତ୍ର କଞ୍ଚାମାଲ୍‌ର ଅଭାବ ଏବଂ ବ୍ୟାବସାୟିକ ବାଟର ଅଜ୍ଞତା ଯୋଗୁଁ ତାଙ୍କ ଶିଳ୍ପୀ ଜୀବନ ବାଲି ସିମେଣ୍ଟ୍‌ରେ ଫେଣ୍ଟି ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe