ସହରରେ ଗାଁର ମହକ

Advertisment

ମଶାଲ ପକ୍ଷରୁ ରଜ ମହୋତ୍ସବ

ମଶାଲ ପକ୍ଷରୁ ରଜ ମହୋତ୍ସବ

ସହରରେ ଗାଁର ମହକ

ଭୁବନେଶ୍ୱର: ଝାଟିମାଟିର ଚାଳର ଛପର କୁଡ଼ିଆ ଘର। ଚକୁଳି, ମଣ୍ଡାର ମନଲୋଭା ବାସ୍ନା। ପୁଚି ଖେଳକୁ ରଜ ଦୋଳି। ଗାଁ ପରିବେଶର ଭ୍ରମ ସୃଷ୍ଟି କରୁଥିଲା। ଅବସର ଥିଲା ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ସାଂସ୍କୃତିକ ଅନୁଷ୍ଠାନ ‘ମଶାଲ’ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୧୯ତମ ରାଜ୍ୟସ୍ତରୀୟ ରଜ ମହୋତ୍ସବର। ମଞ୍ଚରେ ରଜ କବିତା ଆସର, ସୁସ୍ମିତା ଦାସଙ୍କ ଦ୍ୱାରା ଏକକ ସଙ୍ଗୀତ ପରିବେଷଣ, ଓଲିଉଡ୍‌ ନାୟିକା ଭୂମିକା ଦାସଙ୍କ ନୃତ୍ୟ, ନୃତ୍ୟାନୁଷ୍ଠାନ ଦ୍ୱାରା ରଜ ଫ୍ୟୁଜନ୍‌ ଓ ସମ୍ବଲପୁରୀ ନୃତ୍ୟ ଆଦି ପରିବେଷିତ ହୋଇଥିଲା। ଷଣ୍ଢ ନାଚ ଓ ଘୋଡ଼ା ନାଚର ଭରପୂର ମଜା ଉଠାଇଥିଲେ ଦର୍ଶକ। ପଶାପାଲି ଖେଳର ଆସର ବି ଜମିଥିଲା। ଗାଁର ରଜ ପର୍ବକୁ ମନେ ପକାଇ କୁନି କୁନି ପିଲାଙ୍କ ମଧ୍ୟରେ ପୁଚି ଓ ଠିଆ ପୁଚି ଖେଳ ପ୍ରତିଯୋଗିତା ବି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତାଙ୍କୁ ‘ମଶାଲ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରେକ୍ଷାଳୟ ବାହାରେ ପାନଠାରୁ ଆରମ୍ଭ କରି ଚାଉଳ ଓ ବିରି ପୋଡ଼ ପିଠା, ଛେନା, ଆରିସା, କାକରା, ମୁଗ, ଆଳୁ ମଟର ମଣ୍ଡା, ଚକୁଳି, ଚିକେନ୍‌ ଓ ମଟନ୍‌ ଷ୍ଟଲ୍‌ ବି ଥିଲା। ମଣ୍ଡପ ପରିସରରେ ମହିଳାମାନଙ୍କ ମଧ୍ୟରେ ପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରୁଷମାନଙ୍କ ମଧ୍ୟରେ ପଶା ଖେଳ, ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅଭିନେତା ଅଜିତ ଦାସ ଓ କଣ୍ଠଶିଳ୍ପୀ ଚିତ୍ତ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମଶାଲର ଉପଦେଷ୍ଟା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସଭାପତି ତାପସ ସାମନ୍ତରାୟ ଓ ପରିଚାଳନା ନିର୍ଦ୍ଦେଶକ ଶ୍ୟାମସୁନ୍ଦର ପାଢ଼ୀ।

ଜମିଥିଲା ନାଟୁଆଙ୍କ ଖଟି...
ଗୋଟିଏ ପଟେ ରଜ ମଉଜ ବେଶ୍‌ ଜାକଜମକରେ ଚାଲିଥିବା ବେଳେ ଅନ୍ୟପଟେ ନାଟୁଆଙ୍କ ଖଟି ବେଶ୍‌ ଜମିଥିଲା। ‘ସାମ୍ପ୍ରତିକ ଓଡ଼ିଆ ନାଟକର ସ୍ଥିତି’ ଶୀର୍ଷକ ଏହି ଖଟି ସନ୍ଧ୍ୟାକୁ ବେଶ୍‌ ସରଗରମ୍‌ କରିଥିଲା। ଦିଲ୍ଲୀ, କୋଲ୍‌କାତା ଆଦିରେ ଟିକେଟ୍‌ କରି ଲୋକେ ନାଟକ ଦେଖୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ଓଡ଼ିଶାରେ ବି ଟିକେଟ୍‌ କାଟି ନାଟକ ଦେଖିବାର ସଂସ୍କୃତି ପ୍ରଚଳିତ ହୁଅନ୍ତା ତେବେ ଓଡ଼ିଆ ନାଟକର ପ୍ରକୃତ ମୂଲ୍ୟାୟନ ହେବା ସହ ଏହାର ସ୍ଥିତି ବିଷୟରେ ଜଣାପଡ଼ନ୍ତା ବୋଲି ନାଟ୍ୟକାରମାନେ ମତ ରଖିଥିଲେ। ଖଟିରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ମନୋଜ ପଟ୍ଟନାୟକ, ସୁବୋଧ ପଟ୍ଟନାୟକ, ଅଭିନ୍ନ ରାଉତରାୟଙ୍କ ସମେତ ରାଉରକେଲା, ଦାମନଯୋଡ଼ି ଓ ଭବାନୀପାଟଣା ପ୍ରମୁଖ ସହରରୁ ମଧ୍ୟ ବହୁ ନାଟ୍ୟକାର, ନାଟ୍ୟ ଅଭିନେତା ଓ ନାଟ୍ୟପ୍ରେମୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe