ସଂଗରୋଧ ପରିବାର ପାଇଁ ଗାଁ ହୀନସ୍ତା; ଚାଷ କାମ ଠପ୍‌, ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ

ବାଲିଅନ୍ତା : ସାନିଟାଇଜ୍‌ ହେଲା ଭୁବନପୁର ଗ୍ରାମ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତର ୩ଟି ୱାର୍ଡ ୫ , ୬ ଓ ୭କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ଏକ ଟିଭି ଚ୍ୟା‌ନେଲ୍‌ର କ୍ୟାମେରାମ୍ୟାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ ବ୍ଲକ ପ୍ରଶାସନର ପରାମର୍ଶକ୍ରମେ ଏହି ପଦକ୍ଷେପ ନେଇଛନ୍ତି। ସେହିଭଳି ସ୍ଥାନୀୟ ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରାଯାଇଛି। ଫଳରେ ଏବେ ସଂପୃକ୍ତ ୱାର୍ଡର ଶତାଧିକ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଚାଷ କାମ ଠପ୍‌ ହୋଇଯାଇଥିବା ବେଳେ ଦୁଗ୍ଧ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି।

କରେନା ସଂକ୍ରମଣ ଭୟରେ ମୂଲିଆ ଅଭାବରୁ ଧାନ ବେଉଷଣ ଓ ରୁଆ କାମ ବନ୍ଦ ହୋଇଯାଇଛି। ଭୟରେ କୃଷି ମୂଲିଆମାନେ କାମ କରିବାକୁ ଯାଉ ନାହାନ୍ତି। ଫଳରେ ଚାଷୀମାନେ ବିଷମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏବେ ବେଉଷଣ କାମ ଓ ତଳି ରୁଆର ପ୍ରକୃଷ୍ଟ ସମୟ। କିନ୍ତୁ କୃଷି ଶ୍ରମିକ ଅଭାବ ଯୋଗୁଁ ଚାଷ କାମ ପୂରା ଠପ୍‌ ହୋଇଯାଇଛି। ସ୍ଥାନୀୟ କୃଷି ଶ୍ରମିକମାନଙ୍କୁ ସରପଞ୍ଚ ଶ୍ରୀ ଦାସ ସଚେତନ କରାଇଥିଲେ ମଧ୍ୟ କିଛି ଫଳ ମିଳିନି। ତେଣୁ ଅଧିକାଂଶ ଚାଷ ଜମି ପଡ଼ିଆ ରହିବ ବୋଲି ଆନେକ ଚାଷୀ ଅଭିଯୋଗ କରିଛନ୍ତି। ସଂଗରୋଧ ସମୟ ଅବଧି ସରିଲା ବେଳକୁ ବହୁ ବିଳମ୍ବ ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। କେବଳ ସେତିକି ନୁହେଁ, ଗ୍ରାମର ଗୋପାଳକମାନେ ମଧ୍ୟ ସଂଗିନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୁଗ୍ଧ ଚାଷୀମାନେ କ୍ଷୀର ବିକ୍ରି କରି ପାରୁନାହାନ୍ତି। ଏମିତିକି ଦୁଗ୍ଧ ସମବାୟ ସମିତି ମଧ୍ୟ ସେମାନଙ୍କ କ୍ଷୀର ଫେରାଇ ଦେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ଏବେ ସେମାନେ ଗାଈମାନଙ୍କ ପାଇଁ ଦାନା କିଣିବାକୁ ଅକ୍ଷମ ହେଉଛନ୍ତି ବୋଲି କହିଛନ୍ତି। ତେଣୁ ଦୁଗ୍ଧ ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe