ନନ୍ଦନକାନନ ଥାନା ଘେରିଲେ କଲ୍ୟାଣପୁର ଗ୍ରାମବାସୀ

Advertisment
ନନ୍ଦନକାନନ ଥାନା ଘେରିଲେ କଲ୍ୟାଣପୁର ଗ୍ରାମବାସୀ

ବାରଙ୍ଗ : ଗତ ୧୦ ତାରିଖ ଗଣେଶ ପୂଜା ରାତିରେ ଗଣ୍ଡରପୁର ସ୍କୁଲ୍‌ ଛକରେ ହୋଇଥିବା ଗଣ୍ଡଗୋଳ ମାମଲାରେ ବୁଧବାର କଲ୍ୟାଣପୁର ଗ୍ରାମବାସୀମାନେ ନନ୍ଦନକାନନ ଥାନା ଘେରାଉ କରିଥିଲେ। ଗଣ୍ଡରପୁର ଗ୍ରାମର କିଛି ଯୁବକ କଲ୍ୟାଣପୁର ଗ୍ରାମର ଯୁବକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ବି ପୁଲିସ ସେମାନଙ୍କୁ ଗିରଫ କରୁନଥିବା ଅଭିଯୋଗ କରି ଗ୍ରାମବାସୀମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି କହି ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀମାନେ ଧାରଣାରୁ ହଟିଥିଲେ।

ସୂଚନାଯୋଗ୍ୟ, ଘଟଣା ଦିନ ସନ୍ଧ୍ୟାରେ ଜାଭିଅର୍‌ ଛକରେ ଚାଟ୍‌ ଖାଇବାକୁ କେନ୍ଦ୍ର କରି କଲ୍ୟାଣପୁର ଓ ଗଣ୍ଡରପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କିନ୍ତୁ ସେମାନେ ସେଠାରୁ ଗାଁକୁ ଫେରି ଯାଇଥିଲେ। ବାଟରେ ଗଣ୍ଡରପୁର ଛକରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ କଲ୍ୟାଣପୁର ଗ୍ରାମର ମିଟୁ ସ୍ବ‌ାଇଁ ଓ ବିଧୁଭୂଷଣ ସ୍ବାଇଁଙ୍କୁ ଗଣ୍ଡରପୁର ଗ୍ରାମର ଚିଣ୍ଟୁ ବାରିକ, ସୁନୀଲ ରାରତ, ଦୀପକ ପଢିଆରୀ ଓ ରାଜା ରାଉତ ଆକ୍ରମଣ କରି ରକ୍ତାକ୍ତ କରି ପକାଇଥିଲେ। କଲ୍ୟାଣପୁର ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗଣ୍ଡରପୁରର ଯୁବକମାନେ ବାଟରେ ଜଗି ରହି ଏହି ଆକ୍ରମଣ କରିଥିଲେ। ଅଭିଯୋଗ କରିବାର ୫ ଦିନ ପରେ ବି ନନ୍ଦନକାନନ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ। ଥାନା ଘେରାଉ ଖବର ପାଇ ଜୋନ୍‌ ୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌, ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର ଓ ନନ୍ଦନକାନନ ଥାନା ଆଇଆଇସି ବିଶ୍ବ ରଞ୍ଜନ ସେନାପତି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe